ସରକାର ଦେଉଛନ୍ତି ୩୫ କେଜି, ହିତାଧିକାରୀ ପାଉଛନ୍ତି ୧୫ରୁ ୨୦ କେଜି । କାହା ପେଟକୁ ଯାଉଛି ବଳକା ଚାଉଳ?

739

କନକ ବ୍ୟୁରୋ: ଆଦିମ ଅଧିବାସୀ କୁଟିଆ କନ୍ଧଙ୍କ ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହେଁ ଶହ ଶହ ହିତାଧିକାରୀଙ୍କ କ୍ୱିଂଟାଲ କ୍ୱିଂଟାଲ ଚାଉଳ ବାଟମାରଣା କରୁଛନ୍ତି ଯୋଗାଣ ବିଭାଗ ଅଧିକାରୀ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏପରି ସାଂଘାତିକ ଘଟଣା ପଦାକୁ ଆସିବା ପରେ ପଂଚାୟତର ଯୋଗାଣ ସହାୟକ ଫେରାର ହୋଇଯାଇଛନ୍ତି ।

କୁଟିଆ କନ୍ଧଙ୍କ ସରକାରୀ ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଅନ୍ତୋଦୟ ଅନ୍ନ ଯୋଜନାରେ ଆଦିମ ଅଧିବାସୀ କୁଟିଆ କନ୍ଧଙ୍କୁ ମାସକୁ ୩୫ କିଲୋଗ୍ରାମର ଚାଉଳ ଦେଉଛନ୍ତି ସରକାର । କିନ୍ତୁ ସୂଚନା ଅଧିକାର ଆଇନ ତଥ୍ୟ କହୁଛି, ହିତାଧିକାରୀ ପାଉଛନ୍ତି ମାତ୍ର ୧୫ରୁ ୨୦ କିଲୋ ଚାଉଳ । ବାକି ଚାଉଳ ବିଭାଗୀୟ ଅଧିକାରୀ ବାଟମାରଣା କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଂଚାୟତରୁ ।

ଜଣେ କି ଦୁଇ ଜଣ ନୁହେଁ ଶତାଧିକ ପିଏଚଏଚ ଅର୍ଥାତ୍ ପ୍ରାୟରିଟି ହାଉସ୍ ହୋଲ୍ଡ ହିତାଧିକାରୀଙ୍କ କୁଇଂଟାଲ କୁଇଂଟାଲ ଚାଉଳ ବର୍ଷ ବର୍ଷ ଧରି ଏହିପରି ବାଟମାରଣା ହେଉଛି । ଆଉ ବାଟମାରଣା କରିଛନ୍ତି ଯୋଗାଣ ଅଧିକାରୀ । ସୂଚନା ଅଧିକାର ଆଇନ ବଳରେ ଏହି ମହାଦୁର୍ନୀତିର ତଥ୍ୟ ସାମ୍ନାକୁ ଆସିବା ପରେ ଫେରାର ପଂଚାୟତ ଯୋଗାଣ ସହାୟକ । ଅନ୍ୟପକ୍ଷରେ ଏହି ମହାଦୁର୍ନୀତି ନେଇ ମୁହଁ ଖୋଲୁନାହାନ୍ତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ଅଧିକାରୀ ।