ସାନଖେମୁଣ୍ଡିରେ କିଏ ହାତେଇବ ଆସନ? ଧରାକୋଟର ରାଜଜେମା, ନା କଂଗ୍ରେସ ବଞ୍ଚାଇ ରଖିବ ନିଜ ଗଡ । ବିଜେଡି-କଂଗ୍ରେସକୁ ମାତ ଦେବାକୁ ବିଜେପିର ପ୍ରସ୍ତୁତି । 

97

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସେତେ ସରଗରମ୍ ହେଉଛି ରାଜନୈତିକ ମାହୋଲ୍ । ବିଭିନ୍ନ ଦଳର ପ୍ରାର୍ଥୀ ଏବେ ଗାଁ ମୁହାଁ । ନିଜ ସମର୍ଥକଙ୍କୁ ଧରି ଘରକୁ ଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ସଭାସମିତି କରି କର୍ମୀ ଯୋଗାଡ କରି ଶକ୍ତି ଗୋଟାଇବାରେ ଲାଗିଛନ୍ତି ନେତା । ଭୋଟରଙ୍କ ମଧ୍ୟରେ ବି ଚର୍ଚ୍ଚା କିଏ ହାତେଇବ ସାନଖେମୁଣ୍ଡି ସିଂହାସନ ।

  • ସାନଖେମୁଣ୍ଡିର ୨୪ ବାଜିଗର କିଏ?
  • କାହାକୁ ଭରସା କରିବେ ଜନତା?
  • କଣ କହି ଭୋଟ ମାଗୁଛନ୍ତି ନେତା?

ସାନଖେମୁଣ୍ଡି ସିଂହାସନ ପାଇଁ ସଂଘର୍ଷପୂର୍ଣ୍ଣ ଲଢେଇ । ଗଡ ଦଖଲ ପାଇଁ ପ୍ରାର୍ଥୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ । ୨୦୦୯ରୁ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକକୁ ନେଇ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳି ଗଠିତ । ଚତୁର୍ଥ ଥର ପାଇଁ ସାନଖେମୁଣ୍ଡିରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ବିଜେଡି-କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବେ ଜନତା । ୨୦୧୯ରୁ କଂଗ୍ରେସ ହାତରେ ଥିବା ଆସନକୁ ୨୪ରେ ନିଜ ଅକ୍ତିଆରକୁ ଆଣିବା ପାଇଁ ଧରାକୋଟ ରାଜଜେମା ସୁଶ୍ରୀ ସୁଲକ୍ଷଣା ଗୀତାଞଳି ଦେବୀକୁ ମଇଦାନକୁ ଓହ୍ଲାଇଛି ବିଜେଡି ।

ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ଏକମାତ୍ର ଗଡ କୁହାଯାଉଥିବା ସାନଖେମୁଣ୍ଡିରେ ପୂର୍ବରୁ ଦ୍ୱିମୁଖୀ ଲଢେଇ ଦେଖିଥିଲେ ଭୋଟର । ୨୦୧୯ରେ ଗଞ୍ଜାମର ୧୩ଟି ନିର୍ବାଚନ ମଣ୍ଡଳିରୁ ୧୨ଟି ବିଜେଡି ଦଖଲ କରିଥିବା ବେଳେ ସାନଖେମୁଣ୍ଡିରେ ବାଜିମାତ କରିଥିଲା କଂଗ୍ରେସ । ବିଜେଡି ପ୍ରାର୍ଥୀ ରାଜମାତା ନନ୍ଦିନୀ ଦେବୀଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲେ ରମେଶ ଜେନା । ରମେଶଙ୍କୁ ଏଥର ପୁଣି ରିପିଟ୍ କରିଛି କଂଗ୍ରେସ । କର୍ମୀଙ୍କୁ ଏକାଠି କରି ପୁଣି ଥରେ  ମୁକୁଟ ପିନ୍ଧିବା ପାଇଁ ଜୋରସୋରରେ ପ୍ରଚାର କରୁଛନ୍ତି ରମେଶ ।

ପୂର୍ବରୁ ବିଜେଡି-କଂଗ୍ରେସ ମଧ୍ୟରେ ଲଢେଇ ଦେଖିଥିବା ଜନତା ଏକର ତ୍ରିମୁଖୀ ଲଢେଇ ଦେଖିପାରନ୍ତି । ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ କଂଗ୍ରେସ ପ୍ରାର୍ଥୀ ରମେଶ ଜେନାଙ୍କୁ ମାତ୍ ଦେଇ ଭୋଟରଙ୍କ ମନ ଜିଣିବା ପାଇଁ ଭରପୁର ଉଦ୍ୟମ କରୁଛନ୍ତି ବିଜେପି ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ।