କନକ ବ୍ୟୁରୋ : ବର୍ଷାଦିନ ଆସିଲେ ସବୁବେଳେ ଗଣମାଧ୍ୟମରେ ପ୍ରଥମେ ଆସାମରୁ ଆସେ ବନ୍ୟାର ଖବର । କାହିଁକି ନାଁ ପ୍ରତିବର୍ଷ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଧନ ଜୀବନ ନଷ୍ଟ ହେବା ସହ ସରକାର ଚିନ୍ତାରେ ପଡ଼ିଥାନ୍ତି । ଜୁନ ଜୁଲାଇ ମାସରେ ପ୍ରାୟତଃ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥାଏ ଆସାମ । ଫସଲ ନଷ୍ଟ ହେବା ସହ କୋଟି କୋଟି ଟଙ୍କା କ୍ଷତି ସହିଥାଏ ରାଜ୍ୟ । ତେବେ ଅନ୍ୟ ରାଜ୍ୟ ତୁଳନାରେ ଆସାମରେ କାହିଁକି ବନ୍ୟା ପରିସ୍ଥିତି ଏତେ ଭୟଙ୍କର ହୋଇଥାଏ ତାର ଅନେକ ମୁଖ୍ୟ କାରଣମାନ ରହିଛି ।

Advertisment

ଭାରତ ମାନଚିତ୍ରରେ ସୁଦୂର ଉତ୍ତର ପୂର୍ବରେ ଅବସ୍ଥିତ । ଏହି ରାଜ୍ୟ ଦେଇ ବ୍ରହ୍ମପୂତ୍ର ନଦୀ ପ୍ରବାହିତ ହୋଇଥାଏ । ଯାହାକି ଦେଶର ଦ୍ୱିତୀୟ ବୃହତ୍ତମ ନଦୀ । ଯାହାର ଲମ୍ବ ରହିଛି ପ୍ରାୟ ୩ ହଜାର କିଲୋମିଟର । ପ୍ରତିବର୍ଷ ବନ୍ୟା ପରିସ୍ଥିତି ଉପୁଜୁଥିବାର ଏହା ଏକ ମୁଖ୍ୟ କାରଣ ହୋଇଥାଏ । ବ୍ରହ୍ମପୂତ୍ର ନଦୀ ତିବତର ମାନସରୋବର ନିକଟରେ ଉତ୍ପନ୍ନ ହୋଇଥାଏ । ଏହା ତିବତରୁ ଆସି ଅରୁଣାଚଳ ପ୍ରଦେଶରୁ ଭାରତରେ ପ୍ରବେଶ କରିଛି । ତେବେ ତିବତରୁ ବାହାରୁଥିବା ଏବଂ ଅରୁଣାଚଳ ପ୍ରଦେଶରେ ପହଞ୍ଚିବା ରାସ୍ତା ସମ୍ପୂର୍ଣ୍ଣ ପାହାଡ଼ିଆ । ଏଣୁ ବ୍ରହ୍ମପୂତ୍ର ନଦୀର ସ୍ରୋତ ଦ୍ରୁତ ଗତିରେ ପ୍ରବାହିତ ହୁଏ ନାହିଁ । ଯେତେବେ ଅରୁଣାଚଳ ପ୍ରଦେଶରୁ ଆସାମରେ ପହଞ୍ଚେ ସେଠାରେ ସମତଳ ହୋଇଥିବା କାରଣରୁ ଜଳର ଗତି ବଢ଼ିଯାଇଥାଏ । ଏପରିକି ସମତଳ ସ୍ଥାନକୁ ଆସିବା ପରେ କେତେକ ସ୍ଥାନରେ ଏହାର ମୋଟେଇ ମଧ୍ୟ ୧୦ କିଲୋମିଟର ହୋଇଯାଏ । ଯଦି ପର୍ବତ ଉପରେ ଅଧିକ ବର୍ଷା ହୁଏ ଏବଂ ପାଣି ବ୍ରହ୍ମପୂତ୍ରରେ ପ୍ରବେଶ କରେ, ଏହାପରେ ଜୁନ୍ ଜୁଲାଇ ମାସରେ ସ୍ଥିତି ଭୟଙ୍କର ହୋଇଥାଏ । ତେବେ ଏହା କେବଳ ମୁଖ୍ୟ କାରଣ ନୁହେଁ । ଅନେକ ଗୁଡ଼ିଏ ଉପନଦୀ ମଧ୍ୟ ବନ୍ୟାର କାରଣ ସାଜିଥାନ୍ତି । ୩୫ଟି ଛୋଟ ନଦୀ ଏବଂ ବଡ଼ ନଦୀ ଅଛନ୍ତି ଯାହା ଆସାମର ବିଭିନ୍ନ ସ୍ଥାନରେ ବ୍ରହ୍ମପୂତ୍ରରେ ମିଶିବା ପରେ ଅଧିକ ବିପଜ୍ଜନକ ହୋଇଥାଏ ।

