ଶ୍ରୀଜୀଉଙ୍କୁ ସାଢ଼େ ୪ କେଜିରୁ ଅଧିକ ସୁନା କିଏ କଲେ ଦାନ? ଦାତାଙ୍କୁ ନେଇ ବଢିଲା ଚର୍ଚ୍ଚା, ଜାଣନ୍ତୁ ସୁନା ପଛର ରହସ୍ୟ…

691

କନକ ବ୍ୟୁରୋ: ପବିତ୍ର ବସନ୍ତ ପଂଚମୀରେ ଶ୍ରୀଜୀଉଙ୍କୁ ସୁନା ଦାନ କରିଥିବା ଭକ୍ତଙ୍କୁ ନେଇ ବଢିଲା ଚର୍ଚ୍ଚା । କିଏ ସେହି ଭକ୍ତ, ଯିଏ ପ୍ରାୟ ୫ କେଜିର ସୁନା ଗହଣା ମହାପ୍ରଭୁଙ୍କ ପାଇଁ ଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜଣେ ଭକ୍ତ, ବସନ୍ତ ପଂଚମୀ ତଥା ରଥକାଠ ଅନୁକୂଳ ଅବସରରେ ସୁନା ଗହଣା ଦାନ କରିଛନ୍ତି । ଏହି ଗହଣାରେ ମୋଟ୍ ୪ କେଜି ୮୫୮ ଗ୍ରାମର ସୁନା ଓ ୩ କେଜି ୮୭୬ ଗ୍ରାମର ରୁପା ବ୍ୟବହାର ହୋଇଛି । ଯେଉଁ ପେଟିରେ ଏହି ଗହଣା ଭର୍ତି କରି ଅଣାଯାଇଥିଲା, ସେଥିରେ ଲେଖାଅଛି, ରିଲାଏନ୍ସ ଜୁଏଲାରୀ, ଜନପଥ ଭୁବନେଶ୍ୱର । ଚର୍ଚ୍ଚା ହେଉଛି, ମୁମ୍ବାଇର ଜଣେ ବିଶିଷ୍ଟ ଶିଳ୍ପପତି ଏହି ସୁନା ଦାନ କରିଛନ୍ତି ।

ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ନାମକୁ ଗୋପନ ରଖାଯାଇଛି । କିନ୍ତୁ ଏକଥା ଚର୍ଚ୍ଚା ହେଉଛି ଯେ, ଏହି ବିଶିଷ୍ଟ ଶିଳ୍ପପତି ପ୍ରଥମେ ଶ୍ରୀମନ୍ଦିରକୁ ସୁନା ଦାନ କରିବାକୁ ଚାହୁଁଥିଲେ, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ, ଆଉ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୁନା ଗହଣା ଦେବା ପାଇଁ କୁହାଯାଇଥିଲା । ଯାହା ବିଭିନ୍ନ ବେଶ ସମୟରେ ଶ୍ରୀଜିଉଙ୍କ ଠାରେ ଲାଗି ହୋଇପାରିବ ।

ତେବେ ଏହି ଅଳଙ୍କାର ଭିତରେ ଅଛି ବଡଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ସେହିପରି ମାଆ ସୁଭଦ୍ରାଙ୍କ ପାଇଁ ୨ଟି ତଡକି ଓ ୨ଟି ଝୋବା । ଶ୍ରୀମନ୍ଦିର ପ୍ର୍ରଶାସନ ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଭକ୍ତଙ୍କ ପ୍ରତିନିଧି ଏହି ଦାନ କରିଛନ୍ତି । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ସୁନା ଅଳଙ୍କାର ସବୁ ବ୍ୟବହାର ହେବ ବୋଲି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।