ଦଳରୁ ଦୂରରେ କି ଭୁବନେଶ୍ୱର ସାଂସଦ? ଅପରାଜିତାଙ୍କ ଏକଲା ଚଲୋ ନୀତି : କାହାର ଲାଭ, କାହାର କ୍ଷତି?

208

କନକ ବ୍ୟୁରୋ :  ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପିରୁ ସାଂସଦ ହୋଇଛନ୍ତି କିନ୍ତୁ ତାଙ୍କର ହାବଭାବ ଓ କାର୍ଯ୍ୟକଳାପ କିଛି ଭିନ୍ନ ସଂକେତ ଦେଉଛି । ଲାଗୁଛି ସତେ ଯେପରି ରାଜ୍ୟ ବିଜେପି ସହ ନାହାନ୍ତି ଅପରାଜିତା । ରାଜ୍ୟ ବିଜେପି ଏକାଠି ହୋଇ ଲଢିବାକୁ  ଚାହୁଁଥିବା ବେଳେ ଅପରାଜିତା କିନ୍ତୁ ଏକଲା ଚଲୋ ନୀତିରେ ଆଗେଇ ଚାଲୁଥିବାର ଦେଖିବାକୁ ମିଳୁଛି । ଆଉ ଏହାର ତାଜା ଝଲକ ମମିତା ହତ୍ୟା ଘଟଣାରେ ଦେଖିବାକୁ ମିଳିଛି ।

ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆଟାକିଙ୍ଗ ମୁଡରେ ରହିଛି । ଘନ ଘନ ପ୍ରେସମିଟ୍, ଶହ ଶହ ମହିଳାଙ୍କୁ ନେଇ ପ୍ରତିବାଦ ପ୍ରତିଦିନ ଦେଖିବାକୁ ମିଳୁଛି । ଲକ୍ଷ୍ୟ କେବଳ ମମିତାଙ୍କୁ ନ୍ୟାୟ ମିଳୁ, କ୍ୟାପଟେନ ଇସ୍ତଫା ଦିଅନ୍ତୁ ଆଉ ଦୋଷୀ ଦଣ୍ଡ ପାଉ । ହେଲେ ଏଥିରୁ ଅପରାଜିତା ଦୂରେଇ ରହୁଥିବା ଦେଖାଯାଇଛି । ଏତେବଡ ପ୍ରସଙ୍ଗ, ଶହ ଶହ ମହିଳାଙ୍କୁ ନେଇ ଶୋଭାଯାତ୍ରା, ରାସ୍ତାଘାଟ ଜାମ, ପ୍ରଶାସନ ନାକେଦମ, କିନ୍ତୁ ବିଜେପିର ମହିଳା ୱିଙ୍ଗର ଏହି ଶୋଭାଯାତ୍ରାରେ ଅପରାଜିତାଙ୍କ ଅନୁପସ୍ଥିତ ଅନେକ ପ୍ରଶ୍ନ ଛିଡା କରୁଛି । ଦଳ ଆଭିମୁଖ୍ୟ ଠାରୁ ଅଲଗା ହୋଇ ସମାନ୍ତରଳ ଭାବେ ଆଗଉଛନ୍ତି କି ଅପରାଜିତା?

ଏକଥା ଆମେ ଏଥିପାଇଁ କହୁଛୁ କାରଣ ମମିତା ହତ୍ୟା ପ୍ରସଙ୍ଗରେ ପୂରା ଦଳ ଏବେ ଏକସ୍ୱର ହୋଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛି । କିନ୍ତୁ ଦଳୀୟ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଦେଖିବାକୁ ମିଳୁନି ।  ସାରା ରାଜ୍ୟରେ ଶୋଭାଯାତ୍ରା ହେଉଛି, ବାରମ୍ବାର ପ୍ରେସମିଟ୍ ହେଉଛି କିନ୍ତୁ ଅପରାଜିତା ଦଳୀୟ ନେତୃତ୍ୱଙ୍କ ସ୍ୱର ସହ ସ୍ୱର ମିଳାଇବା ପରିବର୍ତ୍ତେ    ଅଲଗା ଭାବେ ନିଜର ଦାବିକୁ ଆଗ ଆଣିବାକୁ ଉଦ୍ୟମ କରୁଛନ୍ତି । ଦଳ ଯାହା ଦାବି କରୁଛି, ଅପରାଜିତା ମଧ୍ୟ ସମାନ ଦାବି କରୁଛନ୍ତି । କିନ୍ତୁ ଏଥିପାଇଁ ଦଳୀୟ କାର୍ଯ୍ୟାଳୟ ବା ଦଳୀୟ କାର୍ଯ୍ୟକ୍ରମକୁ ଯିବା ପରିବର୍ତ୍ତେ  ଅଲଗା ଭାବେ ସାମ୍ବାଦିକ ସମ୍ମିଳନୀ ଡାକୁଛନ୍ତି, ଯାହା ଦର୍ଶାଉଛି ଦଳୀୟ ଫୋରମରୁ  ଦୂରେଇ ରହୁଛନ୍ତି ଅପରାଜିତା?

ଅପରାଜିତାଙ୍କ ଏଭଳି ଆଭିମୁଖ୍ୟ ନୂଆ ନୁହେଁ । ପରୀ ପ୍ରସଙ୍ଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଯେତେବେଳେ ରାଜ୍ୟ ବିଜେପି ପରୀ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଜୋରଦାର ଟାର୍ଗେଟ କରୁଥିଲା ସେତେବେଳେ ବି  ଅପରାଜିତା ଆନ୍ଦୋଳନରୁ ନିଜକୁ ଦୂରେଇ ରଖୁଥିଲେ । ଯାହା ଅପରାଜିତା ଓ ରାଜ୍ୟ ନେତୃତ୍ୱଙ୍କ ଭିତରେ ସବୁକିଛି ଠିକ୍ ନାହିଁ ବୋଲି ସଂକେତ ଦେଇଥିଲା । ଏପରିକି ଅଧିକାଂଶ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖି ଏହି ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଥିଲେ ଅପରାଜିତା । ଲାଗୁଥିଲା ସତେ ଯେପରି ରାଜ୍ୟ ବିଜେପି ନେତୃତ୍ୱ ବାହାରେ ନିଜର ସଙ୍ଗଠନ ତିଆରି କରୁଛନ୍ତି ଅପରାଜିତା । ଭୁବନେଶ୍ୱରରେ ହେଉଥିବା ଶୋଭାଯାତ୍ରାରେ ଅପରାଜିତା ସାମିଲ ହେଉନଥିବା ବେଳେ ଏକାକୀ ବିଭିନ୍ନ ଜିଲ୍ଲା ବୁଲି ଦଳୀୟ ସଙ୍ଗଠନକୁ ଦୁଇ ଭାଗ କରୁଥିବା ନେଇ ଦଳୀୟ ଅନ୍ଦର ମହଲରେ ଚର୍ଚ୍ଚା ହେଉଛି ।  ବିଜେପିର ମହିଳା ୱିଙ୍ଗ୍ ଯେତେବେଳେ ମମିତା ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଉଛନ୍ତି, ପୋଲିସ ସହ ମୁହାଁମୁହିଁ ହେଉଛନ୍ତି ସେଭଳିସ୍ଥଳେ କେବଳ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ ସେୟାର କରି ସାଂସଦ ଅପରାଜିତା ଏହି ଲଢେଇରେ ନିଜର ହାଜିରା ପକାଉଥିବା ଚର୍ଚ୍ଚା ହେଉଛି ।