ଯେବେ ଯେବେ ସରକାରଙ୍କ ପାଇଁ ଅଡୁଆ ବଢେ, ସିଙ୍ଘମ୍ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନାଁ ମନେପଡେ । ସାରଥୀ-ସୁରଠୁ ପୁଞ୍ଜିଲାଲ ମୋତିଲାଲକୁ ଜେଲ ପଠାଇଥିବା ବୋଥ୍ରା, ‘ପରୀ’ ହତ୍ୟାକାରୀକୁ ବାନ୍ଧି ପାରିବେ ତ ? ଦେଖନ୍ତୁ କେମିତି ଜଘନ୍ୟ ଅପରାଧର ଜଟିଳ ଅଙ୍କକୁ ଚୁଟକୀରେ ସମାଧାନ କରିଛନ୍ତି ବୋଥ୍ରା ।

771
କନକ ବ୍ୟୁରୋ: ସରକାରଙ୍କ ପାଇଁ ଯେତେବେଳେ ବଡ଼ ବଡ଼ ପ୍ରସଙ୍ଗ ପାହାଡ଼ ପରି ଛିଡ଼ା ହୁଏ । ଆଉ ବିରୋଧୀ ସେହି ପ୍ରସଙ୍ଗ ପୁଟୁଳିକୁ ଧରି ରାଜରାସ୍ତାକୁ ଓହ୍ଲାନ୍ତି, ନିଆଁ ଜଳାନ୍ତି, ସରକାରଙ୍କୁ ପାଲଟା ଆକ୍ରମଣ କରନ୍ତି…ଠିକ୍ ସେତିକିବେଳେ ସରକାରଙ୍କ ସଙ୍କଟମୋଚ ସାଜିଥାନ୍ତି ସିଙ୍ଗମ୍ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା । ଅନେକ ଅଡୁଆ ଅଙ୍କର ସମାଧାନ ପାଇଁ ଖୋଜା ପଡ଼ନ୍ତି ଅରୁଣ ବୋଥ୍ରା । ୧୯୯୬ ବ୍ୟାଚର ଏହି ଦବଙ୍ଗ ଆଇପିଏସଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ରାଜ୍ୟ ସରକାର । ନୟାଗଡ଼ ପରୀ ହତ୍ୟାକାଣ୍ଡ ନେଇ ସରକାରଙ୍କୁ ବିରୋଧୀ ବାରମ୍ବାର ପ୍ରଶ୍ନ କରୁଥିବାବେଳେ ବୋଥ୍ରାଙ୍କୁ ପୁଣି ବଡ଼ ଦାୟିତ୍ୱ ଦିଆଯାଇଛି । ‘ପରୀ’ ତଦନ୍ତ ପାଇଁ ଗଠିତ ହୋଇଥିବା ଏସଆଇଟି ଟିମକୁ ଲିଡ୍ କରିବାକୁ ଅରୁଣଙ୍କୁ ଡାକରା ଦେଇଛନ୍ତି ସରକାର ।
ଜଘନ୍ୟ ଅପରାଧର ଜଟିଳ ଅଙ୍କକୁ ସମାଧାନ କରିବାରେ ମାହିର ହେଉଛନ୍ତି ଅରୁଣ ବୋଥ୍ରା । କାରଣ ଅରୁଣ ବୋଥ୍ରା ଜଣେ ଏମିତି ଅଫିସର । ଯାହାଙ୍କ ବ୍ୟକ୍ତିତ୍ୱ ଯେମିତି ଦାୟିତ୍ୱ ତୁଲାଇବାର ପାରିବା ପଣିଆ ବି ସେମିତି । କ୍ରାଇମବ୍ରାଞ୍ଚ  ଆଇଜି ଥିବାବେଳେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ହେଉ କି, ଠକ ସାରଥୀ ସାମ୍ରାଜ୍ୟର