କନକ ବ୍ୟୁରୋ: ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କ ଫିଲ୍ମ ଆରଆରଆର ରିଲିଜକୁ ବହୁ ସମୟ ଅପେକ୍ଷା କରାଯାଇଥିଲା । ଏହି ଫିଲ୍ମଟି ମାର୍ଚ୍ଚ ୨୫ ତାରିଖରେ ରିଲିଜ୍ ହେବା ପରେ ବକ୍ସ ଅଫିସରେ ରେକର୍ଡ କରିଛି । ପ୍ରଥମ ଦିନରେ ଫିଲ୍ମଟି ୨୨୩ କୋଟି ଟଙ୍କା ସଂଗ୍ରହ କରିଛି । ଏବେ ଯାଏଁ ୫୦୦ କୋଟିକୁ ଟପିଗଲାଣି ଏହାର ଆୟ ।
ଫିଲ୍ମର ସାଉଥ୍ ଭର୍ସନକୁ ଦର୍ଶକ ପସନ୍ଦ କରିବା ସହ ଏହାର ହିନ୍ଦୀ ଭର୍ସନକୁ ମଧ୍ୟ ବହୁତ ଭଲ ପାଇବା ମିଳିଛି । ତେଣୁ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ଏହା ଜାଣିବା ପାଇଁ ପ୍ରବଳ ଆଗ୍ରହ ରହିଛି ଯେ, ଏହି ଫିଲ୍ମରେ ରାମଚରଣ ଓ ଜୁନିଅର ଏନଟିଆରଙ୍କ ଭଏସ୍ କିଏ ଦେଇଛନି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଫିଲ୍ମର ହିନ୍ଦୀ ଭର୍ସନ ପାଇଁ ଅନ୍ୟ କୌଣସି କଳାକାର ନୁହଁନ୍ତି ବରଂ ରାମଚରଣ ଓ ଜୁନିଅର ଏନଟିଆର ହିଁ ନିଜ ନିଜ ଭୂମିକାରେ ଡବିଙ୍ଗ କରିଛନ୍ତି ।
କିଛି ସମୟ ପୂର୍ବରୁ ରାଜମୌଲି, ଜୁନିଅର୍ ଏନଟିଆର , ଆଲିଆ ଓ ରାମଚରଣ ନିଜ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ । ସେତେବେଳେ ଆଲିଆ କହିଥିଲେ ଆରଆରଆର ର ହିନ୍ଦୀ ଭର୍ସନରେ ଅନ୍ୟ କୌଣସି ଡବିଂ ଆର୍ଟିଷ୍ଟ ନୁହଁନ୍ତି ବରଂ ରାମଚରଣ ଓ ଜୁନିୟର ଏନଟିଆର ନିଜ ଭଏସ୍ ଦେଇଛନ୍ତି । ଆଲିଆ ଙ୍କ କଥା ଶୁଣିବା ପରେ ଅର୍ଚ୍ଚନା ପୁରନସିଂହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ପଚାରିଥିଲେ ଯେ, ସାଉଥ ଷ୍ଟାରଙ୍କ ଏତେ ଭଲ ହିନ୍ଦୀ ଫ୍ଲୁଏନ୍ସି କିପରି? ଏହାର ଜବାବରେ ଏନଟିଆର କହିଥିଲେ ଯେ, ‘ହାଇଦ୍ରାବାଦ ହେଉଛି ପ୍ରକୃତରେ ହିନ୍ଦୀ ଭାଷାର ସହର । ଆହୁରି ମଧ୍ୟ ମୋ ସ୍କୁଲ ସମୟରେ ମୋର ପ୍ରଥମ ଭାଷା ହିନ୍ଦୀ ଥିଲା କାରଣ, ମୋ ମା’ ଚାହୁଁଥିଲେ ମୁଁ ଏହି ହିନ୍ଦୀ ଭାଷାକୁ ଭଲ ଭାବେ ଶିଖେ ବୋଲି’ ।