ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ କିଏ ଲେଖନ୍ତି? ପିଏମଓରୁ ମିଳିଲା ଉତ୍ତର

486

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି ନିଜର ଦମଦାର ଭାଷଣ ବଳରେ ସମସ୍ତଙ୍କୁ ବାନ୍ଧି ରଖିବାର କ୍ଷମତା ରଖିଛନ୍ତି । ଘଣ୍ଟା ଘଣ୍ଟା ଧରି ଭାଷଣ ଦେବାରେ ମାହିର ମୋଦି । ସେ ମନ କି ବାତ କାର୍ଯ୍ୟକ୍ରମ ହେଉ କି ନିର୍ବାଚନୀ ସଭା । ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟକ୍ରମରେ ମୋଦିଙ୍କ ଭାଷଣ ଶୁଣିବାକୁ ମିଳେ । ଘଣ୍ଟା ଘଣ୍ଟା ଧରି ମୋଦି ଭାଷଣ ଦେଉଥିବା ବେଳେ ଆଦୌ କେବେ ଥକନ୍ତି ନାହିଁ ବରଂ ନିଜର ଓଜ୍ୱସୀ ଭାଷଣ ବଳରେ ସମସ୍ତଙ୍କୁ ବାନ୍ଧି ରଖିବାର କଳା ଜାଣିଛନ୍ତି ମୋଦି । ଯେଉଁଥିପାଇଁ ମୋଦିଙ୍କ ଭାଷଣ ଶୁଣିବାକୁ ହଜାର ହଜାର ସଂଖ୍ୟାରେ ଲୋକେ ଭିଡ ଜମାଇଥାନ୍ତି । ନିଜ ଭାଷଣରେ ମୋଦି ଯେଉଁ ଶବ୍ଦ ବ୍ୟବହାର କରିଥାନ୍ତି ତାହାକୁ ବେଶ ପସନ୍ଦ କରନ୍ତି ଲୋକେ । ଏପରିକି ଭାଷଣ ମାଧ୍ୟମରେ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ କରିବାର ଶୈଳୀ ମଧ୍ୟ ନିଆରା । ଆଉ ଏଭଳିସ୍ଥଳେ ସାଧାରଣ ଲୋକଟିର ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଭାଷଣ କିଏ ଲେଖନ୍ତି? ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଭାଷଣ ଲେଖନ୍ତି ନା ଏଥିପାଇଁ କୌଣସି ଟିମ୍ ମଧ୍ୟ ରହିଛି । ଯଦି କୌଣସି ଟିମ୍ ଏହି ଭାଷଣ ଲେଖୁଥାନ୍ତି ତେବେ ଏଥିପାଇଁ ସେମାନଙ୍କୁ କେତେ ଟଙ୍କା ମିଳିିଥାଏ? ଆଉ ସାଧାରଣ ଲୋକଟିର ମନରେ ଉଠୁଥିବା ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ପିଏମଓ ବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବାବଦରେ କିଛି ପ୍ରଶ୍ନର ଉତ୍ତର ଜାଣିବାକୁ ସୂଚନା ଅଧିକାର ଆଇନ ବଳରେ ପିଏମଓକୁ ତଥ୍ୟ ମଗାଯାଇଥିଲା । ପିଏମଓ ପକ୍ଷରୁ ଆସିଥିବା ଉତ୍ତରରେ କୁହାଯାଇଥିଲା ଯେ, ନିଜର ଭାଷଣର ଶେଷ ସ୍ପର୍ଶ ପ୍ରଧାନମନ୍ତ୍ରୀ ମୋଦି ନିଜେ ଦେଇଥାନ୍ତି । ଯେଉଁ କାର୍ଯ୍ୟକ୍ରମକୁ ମୋଦି ଯାଇଥାନ୍ତି, ସେହି କାର୍ଯ୍ୟକ୍ରମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟକ୍ତିବିଶେଷ, ଅଧିକାରୀ, ବିଭାଗ, ସଙ୍ଗଠନ ଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଆଯାଇଥାଏ । ଆଉ ଏହି ତଥ୍ୟକୁ ଏକାଠି କରି ଭାଷଣ ପ୍ରସ୍ତୁତ କରାଯାଇଥାଏ, ଯାହାକୁ ଶେଷ ସ୍ପର୍ଶ ଦେଇଥାନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଲେଖିବା ପାଇଁ କୌଣସି ଟିମ୍ ରହିଛନ୍ତି କି? ଯଦି ଅଛନ୍ତି ତେବେ ଟିମର ମେମ୍ବର କେତେ ଜଣ ରହିଛନ୍ତି ଓ ଏମାନଙ୍କୁ କେତେ ଟଙ୍କା ପେମେଣ୍ଟ ଦିଆଯାଏ । ଏଭଳି ପ୍ରଶ୍ନ ଇଣ୍ଡିଆ ଟୁଡେ ପକ୍ଷରୁ ପଚରାଯାଇଥିଲେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ପିଏମଓ ପକ୍ଷରୁ ଦିଆଯାଇନାହିଁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜର ଅସାଧାରଣ ଭାଷଣ ବଳରେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି । ବିକାଶମୂଳକ କଥାକୁ ମୋଦି ଏତେ ସ୍ପଷ୍ଟତା ଓ ପ୍ରଭାବୀ ଢଙ୍ଗରେ କହିଥାନ୍ତି ଯାହାକୁ ନେଇ ଦେଶରେ ଚର୍ଚ୍ଚା ହୋଇଥାଏ । ସେହିଭଳି ବିରୋଧୀଙ୍କୁ ଟାର୍ଗେଟ କରିବାର ଶୈଳୀ ମଧ୍ୟ ମୋଦିଙ୍କର ନିଆରା । କେତେବେଳେ ଗୁରୁଗାମ୍ଭୀର୍ଯ୍ୟ ପୂର୍ଣ୍ଣ ଶବ୍ଦରେ ବିରୋଧୀଙ୍କ ଉପରେ ବର୍ଷିଥାନ୍ତି ତ ପୁଣି କେତେବେଳେ ମଜାଳିଆ ଅନ୍ଦାଜରେ ବିରୋଧୀଙ୍କର ଭୂଲକୁ ଲୋକଙ୍କ ସାମ୍ନାକୁ ଆଣିଥାନ୍ତି । ଆଉ ସବୁଠୁ ବଡ କଥା ହେଲା ନିଜର ଦମଦାର ଭାଷଣ ବଳରେ ୨୦୧୪ରେ କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ମୋଦି । ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ଭାଷଣ ନିଜେ ପ୍ରସ୍ତୁତ କରିଥାନ୍ତି ।