ପୁରା ପରିବାର ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ବୁଢା ବାପା ଉପରେ ଦାଉ ସାଜୁଛି ଦୁଇ ମାନସିକ ଅନଗ୍ରସର ପୁଅଙ୍କ ବୋଝ ।

121

କନକ ବ୍ୟୁରୋ: ଦିବ୍ୟାଙ୍ଗ ବ୍ରହ୍ମାନନ୍ଦ, ବୟସ ୮୦ ପାର ହେଲାଣି । ଟ୍ରାଇସାଇକେଲରେ ଦିନ ସାରା ବୁଲି ବୁଲି କ’ଣ ଗଣ୍ଡାଏ ମିଳିଲେ ନେଇ ଘରକୁ ଫେରନ୍ତି । ଦେହ ଅବସ ଲାଗିଲେ ବି ଟିକେ ଥକ୍କା ମାରିବାକୁ ତର ନଥାଏ । କାରଣ ଘରକୁ ଫେରିଲେ ଦି ଦି ଜଣ ଦିବ୍ୟାଙ୍ଗ ପୁଅଙ୍କ ଚିନ୍ତା । କେମିତି କ’ଣ ଦିଟା ସେମାନଙ୍କ ପେଟକୁ ଦିଅନ୍ତି ।

କଥାରେ ଅଛି ଦୁଃଖ ଆସିଲେ ବନ୍ଧୁବାନ୍ଧବ ନେଇ ଆସେ । ଆଉ ଗରୀବର ଚିର ସାଥୀ ତ ଏଇ ଦୁଃଖ , ଯାହା ଏହି ଗରୀବ ଅସହାୟ ବୃଦ୍ଧଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । କାମାକ୍ଷାନଗର କୁଟୁରିଆ ଗାଁର ବ୍ରହ୍ମାନନ୍ଦ ପ୍ରଧାନ । ବୟସ ୮୦ ଟପିଲାଣି । ଦୁଇଟିଯାକ ଗୋଡ ପୋଲିଓ । ବିଲ ବୋଲି ଗୁଣ୍ଠେ ନାହିଁ । ରାତି ପାହିଲେ ପେଟ ଚିନ୍ତା । ତେଣୁ ୩ ଚକିଆ ଗାଡି ନେଇ ବାହାରିଯାନ୍ତି ଭିକ ମାଗିବାକୁ । ଗାଁ ଗାଁ ବୁଲି ଯାହା କିଛି ମିଳେ ତାକୁ ଆଣି ଘରକୁ ଆସନ୍ତି ।

ଘରକୁ ଆସିବା ପରେ ବି ତ୍ରାହି ନାହିଁ । ଘରେ ପରା ଦୁଇ ଦୁଇଜଣ ଦିବ୍ୟାଙ୍ଗ ମାନସିକ ଅନଗ୍ରସର ପୁଅ । ବାପାଙ୍କ ଆସିବା ବାଟକୁ ସେମିତି ଚାହିଁ ରହିଥାନ୍ତି । ବାପା କ’ଣ ଦିଟା ଆଣିଲେ ପାଟିରେ ଦେବେ । ସ୍ତ୍ରୀ ଥିଲେ ଯେ ପୁଅ ଦିଟାଙ୍କୁ ଦେକୁଥିଲେ । ସେ ବି ୩ ବର୍ଷ ତଳେ ବାଟକାଟି ଆରପାରିକୁ ଚାଲିଗଲେ । ଏବେ ବ୍ରହ୍ମାନନ୍ଦଙ୍କ ଉପରେ ଏହି ଦୁଇ ପୁଅଙ୍କ ବୋଝ । ଘରକୁ ଫେରି ଯିଏ ଯାହା ଦେିଥାନ୍ତ ତାକୁ ଫୁଟାଇଲେ ପିଲା ଦିଜଣଙ୍କ ପେଟରେ ପଡେ । ଯେଉଁଠି ଦୁଇ ଦିବ୍ୟାଙ୍ଗ ପୁଅ ବେସାହରା ହୋଇ ତାଙ୍କ ହାତକୁ ଅନାଇଁ ବସିଥିବେ ସେି ନିଜ କଷ୍ଟ ଆଉ କାହାକୁ କହିବେ ।

ଏତିକିରେ ସରୁନି ବ୍ରହ୍ମାନନ୍ଦଙ୍କ ଦୁଃଖ । ଦୁଇ ଦିବ୍ୟାଙ୍କ ପୁଅଙ୍କୁ ନେଇ ମୁଣ୍ଡ ଗୁଂଜିଥିବା ଘରେ ବି ତାଙ୍କ ପାଇଁ ବିପଦ । ଉପରେ ତାଳବରଡା ଛପର । କାନ୍ଥ ସବୁ ଫାଟି ଆଁ କରିଛି । କେତେବେଳେ ଭୁଷୁଡି ପଡିବ ଠିକଣା ନାହିଁ । କିନ୍ତୁ ହାତରେ କାଣିକଉଡିଟିଏ ନଥିବାରୁ ଘର ସଜାଡିବାକୁ ବି ସକ୍ଷମ ନାହିଁ । ସରକାରୀ ସହାୟତା କହିଲେ ୫ କେଜି ଚାଉଳ ଆଉ ବ୍ରହ୍ମାନନ୍ଦଙ୍କୁ ମିଳୁଥିବା ଭତ୍ତା । ଏତିକିରେ କେମିତି ଚିଳିବେ ୩ଜଣ? ଏଭଳି କ୍ଷେତ୍ରରେ ଘରଟିଏ ସହ ଦୁଇ ପୁଅଙ୍କୁ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସରପଞ୍ଚଏବଂ ଏ ବାବଦରେ ଜାଣିବା ପରେ ନିୟମ ଅନୁସାରେ ଦୁଇ ପୁଅଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ କରିବା ପରେ ସମାନଙ୍କୁ ଭତ୍ତା ସହ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଏବେ ଦେଖିବାକୁ ବାକି ରହିଲା ବ୍ରହ୍ମାନନ୍ଦଙ୍କ ଦୟନୀୟ ଅବସ୍ଥାର ସମାଧାନ କେବେ କରୁଛି ପ୍ରଶାସନ ।