ସତ, ସୁର ବାବା ହେଉ କି ମୋତିଲାଲ୍ ଗୌଡ଼ । ଚର୍ଚ୍ଚିତ ଘଟଣାକୁ ଚୁଟକୀରେ ସମାଧାନ କରିଛନ୍ତି  । ଆଉ ବିରୋଧୀଙ୍କ ବାଣରୁ ସରକାରଙ୍କୁ ରକ୍ଷା କରି ବିଶ୍ୱାସଭାଜନ ମଧ୍ୟ ହୋଇଛନ୍ତି ବୋଥ୍ରା । ସେଥିପାଇଁ ତ ଏବେ ‘ପରୀ’ ହତ୍ୟାକାଣ୍ଡ ପଛର ସତ ଖୋଜିବାକୁ ଏହି ଦବଙ୍ଗ୍ ଆଇପିଏସଙ୍କୁ ଭରସିଛନ୍ତି ସରକାର ।
କେବଳ ରାଜ୍ୟ ସରକାର କାହିଁକି କେନ୍ଦ୍ରରେ ବି ଛାପ ଛାଡ଼ି ଆସିଛନ୍ତି ଅରୁଣ ବୋଥ୍ରା । ସିବିଆଇ ଡିଆଜି ଭାବେ ନିଜର ୫ ବର୍ଷର କ୍ୟାରିୟର ଭିତରେ ବଡ଼ ବଡ଼ ଘଟଣାର ପର୍ଦ୍ଦାଫାସ କରିଛନ୍ତି ବୋଥ୍ରା । ଯେଉଁଥିରେ ୨୦୧୦ର ଗ୍ୟାନେଶ୍ୱରୀ ରେଳ ଦୁର୍ଘଟଣା, ୨୦୧୧ରେ ଭୋପାଳରେ ହୋଇଥିବା ଚର୍ଚ୍ଚିତ ସୂଚନାଅଧିକାର କର୍ମୀ ଶେଲା ମସୁଦ ହତ୍ୟାକାଣ୍ଡ ଭଳି ଘଟଣା ରହିଛି । ନିଜର ଅଭିଜ୍ଞତା ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ଅପରାଧ ଓ ଅପରାଧିର ଗଳା ପାଖରେ ନହଁଚିବା ଯାଏଁ ଶାନ୍ତିର ନିଶ୍ୱାସ ନେଇନଥାନ୍ତି ବୋଥ୍ରା । ଯେଉଁଥି ପାଇଁ ବୋଥ୍ରା ସରକାରଙ୍କ ପାଇଁ ଏକ ବିଶ୍ୱାସର ଏକ ନାଁ ପାଲଟି ଯାଇଛି । ଯେତେବଡ଼ ସମସ୍ୟା ହେଉ ସଙ୍ଗେ ସଙ୍ଗେ ଅରୁଣଙ୍କ ଉପରେ ରାଜ୍ୟ ସରକାର ଆଖିବୁଜି ଆସ୍ଥାପ୍ରକଟ କରୁଛନ୍ତି ।
ସେଥିପାଇଁ ତ ଏବେ ‘ପରୀ’ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ମାମଲାର ପ୍ରକୃତ ପିଶାଚ ଖୋଜିବାକୁ ଅରୁଣଙ୍କୁ ଏସଆଇଟି ମୁଖ୍ୟ କରାଯାଇଛି । ନୟାଗଡର କୁନି ଝିଅ ପରୀ ହତ୍ୟାର ହତ୍ୟାକାରୀ କିଏ ? ପୁଞ୍ଜିଲାଲ ଭଳି ଅନେକ ସାତିର୍ ହତ୍ୟାକାରୀକୁ ହାତରେ ହାତକଡ଼ି ବାନ୍ଧିଥିବା ବୋଥ୍ରା ଏବେ ‘ପରୀ’ର ପିଶାଚ ପାଖରେ ପହଁଚି ପାରିବେ ତ? ହତ୍ୟାକାଣ୍ଡ ପଛର ଜଟିଳ ଅଙ୍କକୁ କେତେ ଶୀଘ୍ର ସମାଧାନ କରୁଛନ୍ତି ଅରୁଣ ବୋଥ୍ରା ତାହା ହିଁ ଅପେକ୍ଷା ।