ଏଥର ଆସିକା ଆସନ କାହାର? ବିଜେଡି, ବିଜେପି ଓ କଂଗ୍ରେସର ସମରସଜ୍ଜା

356

କନକ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ଆସିକା ନିର୍ବାଚନ ମଣ୍ଡଳି ନିର୍ବାଚନ । ମତଦାନ ତାରିଖ ଯେତେ ପାଖଉୁଛି ସେତେ ସରଗରମ୍ ହେଉଛି ରାଜନୈତିକ ମାହୋଲ୍ । ବିଭିନ୍ନ ଦଳର ପ୍ରାର୍ଥି ଏବେ ଗାଁ ମୁହାଁ । ନିଜ ସମର୍ଥକଙ୍କୁ ଧରି ଘରକୁ ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି । ସଭା ସମିତି କରି ଶକ୍ତି ଗୋଟାଇବାରେ ଲାଗିଛନ୍ତି । ଆଉ ଏହାରି ଭିତରେ ଲୋକଙ୍କ ମଧ୍ୟରେ ଚର୍ଚା ଚାଲିଛି, କିଏ ହାତେଇବ ଆସିକା ଆସନ ।

ଗଂଜାମ ଜିଲ୍ଲାର ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳି । ୨୦୧୪, ୧୯ରେ ବିଜେଡି କବଜାକୁ ଯାଇଥିବା ଏହି ଆସନ ପାଇଁ ଆସନ୍ତା ୨୦ରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ଏହି ସମୟ ଅବଧି ମଧ୍ୟରେ ପ୍ରତି ଭୋଟରଙ୍କ ପାଖରେ ପହଂଚିବା ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ପ୍ରର୍ଥଙ୍କ ପ୍ରାଣମୁର୍ଛା ଉଦ୍ୟମ । ବିଜେଡି ବିଧାୟିକା ମଂଜୁଳା ସ୍ୱାଇଁକୁ ପ୍ରାର୍ଥୀ କରିଥିବା ବେଳେ ୨୦୦୪ରେ ସ୍ୱାଧୀନ ଭାବେ ବିଜୟ ହୋଇଥିବା ସରୋଜ ପାଢୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପି-ବିଜେଡିକୁ ମାତ ଦେବା ପାଇଁ କଂଗ୍ରେସ ଏଠାରେ ନୁଆଁ ଚେହେରା ଭାବେ ସୁରଭି ବିଷୋୟିଙ୍କୁ ଟିକେଟ ଦେଇଛି ।

ଆସିକା ବ୍ଲକର ୨୭ ପଂଚାୟତ ଓ କବିସୂଯ୍ୟନଗର ବ୍ଲକର ୧୨ଟି ପଂଚାୟତକୁ ନେଇ ଗଠିତ ଆସିକା ନିର୍ବାଚନ ମଣ୍ଡଳି । ପୂର୍ବ ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ପଲ୍ଲା ଭାରି ରହିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ୍ କରିଥିଲା । ବିଜେଡି ପ୍ରାର୍ଥୀ ମଂଜୁଳା ସ୍ୱାଇଁ ୬୬, ୮୭୨ ଖଣ୍ଡ ଭୋଟ ସହ ବିଜୟୀ ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ରହିଥିଲେ ବିଜେପି ପ୍ରାର୍ଥୀ ଦେବରାଜ ମାହାନ୍ତି । ତେବେ ଏଥର ବିଜେଡି ପ୍ରାର୍ଥୀ ରିପିଟ୍ କରିଥିବା ବେଳେ ବିଜେପି ପ୍ରାର୍ଥୀ ବଦଳାଇଛି ।

ଏଥର ତ୍ରିମୁଖି ଲଢେଇ ହେବାର ଆଶଙ୍କା ରହିଛି । ବିଜେଡି ନବୀନ ସରକାରଙ୍କ ବିକାଶର କଥା କହୁଥିବା ବେଳେ ମୋଦି ଗ୍ୟାରେଂଟି କହି ଭୋଟରଙ୍କୁ ବୁଝାଉଛନ୍ତି ବିଜେପି ପ୍ରାର୍ଥୀ । କଂଗ୍ରେସ ବି ସମାନ ଢଙ୍ଗରେ ପ୍ରଚାର ଚଲାଇଛି ।