କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ୩୦ ଦିନ ପୂରିଲା । ହେଲେ ହତ୍ୟାକାଣ୍ଡର କାରଣ ଏବେ ବି ରହସ୍ୟ ଘେରରେ । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ । ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହା ବ୍ୟକ୍ତିଗତ ଶତ୍ରୁତା ଥିଲା ନାଁ ସୁପାରି କିଲିଂ ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକା ନା ରାଜନୈତିକ ଲିଙ୍କ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହତ୍ୟାକାଣ୍ଡର କାରଣ ଖୋଜିବାକୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଦେଶର ପ୍ରମୁଖ ସଂସ୍ଥାକୁ ନିୟୋଜିତ କରି ସତ କାଢିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ ।

Advertisment

ଗୋପାଳ ଦାସକୁ ୧୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଛି । ଗୁଜରାଟରେ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ଏସସିବିର ମାନସିକ ଡାକ୍ତରଙ୍କ ଟିମ୍ ଓ ନିମହାନ୍ସର ଟିମ୍ ମଧ୍ୟ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଛନ୍ତି । ଏହା ପରେ ବି ହତ୍ୟାକାଣ୍ଡର କାରଣ ରହସ୍ୟରେ ରହିଛି । ଏହି ହତ୍ୟାକାଣ୍ଡକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, କ୍ରାଇମବ୍ରାଞ୍ଚ କେବଳ ଗୋପାଳ ପାଖରେ ଅଟକି ଯାଇ ଅନ୍ୟ ଦିଗ ଗୁଡ଼ିକୁ ଅଣଦେଖା କରୁଛି ।

୧ - ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା -- ଜାନୁଆରୀ ୨୯

ଜାନୁୟାରୀ ୨୯ ତାରିଖ ଦିନ ପ୍ରାୟ ୧୨ଟାରେ ବ୍ରଜରାଜନଗରରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲେ ଏସଆଇ ଗୋପାଳ ଦାସ । ନଗରପାଳ, ଉପନଗରପାଳ ଗ୍ରିଭାନ୍ସ ସେଲର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଥିଲେ ମନ୍ତ୍ରୀ । ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । କାର ଡୋର ଖୋଲି ବାହାରକୁ ବାହାରିବା ମାତ୍ରେ ନବ ଦାସଙ୍କୁ ଗୁଳି କରିଥିଲେ ଏସଆଇ ଗୋପାଳ ଦାସ । ଆଉ ସେଠାରେ ଖସିଯିବା ବେଳେ ନବଦାସଙ୍କ ସମର୍ଥକ ଓ ପୁଲିସ କର୍ମଚାରୀ ଗୋପାଳଙ୍କୁ କାବୁ କରିଥିଲେ ।

୨- ଆପୋଲୋରେ ମନ୍ତ୍ରୀ ନବ ଦାସ - ଜାନୁଆରୀ ୨୯

ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରୁସୁଗୁଡାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ଆପୋଲୋ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଚିିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ନବ ଦାସଙ୍କ ଦେହାନ୍ତ ହୋଇଥିଲା ।

୩ - ନବ ଦାସଙ୍କ ଶେଷ କୃତ୍ୟ – ଜାନୁଆରୀ ୩୦

ଭୁବନେଶ୍ୱରରୁ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର ଝାରସୁଗୁଡା ପହଞ୍ଚିବା ପରେ ସେଠାରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଶୋକକୂଳ ପରିବେଶ ଭିତରେ ଖେରୁଆଲରେ ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଥିଲେ । ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଝାରସୁଗଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ।

୪- କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ -- ଜାନୁୟାରୀ ୩୧

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଜାନୁୟାରୀ ୨୯ରେ କ୍ରାଇମବ୍ରାଞ୍ଚ ଟିମ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ରାତିରେ ଗୋପାଳକୁ ଜେରା କରିବା ସହ ତାର ହେଣ୍ଡ ସ୍ୱାବ ନେଇଥିଲା ତଦନ୍ତକାରୀ ଟିମ୍ । ଜାନୁୟାରୀ ୩୧ ତାରିଖରେ କ୍ରାଇମ ସ୍ପଟକୁ ଯାଇଁ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଫେବୟାରୀ ୧ରେ ଘଟଣାସ୍ଥଳରେ ପହଞ୍ଚି ସାଇନଟିଫିକ୍ ଟିମ ପ୍ରମାଣ ସଂଗ୍ରହ କରିଥିଲେ ।

୫- ଟାଙ୍କିରୁ ମିଳିଲା ଟୁକୁଡା କାଗଜ -- ଫେବୃଆରୀ ୨

ଗୋପାଳକୁ ଜେରା କରିବା ସମୟରେ ସେ ଗୁଳି କରିଥିବା ମାନିଥିଲା ବେଳେ କାହିଁକି ଗୁଳି କଲା ତାରା କାରଣ ବାବଦରେ କିଛି କହୁନଥିବା ସୂଚନା ମିଳିଥିଲା । ହେଲେ, ଏହା ଭିତରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ନାଟକୀୟ ଭାବେ ସାମନାକୁ ଆସିଥିଲା ରୋଚକ ତଥ୍ୟ । ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଜବତ ହୋଇଛି କେତେକ କାଗଜ ଟୁକୁଡା । ଗୋପାଳ ସେହି କାଗଜରେ ହତ୍ୟାକାଣ୍ଡର କାରଣ ଲେଖିଥିବା କୁହାଯାଇଥିଲା ।

