କାହାକୁ ନେତା ବାଛିଲେ ଜନତା? କାଲି ହୋଇଯିବ ହିସାବ ନିକାଶ । କାଉଣ୍ଟଡାଉନ ଆରମ୍ଭ, ନେତାଙ୍କ ଛାତି ଧଡ଼ଧଡ଼

355

କନକ ବ୍ୟୁରୋ: ସାରା ଦେଶର ନଜର ଅଟକିରହିଥିବା ସେହି ଗୁରୁତ୍ୱପୂର୍ଣ୍ଣ ଖବରରୁ । କାଉଁଟିଂ ପାଇଁ ଆରମ୍ଭ ହୋଇଯାଇଛି କାଉଁଟ୍ଡାଉନ୍ । ଆଉ କିଛି ସମୟର ଅପେକ୍ଷା । ଯେତେବେଳେ ହେବ ଗଣତି, ଆଉ ଜଣାପଡିବ, କାହା ଉପରେ ଆଶୀର୍ବାଦ ଓଜାଡ଼ି ଦେଇଛନ୍ତି ଭୋଟର । ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ନେତା କିଏ ହେବ ତାହା ନିର୍ଦ୍ଧାରଣ ହେବ । ପାଖାପାଖି ଦେଢ଼ ଶହ କୋଟି ଜନତାଙ୍କ ନଜର ରହିଛି ଫଳାଫଳ ଉପରେ । ସୁରକ୍ଷା ବଳୟ ଭିତରେ ରହିଛି ଇଭିଏମ ଷ୍ଟ୍ରଙ୍ଗରୁମ୍ । ଆଉ, ଗଣତି କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି । ସିସିଟିଭି ଲାଗିଛି, ସୁରକ୍ଷାକର୍ମୀ ଜଗିରହିଛନ୍ତି । ଗଣତି କେନ୍ଦ୍ର ଭିତରେ ଇଭିଏମ୍ ଏବଂ ଭିଭିପାଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସକାଳ ୮ଟାରୁ ଗଣତି ହେବ ।

କିଏ ସରକାର ଗଢ଼ିବ, କିଏ ବିରୋଧୀ ଭୂମିକାରେ ରହିବ, ସବୁକିଛିର ଫଇସଲା ହୋଇଯିବ ଆସନ୍ତାକାଲି । ଏପ୍ରିଲ ୧୯ରୁ ଜୁନ ୧, ମୋଟ ୪୪ ଦିନରେ ୭ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଆଉ ଦୁଇ ଦିନର ବିଶ୍ରାମ ପରେ କାଲି ଅର୍ଥାତ ଜୁନ ୪ ତାରିଖରେ ଭୋଟ ଗଣତି । ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ନେତା କିଏ ହେବ ତାହା ନିର୍ଦ୍ଧାରଣ ହେବ । ପାଖାପାଖି ଦେଢ଼ ଶହ କୋଟି ଜନତାଙ୍କ ନଜର ରହିଛି ଫଳାଫଳ ଉପରେ । କେବଳ ଭାରତ ନୁହେଁ ସାରା ବିଶ୍ୱର ନଜର ରହିଛି ଏହି ନିର୍ବାଚନ ଉପରେ ।

ତୃତୀୟ ଥର ପାଇଁ ଚାଲିବ କି ମୋଦୀଙ୍କ ରାଜ୍?
ରାଜ୍ୟରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ କି ନବୀନ?
ନା’ ଅଙ୍କ ହୋଇଯିବ ଗଡ଼ବଡ଼!

ଦଳ ଯେତିକି ଚିନ୍ତିତ, ନେତା ସେତିକି ବିବ୍ରତ । ପୁରୁଖା ନେତା ହୁଅନ୍ତୁ କି ନୂଆ ନେତା, ଯେଉଁମାନେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି, ସମୟ ଗଡ଼ିବା ସହ ସେମାନଙ୍କ ହୃଦସ୍ପନ୍ଦନର ବେଗ ବଢ଼ିବାରେ ଲାଗିଛି । ଏଗଜିଟ ପୋଲର ଆକଳନ ଆସିବା ପରେ ନିଜ ନିଜର ଅଙ୍କ କଷି ଚାଲିଛନ୍ତି ନେତା । ଜାତୀୟ ଗଣମାଧମ ଓ ସର୍ବେକ୍ଷଣ ସଂସ୍ଥା ଓଡ଼ିଶାର ଲୋକସଭା କ୍ଷେତ୍ରରେ ବିଜେପି ଅଧିକ ଆସନ ହାସଲ ନେଇ ମତ ଦେଇଛନ୍ତି । ଏପଟେ ବିଧାନସଭାର ସ୍ଥିତି ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ସର୍ଭେ ସଂସ୍ଥା ।

ଟାଇମ୍ସ ନାଓ – ଇଟଜି ର ପୂର୍ବନୁମାନ ହେଉଛି
ବିଜେଡି – ୧୦୦ରୁ ୧୧୫
ବିଜେପି – ୩୦ରୁ ୩୮
କଂଗ୍ରେସ – ୪ରୁ ୭
ଆସନ ଜିତିବ ।

ଏପଟେ ଇଣ୍ଡିଆ ଟୁଡେ – ଆକ୍ସିସ ମାଇଁ ଇଣ୍ଡିଆ ର ଆକଳନ ହେଉଛି ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
ଉଭୟ ବିଜେପି ଓ ବିଜେଡି ୬୨ରୁ ୮୦ ଆସନ ପାଇପାରନ୍ତି
କଂଗ୍ରେସୁ ମିଳିପାରେ ୫ରୁ ୮ ଆସନ
ସେହିପରି ଜନ କି ବାତ୍ ର ପୂର୍ବନୁମାନ ହେଉଛି
ବିଜେଡି ୮୧
ବିଜେପି ୫୮
କଂଗ୍ରେସ ୮
ଆସନ ଜିତିବ ।

ଏଗଜିଟ୍ ପୋଲର ଆକଳନ ପରେ କିଏ ଜିତିବେ, କାହାକୁ ପରାଜୟର ମୁହଁ ଦେଖିବାକୁ ପଡ଼ିବ ଚିନ୍ତିତ ହୋଇ ପଡିଛନ୍ତି ନେତା । କାଉଂଟ ଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲି ସବୁ ପ୍ରତୀକ୍ଷାର ଅନ୍ତ ଘଟିବ ।