ଛୁଆ କାହାର? ଦୁଇ ମାଆଙ୍କ ମଧ୍ୟରେ ବିବାଦ

165

କନକ ବ୍ୟୁରୋ: ପିଲା ଚୋରୀ ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ପାଲୁରୁ ଅଞ୍ଚଳର ସୁନିତା ବେହେରା । ସେହି ଅଭିଯୋଗ ଆଧାରରେ ତଦନ୍ତ କରି ଗଜପତିନଗରରେ ରହୁଥିବା ଗୀତା ଦାସଙ୍କ ଘରୁ ଛୁଆଟିକୁ ଉଦ୍ଧାର କରିଛି ପୁଲିସ । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପିଲା ଚୋରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୀତା ଦାସ । ଗୀତା କହିଛନ୍ତି, ୨୦୧୮ରେ ପିଲାଟିକୁ ରାସ୍ତା କଡରେ ଏକ ଲଟାବୁଦାରେ ଫୋପାଡି ଦେଉଥିଲେ ସୁନିତା । ଗୀତାଙ୍କ ସ୍ୱାମୀ ସନ୍ତୋଷ ଦାସ ଛୁଆଟିକୁ ଘରକୁ ଆଣିଥିଲେ । ତେବେ ଏହାରି ଭିତରେ ସନ୍ତୋଷଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସେ ପିଲାଟିର ଲାଳନପାଳନ କରୁଛନ୍ତି ।

ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ଗୀତା ଦୀର୍ଘ ୫ବର୍ଷ ହେଲା ପିଲାର ଲାଳନପାଳନ କରିଆସୁଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଛୁଆ ସମେତ ଉଭୟ ମାଆଙ୍କୁ ସିଡବ୍ଲୁସି ଓ କୋର୍ଟରେ ହାଜର କରିବା ପରେ ୫ ବର୍ଷର ଶିଶୁକୁ ବାଳାଶ୍ରମରେ ଛାଡି ଦେଇଛି ପୁଲିସ । ତଦନ୍ତରେ ଆବଶ୍ୟକ ପଡିଲେ ଡିଏନଏ ଟେଷ୍ଟ କରାଯିବା ସହ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି କହିଛନ୍ତି ।

ତଦନ୍ତ ଶେଷ ହୋଇ କୋର୍ଟଙ୍କ ନିଷ୍ପତି ନଆସିବା ଯାଏଁ ଛୁଆଟି ବାଳାଶ୍ରମରେ ରହିବ । ତେବେ ନିଷ୍ପତି କାହା ସପକ୍ଷରେ ଆସିବ, ଛୁଆ କାହାର ହେବ ଯୋଶଦାଙ୍କର ନା ଦେବକୀଙ୍କର ତାହା ଉପରେ ସମସ୍ତଙ୍କ ନଜର ।