କନକ ବ୍ୟୁରୋ: କଷ୍ଟ ହେଲେ ପାଟି ଖୋଲି ମଣିଷ ସିନା ସବୁ କହିଦେଇପାରେ  ।ହେଲେ ନିରୀହ ପଶୁ ପକ୍ଷୀଙ୍କ ପାଇଁ କିଏ ବା ଅଛି । ସୃଷ୍ଟିର ଏହି ସରଳ ପ୍ରାଣୀଙ୍କ ମନ ବୁଝିବାକୁ କିଏ ବା ଅଛି? ଆଉ କେତେ ଜଣ ମଣିଷ ବା ଏମାନଙ୍କ ମନ କଥା ବୁଝନ୍ତି? କେତେଜଣ ଏମାନଙ୍କ ଯନ୍ତ୍ରଣା ଦୂର କରନ୍ତି? ନିଜ ପଶୁପକ୍ଷୀଙ୍କୁ ଘରେ ରଖୁଥିବାବେଳେ ବାହାର ପଶୁଜନ୍ତୁଙ୍କୁ ଅପରିଚ୍ଛନ୍ନ ଭାବି ହୁଡାଇ ଦେଉଥିବା ଆପଣ ଦେଖିଥିବେ । ହେଲେ ମହାରାଷ୍ଟ୍ରରୁ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଏହି ସ୍ୱାର୍ଥ ସର୍ବସ୍ୱ ସମାଜ ଭିତରେ ବି ମାନବିକତାର ନିଖୁଣ ବାର୍ତ୍ତା ଦେଉଛି ।
Advertisment
ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଜଣେ ପୋଲିସ ବାବୁ ଜଙ୍ଗଲରୁ ବାହାରି ଆସୁଥିବା ପଶୁଙ୍କୁ ପାଣି ପିଆଉଥିବା ଦେଖିବାକୁ ମିଳୁଛିି । ଏହି ଭିଡିଓରେ ସେ ଏକ ମାଙ୍କଡକୁ ଅତି ଯତ୍ନରେ ପାଣି ପିଆଉଥିବାର ଦେଖିବାକୁ ମିଳୁଛି । ମାଙ୍କଡଟି ବିନା କାହାରି ଡରରେ ପୋଲିସ ବାବୁଙ୍କ ହାତରୁ ପାଣି ପିଇ ଚାଲିଛି । ସତେକି ପୋଲିସ ବାବୁଙ୍କ ହାତ ଟେକା ପାଣିକୁ ପିଇ ମାଙ୍କଡ ଦେହରେ ଜୀବନ ପଶିଗଲା ।
ମୁମ୍ବାଇ ଅହମଦାବାଦ ବାଟରେ ପଡୁଥିବା ମାଲଶେଜ ଘାଟରେ ମୁତୟନ ହୋଇଥିବା ଟ୍ରାଫିକ୍ ପୋଲିସ ସବୁବେଳେ ନିଜ ସହ ଏକାଧିକ ପାଣି ବୋତଲ ନେଇଯାଆନ୍ତି । ସେଠାରେ ଜଙ୍ଗଲରୁ ରାସ୍ତାକୁ ବାହାରି ଆସୁଥିବା ମାଙ୍କଡକୁ ପାଣି ପିଆଇଥାଆନ୍ତି । ଏହି ଭିଡିଓକୁ ସେହି ପଟେ ଯାଉଥିବା ଜଣେ ବ୍ୟକ୍ତି ଭିଡିଓ କରି ପୋଷ୍ଟ କରିଥିଲେ । ଏହା ପରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।
ଏହି ପୋଷ୍ଟରେ ବ୍ୟକ୍ତିଜଣକ ଲେଖିଛନ୍ତି ଯେ, ନିରୀହ , ନିଷ୍ପପଟ ସରଳ ପଶୁଙ୍କ ପ୍ରତି ଦୟା କରିଥିବା ମହାରାଷ୍ଟ୍ର୍ର ପୋଲିସକୁ ସଲାମ । ଏବେ ପ୍ରଚଣ୍ଡ ଗରମ ଯୋଗୁଁ ପଶୁମାନେ ଜଙ୍ଗଲରୁ ବାହାରି ଜନବସତି ଆଡକୁ ମୁହାଁଉଛନ୍ତିି । ତେଣୁ ଏମାନଙ୍କ ପାଇଁ ଘର ବାହାରେ ପାଣି ଓ ଆବଶ୍ୟକ ସ୍ଥଳେ ବଳକା ଖାଦ୍ୟ ରଖନ୍ତୁ । ଏପରିକି ଅସହାୟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।’
 ପୋଲିସ ବାବୁଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତାଙ୍କର ବାହାବା ହେଉଛି । ଲୋକେ ତାଙ୍କର ଏପରି କାମରେ ପ୍ରଭାବିତ ହୋଉଛନ୍ତି । ଏନେଇ ଅନେକ ସକାରାତ୍ମକ ମତାମତ ଦେଉଛନ୍ତି ୟୁଜର ।