ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଥିବା ବ୍ୟାଗ କାହାର? ପରିବାର ସଦସ୍ୟ କହିଲେ, ବ୍ୟାଗ ନୁହେଁ ମମିତାଙ୍କର 

150

କନକ ବ୍ୟୁରୋ: ମମିତା ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମଙ୍କ ଘରୁ ମିଳିଥିବା ବ୍ୟାଗରେ ଥିଲା ସ୍ମାର୍ଟ ଫୋନ୍, ଚାର୍ଜର, ଜିନ୍ସ ପ୍ୟାଂଟ, ଟିସର୍ଟ । ରାଧେଙ୍କ ପତ୍ନୀଙ୍କ ଠାରୁ ବ୍ୟାଗ ପାଇବା ପରେ ପୁଲିସ ପରିବାର ଲୋକଙ୍କୁ ଚିହ୍ନଟ ପାଇଁ ବଲାଙ୍ଗିର ଏସପି ଅଫିସକୁ ଡାକଥିଲା । ଚର୍ଚ୍ଚା ହେଉଥିଲା ଯଦି ତାହା ମମିତାଙ୍କ ମୋବାଇଲ୍ ହୋଇଥାଏ, ତେବେ ବହୁ ବଡ଼ ବଡ଼ିଆଙ୍କ ପାପ ପେଡ଼ି ଖୋଲିବାକୁ ସମର୍ଥ ହେବ । କିନ୍ତୁ ପୁଲିସ କେବଳ ପରିବାର ଲୋକଙ୍କୁ ବ୍ୟାଗ ଦେଖାଇଥିଲା, ଓ ପରିବାର ଲୋକେ ସେହି ବ୍ୟାଗକୁ ମମିତାଙ୍କ ନୁହେଁ ବୋଲି କହିଥିବା ସୂଚନା ମିଳିଛି । ତେଣୁ ଅନୁମାନ କରାଯାଉଛି, ମମିତା ତାଙ୍କ ସାଙ୍ଗର ଜନ୍ମଦିନ ପାଇଁ ସେସବୁ ସାମଗ୍ରୀ କିଣିଥାଇପାରନ୍ତି ।

ପିଟୁସି: ମମିତାଙ୍କ ପରିବାରକୁ ରାଧେଙ୍କ ଘରୁ ମିଳିଥିବା ମୋବାଇଲ ଚିହ୍ନଟ ପାଇଁ ବଲାଙ୍ଗିର ଏସପି ଅଫିସକୁ ଡକାଯାଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ପୁଲିସ ପରିବାର ଲୋକଙ୍କୁ ମୋବାଇଲ ବାବଦରେ କିଛି କହିନଥିବା ସୂଚନା ମିଳିଛି । ଯାହା ପୁଲିସର ତଦନ୍ତ ପ୍ରକ୍ରିୟାକୁ ସନ୍ଦେହରେ ପକାଇଛି । ମୋବାଇଲ ବାବଦରେ କାହିଁକି ଚୁପ୍ ରହିଛି ଜିଲ୍ଲା ପୁଲିସ?

ସେପଟେ ମମିତା ମେହେର ହତ୍ୟାର ତନାଘନା ଆରମ୍ଭ କରିଛନ୍ତି ରାଜ୍ୟ ମହିଳା କମିସନ । ମୃତଦେହ ଉଦ୍ଧାର ହୋଇଥିବା ମହାଲିଙ୍ଗ ଷ୍ଟାଡ଼ିୟମକୁ ଯାଇ ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ଓ ୪ ଜଣିଆ ଟିମ୍ । ମହାଲିଙ୍ଗ ଯିବା ଆଗରୁ ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଏପରିକି ପୋଲିସର ତଦନ୍ତ ଠିକ୍ ଦିଗରେ ଯାଉଛି ନା ନାହିଁ ଏବଂ ପରିବାର ଲୋକ ଏଥିରେ କେତେ ସନ୍ତୁଷ୍ଟ ସେନେଇ ପଚାରି ବୁଝିଛନ୍ତି ।

ଏତେ ଦିନ ପରେ ମହିଳା କମିଶନ କ୍ରିୟାଶୀଳ ହେବା ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଉଛି । ରାଜନୈତିକ ସ୍ତରରେ ପଡୁଥିବା ଚାପ ଏବଂ ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କରଙ୍କୁ ହଟାଇବାକୁ ହେଉଥିବା ଦାବି ପରିପ୍ରେକ୍ଷୀରେ ଏହି ତନାଘନାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । କୁହାଯାଉଛି, ମହିଳା କମିଶନଙ୍କ ରିପୋର୍ଟ ଉପରେ ନିର୍ଭର କରୁଛି କ୍ୟାପଟେନଙ୍କ ଭାଗ୍ୟ ।

ଗୋଟିଏ ବ୍ୟବସ୍ଥା ଯେତେବେଳେ ଫେଲ୍ ମାରିଗଲା ସେତେବେଳେ ଗୋବିନ୍ଦ ସାହୁ ଭଳି ଅପରାଧୀ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା ଆଉ ଏହାର ପୃଷ୍ଠପୋଷକ ସାଜିଥିଲେ କ୍ଷମତାଶାଳୀ ଗୋଷ୍ଠୀ । ଏବେ ବ୍ୟବସ୍ଥାର ଆଉ ଏକ ଦିଗ, ଅର୍ଥାତ୍ ପୁଲିସ ଓ ମହିଳା କମିଶନଙ୍କ ଉପରେ ସମସ୍ତଙ୍କର ନଜର ରହିଛି, ଯେଉଁମାନଙ୍କ ଉପରେ ମମିତାଙ୍କୁ ନ୍ୟାୟ ଦେବା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବଡବଡିଆଙ୍କୁ ଖସାଯାଉଛି ନା ଆଇନ ପ୍ରକ୍ରିୟାରେ ପକାଯାଉଛି, ତାଉପରେ ନିର୍ଭର କରିବ କେତେ ସ୍ୱଛତାର ସହ ପୁରା ପ୍ରକ୍ରିୟା ଆଗେଇଥିଲା ।