କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ୨୦୧୨ରେ ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରଥମେ ପ୍ରସ୍ତାବ ଦେଇଥିଲା ବିଜେଡି । ବିଜେପି ସେତେବେଳେ ସାଙ୍ଗମାଙ୍କୁ ସମର୍ଥନ କରିଥିଲା । କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସର ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ଜିତିଥିଲେ ଓ ସାଙ୍ଗମା ହାରିଥିଲେ । ୨୦୧୭ରେ ନବୀନ କିନ୍ତୁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇନଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମର୍ଥନ କରିଥିଲେ ।

Advertisment

କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମ ଦୂରତା ରଖୁଥିବା ବିଜେଡିର କେନ୍ଦ୍ର ବିରୋଧୀ ରଣନୀତି ୨୦୧୭ଠାରୁ ପରିବର୍ତ୍ତନ ହୋଇଛି । ୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସର୍ଥନ କରିଥିଲା । ତେଣୁ ଏଥରକ ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ନିଷ୍ପତ୍ତି ଉପରେ ସାରାଦେଶର ନଜର ରହିଛି । ରାଷ୍ଟ୍ରପତି ନିର୍ବାଚନୀ ଗଣିତରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

କାହିଁକି ଗୁରୁତ୍ୱପୂର୍ଣ୍ଣ ବିଜେଡି ସମର୍ଥନ ?

- ବିଜେଡିର ଅଛନ୍ତି ୧୧୩ ବିଧାୟକ ଓ ୨୧ ସାଂସଦ
- ଓଡିଶାର ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ- ୭୦୮
- ବିଜେଡିର ୨୧ ସାଂସଦଙ୍କ ମୂଲ୍ୟ- ୧୪ ହଜାର ୮୬୮
- ଓଡିଶାର ଜଣେ ବିଧାୟକଙ୍କ ଭୋଟ୍ ମୂଲ୍ୟ- ୧୪୯
- ୧୧୩ ବିଧାୟକଙ୍କ ମୋଟ୍ ଭୋଟ୍- ୧୬ ହଜାର ୮୩୭
- ଉଭୟ ଭୋଟ୍ ମିଶିଲେ ୩୧ ହଜାର ୭୦୫ ଭୋଟ୍
- ଯାହା ରାଷ୍ଟ୍ରପତି ନିର୍ବାଚନ ପାଇଁ କଲେଜିୟମର ୨.୮୮%

ରାଷ୍ଟ୍ରପତି ନିର୍ବାଚନ ଗଣିତ

- ଇଲକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୁଅନ୍ତି ଦେଶର ରାଷ୍ଟ୍ରପତି
- ବର୍ତ୍ତମାନ ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୩୩ ସଦସ୍ୟ ଅଛନ୍ତି
- ୭୭୬ ସାଂସଦ ଓ ୪,୦୩୩ ବିଧାୟକ ଇଲକ୍ଟୋରାଲ କଲେଜର ସଦସ୍ୟ
- ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କ ଭୋଟ୍ ମୂଲ୍ୟ- ୭୦୮
- ରାଜ୍ୟର ଜନସଂଖ୍ୟା ଓ ବିଧାନସଭା ଆସନକୁ ନେଇ ସ୍ଥିର ହୁଏ ବିଧାୟକଙ୍କ ଭୋଟ୍ ମୂଲ୍ୟ
- ବର୍ତ୍ତମାନ ମୋଟ୍ ଭୋଟ ମୂଲ୍ୟ ହେଉଛି ୧୦ ଲକ୍ଷ ୯୮ ହଜାର ୯୦୩
- ରାଷ୍ଟ୍ରପତି ଭାବେ ନିର୍ବାଚି ହେବାକୁ ମ୍ୟାଜିକ ନମ୍ବର- ୫ ଲକ୍ଷ ୪୬ ହଜାର ୩୨୦
- ବର୍ତ୍ତମାନ ସ୍ଥିତିରେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧.୨% ଭୋଟ୍ ନିଅଣ୍ଟ ରହିଛି
- ଅର୍ଥାତ ମ୍ୟାଜିକ ନମ୍ବର ଠାରୁ ୧୩ ହଜାର ଭୋଟ୍ ପଛରେ ରହୁଛି ଏନଡିଏ