କନକ ବ୍ୟୁରୋ : ବନ୍ୟା ଯୋଗୁଁ ରାଜ୍ୟରେ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କୌଣସି ସବୁଜ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ପୋଟଳ ଓ ବିନ୍ସ ଭଳି ପରିବା ୧୦୦ ଟଙ୍କାକୁ ଟପି ଯାଇଛି। ବାଇଗଣ କିଲୋ ୫୦/୬୦ ଟଙ୍କାରେ ପହଞ୍ଚିଛି। ଏତିକିବେଳେ ଦାଉ ସାଧିଛି ଆଳୁ ଓ ପିଆଜ ଦର। ଖୁଚୁରା ବଜାରରେ ଆଳୁ କିଲୋ ୩୫ଟଙ୍କାକୁ ଛୁଇଁଥିବାବେଳେ ପିଆଜ ମଧ୍ୟ ତାଳ ଦେଇ ୩୦ ଟଙ୍କାରେ ପହଞ୍ଚିଛି। ପାଇକାରୀ ବଜାର ଓ ଖୁଚୁରା ବଜାର ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ରାଜ୍ୟ ଯୋଗାଣ ବିଭାଗ ପାଇକାରୀ ଓ ଖାଉଟି ଦର ମଧ୍ୟରେ ସନ୍ତୁଳନ ରକ୍ଷା ଦିଗରେ ଅଧିକ ତତ୍ପରତା ପ୍ରଦର୍ଶନ କରିବା ଜରୁରୀ ହୋଇପଡ଼ିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।
କୁବେରପୁରୀ ତଥ୍ୟ ଅନୁସାରେ ଆଳୁ କ୍ବିଣ୍ଟାଲ ପିଛା ୨୭ ଶହ ଟଙ୍କା ଓ ପିଆଜ କ୍ବିଣ୍ଟାଲ ପିଛା ୧୯ ଶହ ଟଙ୍କା ରହିଛି। ପଶ୍ଚିମବଙ୍ଗରୁ ଆଳୁ ଓ ମହାରାଷ୍ଟ୍ରରୁ ପିଆଜ ଆମଦାନୀ ହ୍ରାସ ହୋଇନାହିଁ। କିନ୍ତୁ ଖୁଚୁରା ବଜାରରେ ଆଳୁ ୩୫ ଟଙ୍କା ଅର୍ଥାତ୍ ପାଇକାରୀ ଦରଠାରୁ ୮ ଟଙ୍କା ଅଧିକ ରହିଛି। ସେହିଭଳି ପିଆଜ ମଧ୍ୟ ପାଇକାରୀ ଦରଠାରୁ ୧୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ପୂର୍ବରୁ ପାଇକାରୀ ଓ ଖୁଚୁରା ଦରୀ ମଧ୍ୟରେ ପାର୍ଥକ୍ୟ ୫ ଟଙ୍କା ରହୁଥିଲା। ମାତ୍ର ଏବେ ଖୁଚୁରା ବେପାରୀମାନେ ମନଇଚ୍ଛା କିଲୋ ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ବିକ୍ରି କରୁଛନ୍ତି। ପାଇକାରୀ ଦର ଟଙ୍କାଏ ବଢ଼ିଲେ ଖୁଚୁରା ଦର ଦି’ ଟଙ୍କା ବଢ଼ିଯାଉଛି। ଯୋଗାଣ ବିଭାଗର ଆଡ଼ ନଜରର ଫାଇଦା ଉଠାଇ ଖୁଚୁରା ବେପାରୀମାନେ ଖାଉଟିମାନଙ୍କୁ ସିଧାସଳଖ ଶୋଷଣ କରୁଛନ୍ତି। ମାତ୍ର ଯୋଗାଣ ବିଭାଗ ଏ ଦିଗରେ ଆଦୌ ଧ୍ୟାନ ଦେଉନାହିଁ।