ଆଖିକୁ ଆସୁନି ନିଦ, ଚନ୍ଦ୍ରାୟନ-୨କୁ ଚାହିଁଛି ସାରା ଭାରତ । ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା

221

କନକ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ କେତେବେଳେ ରାତି ୧ଟା ୫୫ ମିନିଟ ହେବ ଆଉ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରାୟନ ପାଦ ଥାପିବ । ବାସ୍ ତାପରେ ଇତିହାସ ରଚିବ ଇସ୍ରୋ । ଇତିହାସର ଅଭୁଲା ଅଧ୍ୟାୟରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇଯିବ ଭାରତର ନାଁ । ୪ର୍ଥ ଦେଶ ଭାବେ ଭାରତ ଚନ୍ଦ୍ରକୁ ଛୁଇଁବ । ତେଣୁ ସେ ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା ।
ଜୁଲାଇ ୨୨ ତାରିଖ । ଅପରାହ୍ଣ ୨ଟା ୪୩ ମିନିଟ୍ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଲଂଚ ହେଲା ଚନ୍ଦ୍ରଯାନ-୨ । ଚନ୍ଦ୍ରଯାନକୁ ଧରି ମହାକାଶ ଅଭିମୁଖେ ମାଡିଚାଲିଲା ଜିଏସ୍ଏଲ୍ଭି-ଏମ୍କେ-୩ ରକେଟ । ଏହା ସହ ଆଗକୁ ଚାଲିଲା ଶହେ କୋଟି ଭାରତୀୟଙ୍କ ସ୍ୱପ୍ନ ।

ଜୁଲାଇ ୨୨ ତାରିଖ । ଅପରାହ୍ଣ ୨ଟା ୫୯ ମିନିଟ
ଭୂପୃଷ୍ଠ ଛାଡିବାର ମାତ୍ର ୧୬ ମିନିଟ ପରେ ପୃଥିବୀ କକ୍ଷପଥରେ ପହଁଚିଗଲା ମହାକାଶ ଯାନ । ୧୭୦ କିଲୋମିଟର ନିକଟ ୪୫ ହଜାର ୪୭୫ କିଲୋମିଟର ଦୂର ବିଶାଳ କକ୍ଷପଥରେ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ ।

ଜୁଲାଇ ୨୪ ତାରିଖ । ଦି୍ୱତୀୟ କକ୍ଷପଥକୁ ଉଠିଲା ଚନ୍ଦ୍ରଯାନ-୨
ଯୋଜନା ଅନୁଯାୟୀ ପ୍ରଥମ ଅର୍ବିଟରେ ସଫଳତାର ସହ ବୁଲିବା ପରେ ପୃଥିବୀ ଚାରିପଟେ ଦ୍ୱିତୀୟ କକ୍ଷପଥରେ ଘୁରିବା ଆରମ୍ଭ କଲା ଭାରତର ଅନ୍ତରୀକ୍ଷ ଯାନ । ଜୁଲାଇ ୨୨ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଘୁରି ବୁଲିଥିଲା ଚନ୍ଦ୍ରଯାନ-୨ । ୫ ଥର ପୃଥିବୀ ଚାରିପଟେ ବୁଲିବା ପରେ ଚନ୍ଦ୍ରର ମାଧ୍ୟାକର୍ଷଣ କ୍ଷେତ୍ରର ନିକଟବର୍ତି ହୋଇଥିଲା । ୧,୦୫,୨୯୨ କିଲୋମିଟର ଲମ୍ବ ତେରଛା କକ୍ଷପଥ ଦେଇ ଶେଷ ପ୍ରଦକ୍ଷଣ କରିବା ପରେ ଆରମ୍ଭ ହୋଇଥିଲା ଚନ୍ଦ୍ର ଅଭିମୁଖେ ଯାତ୍ରା ।

ଛାଡ଼ିଲା ପୃଥିବୀ କକ୍ଷପଥ । ଚନ୍ଦ୍ର ଆଡ଼କୁ ମୁହାଁଇଲା ଚନ୍ଦ୍ରଯାନ-୨
ଇସ୍ରୋ ଯେମିତି ଯୋଜନା କରିଥିଲା, ମହାକାଶରେ ଠିକ୍ ସେହିପରି ଯାତ୍ରା କରିଥିଲା ସ୍ପେସ୍କ୍ରାଫ୍ଟ ।

ଅଗଷ୍ଟ ୧୪ ତାରିଖ । ରାତି ୨ଟା ୨୧ ମିନିଟ୍
ଲିକ୍ୟୁଡ୍ ଆପୋଜି ମୋଟର, ୧୨୦୩ ସେକେଣ୍ଡ ଅର୍ଥାତ୍ ୨୦ ମିନିଟ୍ ୦୩ ସେକେଣ୍ଡ ଜଳିବା ପରେ ଚନ୍ଦ୍ର କକ୍ଷପଥକୁ ଉଠିଛି ଚନ୍ଦ୍ରଯାନ-୨ । ପୃଥିବୀ କକ୍ଷପଥକୁ ଛାଡ଼ି ଘଂଟାକୁ ୩୯ ହଜାର ୨୯୪ କିଲୋମିଟର ବେଗରେ ଗତି କରିଥିଲା ସ୍ପେସ୍କ୍ରାଫ୍ଟ । ଶବ୍ଦ ଠାରୁ ପ୍ରାୟ ୩୦ ଗୁଣ ଅଧିକ ବେଗରେ ୩ ଲକ୍ଷ ୮୪ ହଜାର କିଲୋମିଟରର ମାରାଥନ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ ।

