ରାତି ପାହିଲେ ନାମାଙ୍କନ କିନ୍ତୁ ଏଯାଏଁ ଛିଣ୍ଡୁନି ଟିକେଟ୍ ଅଙ୍କ । ଚୂଡ଼ାନ୍ତ ତାଲିକା ନେଇ ତିନି ପ୍ରମୁଖ ଦଳରେ ଛକାପଞ୍ଝା ।

301

କନକ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହୋଇଯିବ ପ୍ରଥମ ପର୍ଯାୟ ନିର୍ବାଚନ ପାଇଁ ନାମାଙ୍କନ, ହେଲେ ଏଯାଏଁ ରାଜନୈତିକ ଦଳଗୁଡ଼ିକର ହିସାବ ଛିଣ୍ଡୁନି । ବିଜେଡି ଟିକେଟ୍ ଲବି ପାଇଁ ନବୀନ ନିବାସରେ ଯେତିକି ଭିଡ ବଢ଼ୁଛି, ତାଠୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଧିରେ ଧିରେ ଲମ୍ବିବାରେ ଲାଗିଛି । କିନ୍ତୁ ଚୁଡ଼ାନ୍ତ ତାଲିକା ନେଇ ଯଦି କିଛି ସାମ୍ନାକୁ ଆସୁଛି, ତାହା କେବଳ ଆକଳନ ଏବଂ ସଂଭାବନା । ଆଉ ଏସବୁ ଭିତରେ ପ୍ରଥମ ପର୍ଯାୟ ନିର୍ବାଚନର ପ୍ରାର୍ଥୀ ତାଲିକାକୁ ନେଇ ତିନି ପ୍ରମୁଖ ଦଳରେ ଆଶାୟୀମାନେ ଚାତକ ଭଳି ଅପେକ୍ଷା କରି ରହିଛନ୍ତି ।

ଯେଉଁ ତତ୍ପରତା ଏବଂ ଆଶା-ଆଶଙ୍କା ବିଜେଡି ଶିବିରରେ ରହିଛି, ଉଣାଅଧିକେ ସମାନ ସ୍ଥିତି ବିରୋଧୀ ଶିବିରରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରାର୍ଥୀ ଘୋଷଣା  ନେଇ ସବୁଠୁ ପ୍ରଥମେ କସରତ ଆରମ୍ଭ କରିଥିବା କଂଗ୍ରେସର ବି ଚୁଡାନ୍ତ ତାଲିକା ଏଯାଏଁ ପ୍ରକାଶ ପାଇନି । ପିସିସି ସ୍କ୍ରିନିଂ କମିଟି ତାଲିକା ପ୍ରସ୍ତୁତ କରି ଦିଲ୍ଲୀକୁ ପଠାଇ ସାରିଥିବା ବେଳେ ଅପେକ୍ଷା କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ନିଷ୍ପତିକୁ ।

ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ସଜବାଜ ଆରମ୍ଭ କରିଦେଇଥିବା ବେଳେ ଏପଟେ ଟିକେଟ ନେଇ ଛିଣ୍ଡି ପାରୁନି ଭାଗବଂଟା । ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୟନକୁ ନେଇ ଏବେବି ଜାରି ରହିଛି ଛକାପଞ୍ଝା । ବିଜେଡିର ଆଶାଠୁ ଅଧିକ ପ୍ରାର୍ଥୀଙ୍କ ଟିକେଟ୍ ଆଶାୟୀ ଥିବା ବେଳେ ବିଜେଡିର ପ୍ରାର୍ଥୀଙ୍କୁ ଦେଖି ଉଭୟ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏବଂ ଚୁଡ଼ାନ୍ତ ତାଲିକା ନେଇ ଯଦି କିଛି ସାମ୍ନାକୁ ଆସୁଛି, ତାହା କେବଳ ଆକଳନ ଏବଂ ସଂଭାବନାରେ ହିଁ ସୀମିତ ରହୁଛି ।

କିଏ କେଉଁଠି ପ୍ରାର୍ଥୀ ହୋଇପାରନ୍ତି, କାହାକୁ କେଉଁ ଆସନ ମିଳିପାରେ । ହେଲେ ଚୁଡାନ୍ତ ତାଲିକାର ଅଙ୍କ ଏଯାଏଁ ଛୁଣ୍ଡିନି । ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଯେତିକି ବିଳମ୍ବ ହେଉଛି, ଟିକେଟ୍ ଆଶାୟୀଙ୍କ ଛାତିରେ ସେତିକି ଛନକା ପଶୁଛି । କାହିଁକି ନା’ ଆଶାୟୀଙ୍କ ନାଁ ଚୁଡାନ୍ତ ତାଲିକାରେ ରହୁଛି ନା ନାହିଁ ତାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି ।