ଫାଶୀ ଦିଆଯିବା ସମୟର କାହାଣୀ । ନିସ୍ତବ୍ଧ ହୋଇଯାଏ ଜେଲ ପରିସର, ବନ୍ଦ ହୋଇଯାଏ ସବୁ କାମ?

7,180

ଖୁବଶୀଘ୍ର ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ । ମୃତ୍ୟୁରୁ ବଞ୍ଚିବା ପାଇଁ ଚାରିପଟରୁ ଆଇନର ବାଟ ବନ୍ଦ ହେବା ପରେ ଅପେକ୍ଷା ବ୍ଲାକ ୱାରେଣ୍ଟକୁ । ବ୍ଲାକ ୱାରେଣ୍ଟ ଜାରି ହେବା ମାତ୍ରେ ଆରମ୍ଭ ହେବ ମୃତ୍ୟୁର କାଉଣ୍ଟଡାଉନ । ତେବେ ଏହାପୂର୍ବରୁ ତିହାର ଜେଲରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଫାଶୀ ଦଉଡି ପାଇଁ ବିହାରର ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉତ୍ତରପ୍ରଦେଶରୁ ଜହ୍ଲାଦ ଆସିବା ନେଇ ବାଟ ଫିଟିଛି । ଚାରି ଯୌନ ରାକ୍ଷସଙ୍କୁ କେବେ ଫାଶୀ ଦିଆଯିବ ସେହି ସମୟକୁ ପୂରା ଦେଶବାସୀ ଅପେକ୍ଷା କରି ରହିଛନ୍ତି । ତେବେ ଫାଶୀ ଦିଆଯିବା ପ୍ରକ୍ରିୟା ଏତେ ସହଜ ହୋଇନଥାଏ । ଯେଉଁ ସମୟରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥାଏ ସେତେବେଳେ ଜେଲର ପୂରା କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥାଏ ।

ଫାଶୀ ଦଣ୍ଡ ଦିଆଯିବା ପୂର୍ବରୁ ବ୍ଲାକ ୱାରେଣ୍ଟ ଜାରି କରାଯାଇଥାଏ । ଆଉ ଏହାପରେ ଜେଲ ପ୍ରଶାସନ ସହ ଆଲୋଚନା କରି ଫାଶୀ ପାଇଁ ତାରିଖ ଓ ସମୟ ନିଘଣ୍ଟ କରନ୍ତି ଅଦାଲତ । ଆଉ ଏହାପରେ ଫାଶୀ ପ୍ରକ୍ରିୟା ଆରମ୍ଭ କରିଥାନ୍ତି ଜେଲ କର୍ତ୍ତୃପକ୍ଷ । ନିର୍ଭୟା ଅଭିଯୁକ୍ତଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଆପଣାଇବେ ତିହାର ଜେଲ ପ୍ରଶାସନ । ତିହାର ଜେଲର ଯେଉଁଠି ଫାଶୀ ଖୁଣ୍ଟ ରହିଛି ସେଠାରେ ମୋଟ ୧୬ଟି ସେଲ ରହିଛି । ଏହି ସେଲ ଗୁଡିକ ଜେଲର ଅନ୍ୟ ସେଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ସେଲରେ ସେହି କଏଦୀ ମାନଙ୍କୁ ରଖାଯାଇଥାଏ ଯେଉଁମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥାଏ ।

ଫାଶୀ ଦିଆଯିବା ପୂର୍ବରୁ ଜେଲର ସୁରକ୍ଷା, ପ୍ରସ୍ତୁତିକୁ କଡାକଡି ଯାଞ୍ଚ କରାଯାଇଥାଏ । ଫାଶୀ ପାଇବାକୁ ଥିବା କଏଦୀଙ୍କୁ ଅଲଗା ସେଲରେ ରଖାଯାଇଥାଏ । ଫାଶୀ ଦିଆଯିବା ନେଇ ନିର୍ଦ୍ଦେଶ ଆସିବା ପରେ ଏହି କଏଦୀ ମାନଙ୍କ ଉପରେ ୨୪ ଘଣ୍ଟା କଡା ନଜର ରଖାଯାଇଥାଏ ଯେପରି ଏମାନେ ନିଜର କୌଣସି କ୍ଷତି ନ ପହଞ୍ଚାଇପାରିବେ । ଏପରିକି ସେମାନେ ପିନ୍ଧୁଥିବା ପାଇଜାମାର ଡୋର ମଧ୍ୟ ଖୋଲି ନିଆଯାଇଥାଏ । କେବଳ ଅଧଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ଅନ୍ଧାର କୋଠରୀରୁ ବାହାରକୁ ଅଣାଯାଇଥାଏ । ତେବେ କଏଦୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେବା ପାଇଁ ଅନେକ ନିୟମ କଡାକଡି ପାଳନ କରିବାକୁ ପଡିଥାଏ । ଫାଶୀ ଦିଆଯିବା ସମୟରେ ଜେଲ ଭିତରେ ସମସ୍ତ କାମକୁ ବନ୍ଦ କରି ଦିଆଯାଇଥାଏ । ଅନ୍ୟ କଏଦୀ ମାନଙ୍କୁ ସେଲ ଭିତରେ ବନ୍ଦ କରି ଦିଆଯାଇଥାଏ । ଦିନର ପ୍ରଥମ ପ୍ରହରରେ ହିଁ କଏଦୀଙ୍କ ଫାଶୀ ଦିଆଯାଇଥାଏ । ତେବେ ଫାଶୀ ପ୍ରକ୍ରିୟା ସେତେବେଳେ ଯାଏଁ ଶେଷ ହୋଇନଥାଏ ଯେତେବେଳେ ଯାଏଁ ଫାଶୀ ଖୁଣ୍ଟରୁ ମୃତଦେହ ଓହ୍ଲାଯାଇନଥାଏ । କଏଦୀଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଆସିଥାଏ ଜେଲ ।