ଅଗଷ୍ଟ ୨୦ ତାରିଖ । ସକାଳ ୯ଟା ୩୦ ମିନିଟ୍
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେବାର ଠିକ୍ ୩୦ ଦିନରେ ଚନ୍ଦ୍ର କକ୍ଷପଥରେ ପହଁଚିଥିଲା ଚନ୍ଦ୍ରଯାନ-୦୨ । ଚନ୍ଦ୍ର ଚାରିପଟେ ଅଣ୍ଡାକାର ଆକୃତିର କକ୍ଷପଥରେ ଘୁରିବା ଆରମ୍ଭ କରିଥିଲା । ଏହା ଏପରି ଏକ ମୁହୂର୍ତ ଥିଲା ଯାହାକୁ ବର୍ଣ୍ଣନା କରି ଇସ୍ରୋ ମୁଖ୍ୟ କେ ଶିଭନ୍ କହିଥିଲେ, ଚନ୍ଦ୍ରଯାନ-୨କୁ ଚନ୍ଦ୍ରର କକ୍ଷରେ ଅବସ୍ଥାପିତ କରିବା ବେଳେ ସତେ ଯେମିତି ବୈଜ୍ଞାନିକଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଉଥିଲା ।

ସେପ୍ଟେମ୍ବର ୧ ତାରିଖ, ସଂଧ୍ୟା ୬ଟା ୨୧ । ଚନ୍ଦ୍ରର ପଂଚମ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨
ଇସ୍ରୋ ଯେପରି ଆକଳନ କରିଥିଲା, ଠିକ୍ ସେହିଭଳି ଗତି କରିଥିଲା ଭାରତର ମହାକାଶଯାନ । ୧୩ ଦିନର ଯାତ୍ରା ପରେ ରବିବାର ସଂଧା ୬ଟା ୨୧ ମିନିଟରେ ଚନ୍ଦ୍ରର ପଂଚମ ତଥା ଶେଷ କକ୍ଷପଥକୁ ପ୍ରବେଶ କରିଥିଲା ଚନ୍ଦ୍ରଯାନ-୨ । ଅନ୍ତରୀକ୍ଷ ଯାନର ଲିକ୍ୟୁଡ୍ ଆପୋଜି ମୋଟର, ୫୨ ସେକେଣ୍ଡ ଜଳିବା ପରେ ସଫଳ ହୋଇଥିଲା ଏହି ଅଭିଯାନ । ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହୋଇଥିଲା ଚନ୍ଦ୍ରଯାନ । ଏହି ପର୍ଯ୍ୟନ୍ତ ଅର୍ବିଟର, ଲାଣ୍ଡର ଓ ରୋଭର ଏକାଠି ଯାତ୍ରା କରିଥିଲେ ।

ସେପ୍ଟେମ୍ବର ୨ ତାରିଖ । ସମୟ ଦିନ ୧ଟା ୧୫ ମିନିଟ୍ । ଅର୍ବିଟରରୁ ଅଲଗା ହେଲା ବିକ୍ରମ ଲାଣ୍ଡର
ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଥିଲା ଚନ୍ଦ୍ରଯାନ-୨ । ଇସ୍ରୋର ଯୋଜନା ମୁତାବକ ଅର୍ବିଟରରୁ ଅଲଗା ହୋଇଥିଲା ଲାଣ୍ଡର । ଅର୍ବିଟରର ପଛେ ପଛେ ଚାଲିଥିଲା ବିକ୍ରମ ଲାଣ୍ଡର । ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଥିଲେ ଇସ୍ରୋ ।

ସେପ୍ଟେମ୍ବର ୩ ତାରିଖ । ସକାଳ ୮ଟା ୫୦ ମିନିଟ୍ । କକ୍ଷ ପରିବର୍ତନ କଲା ଲାଣ୍ଡର ବିକ୍ରମ
କକ୍ଷପଥ ବଦଳାଇବାକୁ ଲାଣ୍ଡରର ଇଂଜିନକୁ ଇସ୍ରୋର କଂଟ୍ରୋଲ ରୁମରୁ ତିନି ସେକେଣ୍ଡ ଖୋଲିବା ପାଇଁ ସିଗନାଲ୍ ଦେଇଥିଲେ ଇସ୍ରୋର ବୈଜ୍ଞାନିକ । ବୈଜ୍ଞାନିକମାନେ ଯେପରି ଚାହୁଁଥିଲେ, ସେହି ଅନୁରୂପ କାମ କରିଥିଲା ଲାଣ୍ଡର । କକ୍ଷର ପରିବର୍ତନ ସହ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଥିଲା ଇସ୍ରୋ । ଚନ୍ଦ୍ରର ୧୦୯ କିଲୋମିଟର ନିକଟ ଓ ୧୨୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଘୁରିବୁଲିବା ଆରମ୍ଭ କରିଥିଲା ବିକ୍ରମ ଲାଣ୍ଡର । ଦ୍ୱିତୀୟ ଥର ପାଇଁ ଲାଣ୍ଡରର କକ୍ଷପଥ ବଦଳିଥିଲା ସେଫ୍ଟେମ୍ବର ୪ ତାରିଖରେ । ପ୍ରାୟ ୩୫ କିଲୋମିଟର ନିକଟ ଓ ୧୧୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ପ୍ରାୟ ତିନି ଦିନ ଧରି ଚନ୍ଦ୍ର ଚାରିପଟେ ଘୁରି ବୁଲୁଛି ବିକ୍ରମ ଲାଣ୍ଡର । ଏହି ସମୟରେ ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଂଚ କରିଛନ୍ତି ଇସ୍ରୋର ବୈଜ୍ଞାନିକ । ଏହା ପରେ ଦକ୍ଷିଣ ମେରୁରେ ଅବତରଣ ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି ।