କାହିଁକି ସାଧାରଣ ଭକ୍ତ ବେଶରେ ଭୋର ୫ଟାରୁ ପୁରୀ ଶ୍ରୀମନ୍ଦିର ଯାଇଥିଲେ ଆମିକସ କ୍ୟୁରି ! ଜାଣନ୍ତୁ ପୂରା ଘଟଣା

40

କନକ ବ୍ୟୁରୋ : ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଗସ୍ତ ସମୟରେ ଏକ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଶୁକ୍ରବାର ଭୋର ୫ଟା ପୂର୍ବରୁ ସାଧାରଣ ଭକ୍ତ ଭାବରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଗୋପାଳ ସୁବ୍ରମଣ୍ୟମ । ହେଲେ ଗର୍ଭଗୃହ ବନ୍ଦ ଥିଲା ଏବଂ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ନିର୍ଧାରିତ ସମୟରେ କାହିଁକି ଗର୍ଭଗୃହ ଖୋଲା ଯାଇନଥିଲା ସେନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୁରୁବାର ପୁରୀରେ ପହଂଚିବା ପରେ ଶୁକ୍ରବାର ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଂଚିଯାଇଥିଲେ । ମନ୍ଦିରରେ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସାଧାରଣ ଭକ୍ତ ବେଶରେ ପହଂଚିଥିଲେ । ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଜଗମୋଦନ ନିକଟରେ ପହଂଚି ଦେଖିଲେ ଭକ୍ତଙ୍କ ଲମ୍ବା ଧାଡି ଲାଗିଛି, ହେଲେ ଫିଟିନାହିଁ ଗର୍ଭଗୃହ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଦ୍ୱାର ଫଟିନଥିବାରୁ କୁଆଡେ ସେବାୟତଙ୍କ ଉପରେ ବିରକ୍ତ ହୋଇଥିଲେ ।

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଅନୁଧ୍ୟାନ କରିବାକୁ ଆସିଥିବା ଆମିକସ୍ କ୍ୟୁରିଙ୍କ ପ୍ରଥମ ଅନୁଭୂତି କିଛି ଏହିଭଳି ଥିଲା । ଅବଶ୍ୟ ଶ୍ରୀମନ୍ଦିର ନୀତି ସଂପର୍କରେ ତାଙ୍କୁ ସେବାୟତମାନେ ପରବର୍ତୀ ସମୟରେ ଅବଗତ କରାଇଥିଲେ । ପୂର୍ବରାତିର ନୀତି ଅନୁସାରେ ପରଦିନ ଦ୍ୱାରଫିଟା ହୋଇଥାଏ ବୋଲି ବୁଝାଇଥିଲେ । ତେବେ କାହାକୁ କିଛି ନଜଣାଇ ବିନା ସୁରକ୍ଷାରେ ଜଣେ ସାଧାରଣ ଭକ୍ତ ଭଳି ଶ୍ରୀମନ୍ଦିରକୁ ଯିବା ପଛରେ ଆମିକସ କ୍ୟୁରିଙ୍କର କି ଉଦ୍ଦେଶ୍ୟ ଥାଇପାରେ । କୁହାଯାଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେତେଦୂର ପାଳନ କରାଯାଉଛି ତାର ଏକ ପ୍ରତ୍ୟକ୍ଷ ଅନୁଭୂତି କରିବାକୁ ଚାହୁଁଥାଇ ପାରନ୍ତି ଆମିକସ କ୍ୟୁରି । ଯେଉଁଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଦାନ, ଦକ୍ଷିଣାକୁ ନେଇ ସେ ବିରକ୍ତି ପ୍ରକାଶ କରିଥିବା କୁହାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଶ୍ରୀମନ୍ଦିରରେ ସେବାୟତମାନେ ଜୋରଜବରଦସ୍ତ ଦାନ, ଦକ୍ଷିଣା ଆଦାୟ କରୁଥିବାରୁ ଏହାକୁ ସଂପୂର୍ଣ୍ଣ ରୋକିବା ପାଇଁ ୩ ସପ୍ତାହର ମହଲତ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆମିକସ କ୍ୟୁରି କହିଛନ୍ତି ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟାନ୍ୟ ମନ୍ଦିର ଓ ଘର ଶ୍ରୀମନ୍ଦିର ପ୍ରଶାସନର । ସେବାୟତଙ୍କର ଏଥିରେ ଅଧିକାର ନାହିଁ । ତେଣୁ ସେବାୟତମାନେ ଏଠାରେ ଦାନ, ଦକ୍ଷିଣା ଆଦାୟ କରିପାରିବେ ନାହିଁ । ଭକ୍ତ ଦାନଟଙ୍କା ଶ୍ରୀମନ୍ଦିର ହୁଣ୍ଡିରେ ଦେବେ । ଏବଂ ଏଥିପାଇଁ ଦେଖାଯିବା ଭଳି ସ୍ଥାନରେ ହୁଣ୍ଡି ରଖିବାକୁ ସେ ପରାମର୍ଶ ଦେଇଥିଲେ । ପୁରୀରେ ଦୁଇଦିନ ଧରି ରହଣୀ କାଳରେ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ଛତିଶା ନିଯୋଗ, ଶ୍ରୀମନ୍ଦିର ପ୍ରଶାସସନ ସହିତ ସମସ୍ତ ପକ୍ଷ ସହ ଆଲୋଚନା କରି ରବିବାର ଫେରିଯାଇଛନ୍ତି ଆମିକସ କ୍ୟୁରି । ଆଗାମୀ ୨୪ରେ ସୁପ୍ରିମକୋର୍ଟରେ ଶୁଣାଣୀ ବେଳେ ନିଜ ପକ୍ଷ ରଖିବେ । ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ମହଲତ ମାଗିବା ନେଇ ଅନୁମାନ କରାଯାଉଛି ।