କନକ ବ୍ୟୁରୋ: ବାରମ୍ବାର ଟ୍ରେନ ଦୁର୍ଘଟଣା ପରେ ଲୋକଙ୍କ ମନରେ ଛନକା ପଶିଛି । ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ରେଳ ଦୁର୍ଘଟଣା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ଦାୟୀ କରିଛି କଂଗ୍ରେସ । କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ସମାନ ଢ଼ଙ୍ଗରେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ରେଳ ଦୁର୍ଘଟଣା ପାଇଁ ନିଦ୍ଧିଷ୍ଟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରି ହେବନି ।

Kanak News is now on WhatsApp
Join and get latest news updates delivered to you via WhatsApp
ବାହାନଗା ରେଳ ଦୁର୍ଘଟଣାର ଚିତ୍ର ଏଯାଏଁ ମନରୁ ଯାଇନି, ଠିକ୍ ସେତିକି ବେଳେ ବିଜୟନଗରମ୍୍ରୁ ଆସିଛି, ସମାନ-ଧରଣର ଏକ ଦୁର୍ଘଟଣା । ଗୋଟିଏ ଠିକଣାରେ, ଟ୍ରେନ୍ ବିଛାଡ଼ି ହୋଇପଡ଼ିଛି । ବଗି ଉପରେ ବଗି ଚଢ଼ି ରହିଛି । ଦୁର୍ଘଟଣାର ଯେଉଁ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ବିବ୍ରତ କରିଛି । ଯେଉଁ କାରଣରୁ ବାହାନଗାରେ ଦୁର୍ଘଟଣା ଘଟିଥିଲା, ଠିକ୍ ସେହି ସିଗନାଲ୍ ତ୍ରୁଟି ଯୋଗୁଁ ବିଜୟନଗରମ୍୍ ଅଘଟଣ ଘଟିଛି ବୋଲି କୁହାଯାଉଛି ।
କିଛି ଏଭଳି ଢଙ୍ଗରେ ପ୍ରଶ୍ନ ଉଠାଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ କଂଗ୍ରେସ । କଂଗ୍ରେସ କହିଛି- ବାହାନଗା ଭଳି ଅଘଟଣର କିଭଳି ପୁନାରାବୃତି ନହେବ ସେତେବେଳେ ରେଳମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ କହିଥିଲେ । କିନ୍ତୁ ଦୁର୍ଘଟଣାର ୪ ମାସ ପରେ ସମାନ ଢ଼ଙ୍ଗରେ ଦୁର୍ଘଟଣା ଘଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏସଓପି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରେଲୱେ ପ୍ରଶାସନ ମନ୍ତ୍ରୀଙ୍କ କଥାକୁ ବୋଧହୁଏ ମାନୁନାହାଁନ୍ତି । ତେଣୁ ଏଭଳି ଏକ ଦୁର୍ଘଟଣା ପୁଣି ଥରେ ଘଟିଛି । ପୂର୍ବ ତୁଳନାରେ ରେଳୱେରେ ଦୁର୍ଘଟଣା ବଢ଼ିଛି । ଲୋକେ ଏବେ ଟ୍ରେନରେ ଯିବାକୁ ଡରିଲେଣି । ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ତେବେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ମୁଖପାତ୍ର କହିଛନ୍ତି- ଦୁର୍ଘଟଣା ସବୁ ବେଳେ ଦୁର୍ଘଟଣା । ତାକୁ କିଭଳି ସାମ୍ନା କରାଯିବ ତାହା ଗୁରୁତ୍ୱୂପୂର୍ଣ୍ଣ । ସମାନ ଢ଼ଙ୍ଗରେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ରେଳ ଦୁର୍ଘଟଣା ପାଇଁ ନିଦ୍ଧିଷ୍ଟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରି ହେବନି ।
ରାଜନୀତିର ଏହି ବୟାନବାଜି ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, କେଉଁଠି ନା କେଉଁଠି ତ୍ରୁଟି ରହିଛି ନିଶ୍ଚୟ । କିଛି ବର୍ଷ ମଧ୍ୟରେ ଟ୍ରେନ ଚଳାଚଳ ୭୦% ବୃଦ୍ଧ ପାଇଛି । କିନ୍ତୁ ସେହି ଅନୁପାତରେ ଟ୍ରେନ ଧାରଣା ଓ ସିଗ୍ନାଲିଂ ବ୍ୟବସ୍ଥାର ଉନ୍ନତିକରଣ ହୋଇନାହିଁ ବୋଲି ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର ।