କିଏ କରିବ ଦିଲ୍ଲୀ ଦଖଲ ? ପୁଣି ଥରେ କେଜ୍ରିୱାଲଙ୍କୁ କୋଳେଇ ନେବେ କି ଦିଲ୍ଲୀବାସୀ ? ନା ମୋଦିଙ୍କୁ କରିବେ ଆପଣାର ? ଏଥର ଉଠିବ ତ ମାଟି କାମୁଡି ପଡିଥିବା କଂଗ୍ରେସ ?

612

କନକ ବ୍ୟୁରୋ: ଦିଲ୍ଲୀ ଦଖଲ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଦିଲ୍ଲୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବା ପରେ କମର କସିଛନ୍ତି ଦିଲ୍ଲୀ ରଣାଙ୍ଗନରେ ଲଢୁଥିବା ୩ ପ୍ରମୁଖ ଦଳ । ଆସନ୍ତା ଫେବୃୟାରୀ ୮ ତାରିଖରେ ଦିଲ୍ଲୀ ପାଇଁ ଭୋଟ ପଡିବାକୁ ଥିବା ବେଳେ ଏହାର ମାତ୍ର ଦୁଇ ଦିନ ପରେ ହିଁ ଫଳାଫଳ ବାହାରିବ । ଆଉ ସେହି ଦିନ ହିଁ ସ୍ପଷ୍ଟ ହୋଇଯିବ ଦିଲ୍ଲୀକୁ କିଏ କରିବ ଦଖଲ ।

ତେବେ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଜାନୁୟାରୀ ୧୪ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ୨୧ ଜାନୁୟାରୀ ନାମାଙ୍କନ ଭରିବାର ଶେଷ ତାରିଖ ଏବଂ ୨୩ ଜାନୁୟାରୀ ଦିନ ଯାଞ୍ଚ ହେବ । ତେବେ ୨୪ ଜାନୁୟାରୀରେ ନାମାଙ୍କନ ପ୍ରତ୍ୟାହୃତ କରିବା ପାଇଁ ତାରିଖ ସ୍ଥିତ ହୋଇଛି । ତେବେ ୨୦୨୦ ଫେବୃୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଥିବା ବେଳେ ଏହା ପୂର୍ବରୁ ନୂଆ ସରକାର ଗଢିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମୋଟ ୭୦ଟି ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ମୁହାଁମୁହିଁ ହେବାକୁ ଥିବାବେଳେ ଗତ ଥର ଆମ ଆଦମୀ ପାର୍ଟି ୭୦ ଆସନରୁ ଝାଡୁ ମାରି ୬୭ଟି ଆସନ ଅକ୍ତିଆର କରିଥିଲା । ଆଉ ଦିଲ୍ଲୀ ଦରବାରରେ ସରକାର ଗଢିଥିଲା । ଯେଉଁଠି ସାରା ଦେଶରେ ମୋଦି ହାୱା ପାଇଁ ପୂରା ଗଣିତ ବଦଳିଯାଇଥିଲା ମାତ୍ର ଦିଲ୍ଲୀରେ କିନ୍ତୁ ମୋଦିଙ୍କ ମ୍ୟାଜିକ କାମ କରିନଥିଲା । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିଥିଲେ ବି ଦିଲ୍ଲୀରେ କିନ୍ତୁ ୨୦୧୫ରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି ସରକାର ଗଢିଥିଲା ।

ମୋଟ ଆସନରୁ ଆପ ଖାତାରେ ୬୭ଟି ପଡିଥିବା ବେଳେ ମାତ୍ର ୩ଟି ସିଟ ଅକ୍ତିଆର କରିବାରେ ସଫଳ ହୋଇଥିଲା ବିଜେପି । ଆଉ ଅନ୍ୟପଟେ କଂଗ୍ରେସ କୌଣସି ବି ଆସନ ଜିତି ନପାରି ମାଟି କାମୁଡି ପଡିଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣ ଓ ପ୍ରତିଶ୍ରୁତିରେ ଦିଲ୍ଲୀବାସୀ ବିଶ୍ୱାସ କରି ଆପ ଖାତାରେ ମୋହର ମାରି ଚାଲିଥିଲେ ଆଉ ଶେଷରେ କେଜ୍ରିୱାଲଙ୍କ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲେ ।

ତେବେ ୧ କୋଟି ୪୬ ଲକ୍ଷ ଭୋଟଙ୍କ ଉପରେ ନିର୍ଭର କରି ଦିଲ୍ଲୀ ବାଜି ଲଢୁଛନ୍ତି ୩ ପ୍ରମୁଖ ଦଳ । ସେପଟେ ବିଗୁଲ ବାଜିବା ଆଗରୁ ଗତକାଲି ଅମିତ ଶାହା ଦଳୀୟ କର୍ମୀଙ୍କୁ ଆକ୍ଟିଭ ମୋଡକୁ ଆଣିଛନ୍ତି । ଏଥର ଦିଲ୍ଲୀ ବାଜି ବିଜେପି ଜିତିବ ବୋଲି ଦମ୍ଭ ଦେଖାଇ କହିଛନ୍ତି । ୨୦୧୫ରେ କଂଗ୍ରେସ ହାତରକୁ ଖସିଯାଇଥିବା ଦିଲ୍ଲୀକୁ ଅକ୍ତିଆର କରିବାକୁ ଏଥର ପ୍ରାଣପ୍ରଣେ ଚେଷ୍ଟା କରିପାରେ କଂଗ୍ରେସ । ଦେଶର ବିଭିନ୍ନ ସ୍ଥାନରେ ଧିରେଧିରେ କଂଗ୍ରେସ କମବ୍ୟାକ କରୁଥିବାରୁ ଏଥର ବି ଦିଲ୍ଲୀରେ ହାତ ଉଠିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।

ସେପଟେ ଶାସନ ଗାଦିରେ ଥିବା ଆପ ନିଜ ସଫଳ ଯୋଜନାକୁ ନେଇ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରିପାରେ । ବିଜେପି ମଧ୍ୟ ଏୟାଷ୍ଟ୍ରାଇକ, ୩୭୦ ଉଚ୍ଛେଦ ଭଳି ବଡ ବଡ ନିଷ୍ପତ୍ତି ନେଇ ଲୋକଙ୍କ ନିକଟତର ହୋଇପାରେ । ଅନ୍ୟପଟେ କଂଗ୍ରେସ ବିଜେପି ସରକାରର ଦୋଷ ଦୁର୍ବଳତା ଓ ଜାତୀୟ ପ୍ରସଙ୍ଗ ନେଇ ଲୋକଙ୍କ ଆସ୍ଥା ଭାଜନ ହୋଇପାରେ । ତେବେ ଦିଲ୍ଲୀରେ କିଏ ମାରୁଛି ବାଜି ତାହା ୧୧ରେ ହିଁ ଜଣାପଡିବ ।