ସିଆଙ୍ଗ, ଲୋହିତ ଏବଂ ଦିବାଙ୍ଗ ତିନୋଟି ବଡ଼ ନଦୀର ଜଳ ମିଳିତଭାବେ ଆସାମରେ ପ୍ରବାହିତ ହୋଇଥାଏ । ଏଭଳି ଅନେକ ଛୋଟ ନଦୀ ରହିଛନ୍ତି ଯାହାକି ବିଭିନ୍ନ ଜିଲ୍ଲାରୁ ବାହରି ବ୍ରହ୍ମପୂତ୍ର ନଦୀରେ ମିଶିଥାନ୍ତି । ଶେଷରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ । ଆସାମ ସରକାରଙ୍କ ଅଫିସିଆଲ ୱେବସାଇଟରେ ପ୍ରକାଶ କରାଯାଇଛି କି, ରାଜ୍ୟର ଭୌଗଳିକ ଅବସ୍ଥିତି ଏପରି ଯେ ପ୍ରାୟ ୭୮.୫୨୩ ଲକ୍ଷ ହେକ୍ଟର ଜମି ମଧ୍ୟରୁ ୩୧.୦୫ ଲକ୍ଷ ହେକ୍ଟର ଜମି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏହା ହେଉଛି ଜାତୀୟ ବନ୍ୟା ଆୟୋଗର ଆକଳନ । ସମଗ୍ର ଦେଶରେ ଆସୁଥିବା ପ୍ରାୟ ୯.୫ ପ୍ରତିଶତ ବନ୍ୟା କେବଳ ଆସାମରୁ ଆସିଛି । ଆସମାର ବନ୍ୟା ପରିସ୍ଥିତି ସମଗ୍ର ଦେଶ ତୁଳନାରେ ୪ ଗୁଣା ଅଧିକ ।

ପାହାଡ଼ ଅଞ୍ଚଳରେ ଏବଂ କିଛି ସ୍ଥାନରେ ବ୍ରହ୍ମପୂତ୍ର ଏବଂ ଉପନଦୀ ଉପରେ ବନ୍ଧ କରି ଜଳକୁ ନିୟନ୍ତ୍ରଣ କରାଯାଉଛି । କିନ୍ତୁ ଉପର ମୁଣ୍ଡରୁ ଏତେ ପାଣି ଆସିଥାଏ କି, ଅଟଳାଇବା ଅସମ୍ଭବ ହୋଇଥାଏ । ଏଣୁ ପାଣିକୁ ନିସ୍କାସନ କରିବାକୁ ବାଧ୍ୟ ହୋଇଥାନ୍ତି । ସମତଳ ଭୂମିରେ ପାଣି ମାଡ଼ିବା ସହ ବହୁ କ୍ଷତି ହୋଇଥାଏ । ଲୋକଙ୍କୁ ବାଧ୍ୟ ହୋଇ ଘର ଛାଡ଼ିବାକୁ ମଧ୍ୟ ପଡ଼ିଥାଏ । ସରକାର ବହୁତ ଥର ବଡ଼ ବଡ଼ ପ୍ରକଳ୍ପମାନ ଘୋଷଣା କରିଛନ୍ତି । କିନ୍ତୁ ଅଧିକାଂଶ ପ୍ରକଳ୍ପ ଅଧାରେ ପଡ଼ି ରହିଥିବା ସ୍ଥାନୀୟଲୋକେ ଅଭିଯୋଗ କରନ୍ତି ।