ଅପରାଜିତାଙ୍କୁ ରଗାଇଦେଲେ କି ବିଜେପିର ଦୁଇ ଗୋଷ୍ଠୀ ?  ଅପରାଜିତା ରାଗିବାର ଅସଲ କଥା !

1,508

କନକ ବ୍ୟୁରୋ : ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ କର୍ମୀ ମାନଙ୍କୁ ତାଗିଦ କରୁଥିବାର ଭିଡିଓ ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗତକାଲି ରାଜ୍ୟ ରାଜନୀତିରେ ଅପରାଜିତାଙ୍କ ଭାଇରାଲ ଭିଡିଓ ହଟ୍ ଟପିକ ପାଲଟିଥିଲା । ବିଜେପି କର୍ମୀ ମାନଙ୍କୁ ଏକାଠି କାମ କର ନହେଲେ ଦଳ ଛାଡ ବୋଲି ଅପରାଜିତା ଯେଉଁଭଳି ଖୋଲାଖୋଲି ତାଗିଦ କରିଥିଲେ ତାହା ଦଳରେ ଅଧିକାଂଶ ନେତାଙ୍କର ହଜମ ହୋଇନଥିଲା । କିନ୍ତୁ ଏହି ଭାଇରାଲ ଭିଡିଓର ଭିତିରି କଥା ଏବେ ସାମ୍ନାକୁ ଆସିଛି । ଏମିତି ସେ କାର୍ଯ୍ୟକ୍ରମରେ କଣ ହୋଇଥିଲା ଯେ, ଯେଉଁଥିପାଇଁ ଅପରାଜିତା ବିଜେପି କର୍ମୀ ମାନଙ୍କ ଉପରେ ରାଗି ଯାଇଥିଲେ  ଆଉ ଏକାଠି କାମ ନ କଲେ ଦଳ ଛାଡିବାକୁ ତାଗିଦ କରିଥିଲେ ।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ କିଛି ଦିନ ପୂର୍ବେ ଏକ କଲ୍ୟାଣ ମଣ୍ଡପରେ ବିଜେପିର ଏକ ବୈଠକ ବସିଥିଲା । ଯେଉଁଥିରେ ଅପରାଜିତା ଯୋଗ ଦେଇଥିଲେ । କିନ୍ତୁ ଏହି ବୈଠକରେ କେବଳ ଜିତୁ ମିତ୍ରଙ୍କୁ ଡକା ଯାଇଥିବା ବେଳେ ଖୋର୍ଦ୍ଧା ଆସନରୁ ଅନ୍ୟ ଜଣେ ବିଧାୟକ ଟିକେଟ ପାଇଁ ଆଶାୟୀ କାଳୁ ଖଣ୍ଡାୟିତରାୟଙ୍କୁ ଡକାଯାଇନଥିଲା । କେବଳ ଜିତୁ ମିତ୍ରଙ୍କ ସମର୍ଥକଙ୍କୁ ଡାକି ଏହି ସଭା ଆୟୋଜନ କରାଯାଇଥିଲା । ଏକଥା କାଳୁଙ୍କ କାନରେ ପଡିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ତାଙ୍କ ସମର୍ଥକ । ଆଉ ସେହିଠାରେ ଉଭୟ କାଳୁ ଓ ଜିତୁଙ୍କ ସମର୍ଥକଙ୍କ ମଧ୍ୟରେ ଜୋରସୋରରେ ପାଟି ତୁଣ୍ଡ ହେବା ସହ ଗୋଷ୍ଠୀ ବିବାଦ ପଦାକୁ ଆସିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନେତା କାଳୁଙ୍କ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ରହିଥିବା କୁହାଯାଉଛି । ଯେହେତୁ ଧର୍ମେନ୍ଦ୍ରଙ୍କ ବିନା ରାଜ୍ୟ ବିଜେପିର ପତ୍ର ହଲୁନାହିଁ ତେଣୁ ସେହି ନ୍ୟାୟରେ କାଳୁ ମଧ୍ୟ ନିଜକୁ ଖୋର୍ଦ୍ଧାରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବା ଆରମ୍ଭ କଲେଣି । ଆଉ ଏଭଳି ସ୍ଥିତିରେ ଯେତେବେଳେ ଖୋର୍ଦ୍ଧାରେ ଦଳର ବୈଠକ ହେଉଛି ସେତେବେଳେ କାଳୁଙ୍କୁ କାହିଁକି ଡକାଯାଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ତାଙ୍କ ସମର୍ଥକ । ସେହିଭଳି ଜିତୁ ମଧ୍ୟ ପୂର୍ବରୁ ବିଜେପି ଟିକେଟରେ ନିର୍ବାଚନ ଲଢିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଖୋର୍ଦ୍ଧା ଆସନରୁ ବିଧାୟକ ଟିକେଟ ପାଇଁ ଏହି ଦୁଇ ନେତା ଆଶାୟୀ ଅଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଉଭୟ ନେତା ଶକ୍ତି ପ୍ରଦର୍ଶନ କରିବାକୁ ଆଦୌ ପଛାଉନାହାନ୍ତି । ଯେଉଁଥିପାଇଁ ସାମାନ୍ୟ ପାଟିତୁଣ୍ଡରୁ ଆରମ୍ଭ ହୋଇଥିବା ଏହି ଝଗଡା ଉଗ୍ର ରୂପ ଧାରଣ କରିଥିଲା । ତେବେ ଅପରାଜିତା ଏହି ଘଟଣାରେ ମୁଣ୍ଡ ପୂରାଇବାରୁ ଶାନ୍ତ ହୋଇଥିଲେ ଉଭୟଙ୍କ ସମର୍ଥକ ।

ଆଉ ଏହାପରେ ରୁମରେ ପୁଣିଥରେ ବୈଠକ ଆରମ୍ଭ ହେବା ମାତ୍ରେ ଅପରାଜିତାଙ୍କ ରାଗ ଦେଖିଥିଲେ ଦଳୀୟ କର୍ମୀ ।  ଦଳ ଯାହାକୁ ପ୍ରାର୍ଥୀ କରିବ ତାହାକୁ ଜିତାଇବା ସମସ୍ତଙ୍କର କାମ ବୋଲି ଖୋଲାଖୋଲି କହିଥିଲେ । ଏପରିକି ଗୋଷ୍ଠୀବାଦରୁ ଦୂରେଇ ରହିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏକାଠି କାମ କର ନଚେତ ଦଳ ଛାଡି ଦିଅ ବୋଲି ସିଧାସିଧା କର୍ମୀ ମାନଙ୍କୁ କହିଥିଲେ ଅପରାଜିତା । ଆଉ ଅପରାଜିତାଙ୍କ ଏହି ବୟାନକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି  ।