ପୋଲିଂ ବୁଥରୁ ଇଭିଏମ ଧରି ରାତି ସାରା ଚାଲି ଚାଲି ଆସିଲେ ପୋଲିଂ ଅଧିକାରୀ । ନକ୍ସଲ ଭୟରେ ମୋବାଇଲ ବନ୍ଦ କରି ଅନ୍ଧାର ରାସ୍ତାରେ ଚାଲିଲେ ୧୫ କଲୋମିଟର

ପୋଲିଂ ବୁଥରୁ ଇଭିଏମ ଧରି ରାତି ସାରା ଚାଲି ଚାଲି ଆସିଲେ ପୋଲିଂ ଅଧିକାରୀ

153

କନକ ବ୍ୟୁରୋ : ନିର୍ବାଚନ ସାରି ରାତିରେ ଚାଲି ଚାଲି ଫେରିଲେ ଗଣତନ୍ତ୍ରର ନିର୍ଭିକ ସୈନିକ । ମାଓବାଦୀଙ୍କ ଭୟରେ ଗାଡିରେ ନଆସି ଇଭିଏମ-ଭିଭିପ୍ୟାଟ୍ ଧରି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଫେରିଲେ ପୋଲିଂ କର୍ମଚାରୀ । ଏମିତି ସାହସ ଦେଖାଇଛନ୍ତି କନ୍ଧମାଳ ବାଲିଗୁଡାର ବୁଥ ନମ୍ବର ୧୩୭ ଓ ୧୩୮ ନମ୍ବର ବୁଥ କର୍ମଚାରୀ । ଆଉ ଏମାନଙ୍କୁ ବାଟ କଢେଇ ଆଣିଛନ୍ତି ସିଆରପିଏଫ ଯବାନ । ରାତି ୮ଟାରେ ମତ ସଂଗ୍ରହ ସାରିବା ପରେ ମାଓବାଦୀମାନେ ଏହି ଦୁଇଟି ବୁଥ୍ କ୍ୟାପ୍ଚର କରିବା ପାଇଁ ଯୋଜନା କରୁଥିବା ସିଆରପିଏଫ ଯବାନ ଜାଣିବାକୁ ପାଇଥିଲେ । ମାଓବାଦୀମାନେ କୁର୍ତଙ୍ଗଗଡରୁ ସିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ।

ଏହାସହ ସିର୍ଲାକୁ ସଂଯୋଗ କରୁଥିବା ଅନ୍ୟ ୩ଟି ରାସ୍ତାକୁ ମଧ୍ୟ ମାଓବାଦୀମାନେ ସିଲ କରିଦେଇଥିବା ନେଇ ଖବର ମିଳିବା ପରେ ସଜାଗ ହୋଇଯାଇଥିଲେ ସିଆରପିଏଫ ଯବାନ । ବୁଥରେ ପହଂଚି ତୁରନ୍ତ ବୁଥ ଖାଲି କରିବା ପାଇଁ କହିଥିଲେ । ଆଉ ପୋଲିଂ କର୍ମଚାରୀ ବୁଥରେ ନିଜର ସବୁ ଆସବାବ ପତ୍ର ଛାଡି କେବଳ ଇଭିଏମ ଓ ଭିଭିପ୍ୟାଟ୍କୁ ଧରି ରାତି ପ୍ରାୟ ସାଢେ ୮ଟା ସୁଦ୍ଧା ତୁମୁଡିବନ୍ଧ ଅଭିମୁଖେ ବାହାରିଥିଲେ । ଲ୍ୟାଣ୍ଡମାଇନ ବିସ୍ଫୋରଣ ଓ ଗୁଳିମାଡର ଭୟ ଭିତରେ ପାହାଡ ଜଙ୍ଗଲ ରାସ୍ତା ଦେଇ ସକାଳେ ତୁମୁଡିବନ୍ଧରେ ପହଂଥିଲେ ପୋଲିଂ କର୍ମଚାରୀ ।

ରାତିରେ ଜଙ୍ଗଲ ଭିତରେ ଚାଲିବା ବେଳେ ମୋବାଇଲ ସୁଇଚ୍ ଅଫ କରିବା ସହ ୧୦ଫୁଟ୍ ବ୍ୟବଧାନରେ ଜଣେ ଜଣେ ଚାଲିବା ପାଇଁ ସିଆରପିଏଫ ଯବାନ କହିଥିଲେ । ରାତିରେ ଚାଲିବା ବେଳେ ୩ଟି ପାହାଡ ଓ ୨ରୁ ୩ଟି ୬୦ଫୁଟର ଗାତକୁ ଅତିକ୍ରମ କରି ଆସିଛନ୍ତି ଏମାନେ । ରାତି ପ୍ରାୟ ୨ଟା ସୁଦ୍ଧା ତୁମୁଡିବନ୍ଧ ଥାନା ନିକଟରେ ପହଂଚିଥିଲେ ପୋଲିଂ କର୍ମଚାରୀ ଓ ସିଆରପିଏଫ ଯବାନ । ତୁମୁଡିବନ୍ଧ ନିକଟ ଏକ ନଦି ବନ୍ଧରେ କିଛି ସମୟ ବିଶ୍ରାମ କରିବା ପରେ ପୁଣି ଚାଲିବା ଆରମ୍ଭ କରି ଦେଇଥିଲେ ।

ରାତିରେ ପ୍ରାୟ ୭ରୁ ୮ ଘଂଟା ଧରି ୧୭ କିଲୋମିଟର ଚାଲିବା ପରେ ସକାଳ ସୁଦ୍ଧା ପୋଲିଂ କର୍ମଚାରୀଙ୍କୁ ସୁରକ୍ଷିତ ତୁମୁଡିବନ୍ଧରେ ପହଂଚାଇଥିଲେ ସିଆରପିଏଫ ଯବାନ । ୧୩୭ ଓ ୧୩୮ ନମ୍ବର ବୁଥ୍ ନୁହେଁ ଏଭଳି ଆହୁରି ୫ଟି ବୁଥର ପୋଲିଂ କର୍ମଚାରୀ ଜଙ୍ଗଲ ଭିତରେ ରାତି ସାରା ଚାଲିବା ପରେ ବାଲିଗୁଡା ବ୍ଲକରେ ପହିଂଚିଛନ୍ତି । ପୋକାରୀ ୧ ନମ୍ବର, ୨ ନମ୍ବର ବୁଥ୍, କାରାମି, ପାରିଗଡ, ଲଂଜାମୀର ଗୋଟିଏ ଲେଖାଏଁ ବୁଥ କର୍ମଚାରୀ ସାରା ରାତି ଜଙ୍ଗଲରେ ଚାଲିବା ପରେ ଇଭିଏମ ଓ ଭିଭିପ୍ୟାଟ୍ ସହ ବାଲିଗୁଡା ବ୍ଲକ ଅଫିସରେ ପହଂଚିଛନ୍ତି ।