୬- ସିନ ରିକ୍ରିଏସନ --- ଫେବୃଆରୀ -୭

ଫେବୃୟାରୀ ୭ତାରିଖରେ ଗୋପାଳଙ୍କୁ କଡା ସୁରକ୍ଷାରେ ଗୋପାଳକୁ ସାଙ୍ଗରେ ନେଇ ବ୍ରଜରାଜନଗର କ୍ରାଇମ୍ ସ୍ପଟରେ ପହଁଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲିସ୍ର କଡା ସୁରକ୍ଷା ଭିତରେ ଘଟଣାସ୍ଥଳରେ ପହଁଚି କେମିତି ଗୁଳି ଚଳାଇଥିଲା ସେନେଇ ଡେମୋ ଦେଖାଇଥିଲା ଗୋପାଳ ।

୭- ବିମାନ ବନ୍ଦରରେ ଗୋପାଳର ହସ – ଫେବୃଆରୀ -୮

ଗୋପାଳ ତଦନ୍ତ ବେଳେ ସତ କହୁଛି ନା ମିଛ ତାହା ଜାଣିବା ପାଇଁ ୫ ଦିନିଆ ରିମାଣ୍ଡ ଅବଧିରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବା ପାଇଁ ଗୁଜୁରାଟ ନେଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । କୋର୍ଟଙ୍କ ଅନୁମତି ପରେ ଗୁଜୁରାଟ ନେବା ବେଳେ ଝାରସୁଗୁଡା ବିମାନ ବନ୍ଦରରେ ଗୋପାଳ ଦାସର ହସ କ୍ୟାମେରାରେ କଏଦ ହୋଇଥିଲା । ବାଇପୋଲାର ଡିସଅର୍ଡରେ ପୀଡିତ ଗୋପାଳର ହସକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।

୮- ଗୁଜରାଟରୁ ଫେରିଲା ଗୋପାଳ – ଫେବୃଆରୀ-୧୨

ଗୁଜୁରାଟରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରିବା ପରେ ଫେବୃୟାରୀ ୧୨ରେ ଗୋପାଳକୁ ଗୁଜୁରାଟରୁ ଓଡିଶାକୁ ଫେରାଇ ଆଣିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଗୁଜରାଟରୁ ବିମାନରୁ ରାୟପୁରକୁ ଅଣାଯାଇ, ରାୟପୁରରୁ ସଡକ ପଥରେ ଗୋପାଳକୁ ଝାରୁସୁଗୁଡା ଆଣିଥିଲେ ତଦନ୍ତକାରୀ ଅଧିକାରୀ । ଏହାପରେ ଫେବୃୟାରୀ ୧୩ ତାରିଖରେ କୋର୍ଟରେ ହାଜର କରି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଗୋପାଳର ବୟାନ ରେକର୍ଡ କରିବା ଝାରସୁଗୁଡାର ଉପକାରାଗାରୁ ପଠାଇ ଦିଆଯାଇଥିଲା ।

୯- ଚୌଦ୍ୱାର ଜେଲରେ ଗୋପାଳ – ଫେବୃଆରୀ -୧୪

ସୁରକ୍ଷା ଦୃଷ୍ଟିରୁ ଫେବୃୟାରୀ ୧୪ରେ ଗୋପାଳ ଦାସକୁ ଝାରସୁଗୁଡା ସବଜେଲରୁ ଚୌଦ୍ୱାରର ସର୍କଲ ଜେଲକୁ ଆଣାଯାଇଥିଲା । ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବଜେଲରୁ ଗୋପାଳକୁ ସ୍ଥାନାନ୍ତର କରି ଚୌଦ୍ୱାର ଜେଲ୍ର ସେଲ ନମ୍ବର ୩ରେ ରଖାଯାଇଛି ।

୧୦- ଗୋପାଳର ପୁରସ୍କାର – ଫେବୃଆରୀ -୨୮

ବିଧାନସଭରେ ଗୋପାଳ ଦାସ ଚାକିରୀ କାଳରେ ପାଇଥିବା ପୁରସ୍କାର ଓ ପଦୋନ୍ନତି ବାବଦରେ ଗୃହରାଷ୍ଟ୍ର ମନ୍ତ୍ରୀ ବିବୃତି ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ କହିଥିଲେ ଗୋପାଳ ଦାସକୁ ଚାକିରୀ କାଳ ଭିତରେ ଥରେ ପଦୋନ୍ନତି ଓ ୧୮ ଥର ପୁରସ୍କାର ଦିଆଯାଇଛି । ଗୋପାଳଙ୍କୁ ୧୮ ଥର ଜି.ଏସ୍ ମାର୍କ, ୯ ଥର ମନି ରିୱାର୍ଡ ଏବଂ ୧୮ ଥର ପ୍ରଶଂସା ପତ୍ର ମିଳିଛି । ଅର୍ଥାତ ଥରେ ପଦୋନ୍ନତି ଓ ୪୫ ଥର ପୁରସ୍କୃତ ହୋଇଛି ଗୋପାଳ ।