କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିବା ପରେ ପରେ ରୋଚକ ହୋଇଛି ରାଜନୀତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିର୍ବାଚନ ମୈଦାନରେ ପାଦ ଦେଉ ଦେଉ ଦଳରେ ବିଦ୍ରୋହ ଆରମ୍ଭ ହୋଇଛି । ପୂର୍ବତନ ବିଧାୟକ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରି ବିଜେଡି ସୁପ୍ରିମୋଙ୍କ ନିଷ୍ପତିକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଏପରି ସ୍ଥିତିରେ ରାଜୁଙ୍କୁ ଭିତିରିଆ ମନାଇବାକୁ ବିଜେଡି ଚେଷ୍ଟା ଚଳାଇଥିବା ସୂଚନା ମିଳିଛି । କାରଣ ରାଜୁ ଦଳୀୟ ନିଷ୍ପତିକୁ ବିରୋଧ କରି ପ୍ରାର୍ଥପତ୍ର ଦାଖଲ କରିଥିଲେ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କାଲି ପ୍ରାର୍ଥୀପତ୍ର ପତ୍ୟାହାର କରିବାର ତାରିଖ ଧାର୍ଯ୍ୟ କରାଯାଇଛି । ଆଉ ଯଦି ରାଜୁ ପ୍ରାର୍ଥୀପତ୍ର ପ୍ରତ୍ୟାହର ନ କରନ୍ତି ତେବେ ଧାମନଗରରେ ତ୍ରିମୁଖୀ ଲଢେଇ ହେବା ଏକପ୍ରକାର ସ୍ପଷ୍ଟ ହୋଇଯିବ ।
ଏପଟେ ଅବନ୍ତୀ ଓ ରାଜୁଙ୍କ ବିବାଦରୁ ଫାଇଦା ନେବାକୁ ବିରୋଧୀ ଦଳର ପ୍ରାର୍ଥୀ ଉଦମ୍ୟ ଆରମ୍ଭ କରିଛନ୍ତି । ଧାମନଗରରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଏବେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି । ବିଜେଡି ପ୍ରଚାର ତାଲିକା ପ୍ରକାଶିତ ହୋଇଥିଲା ବେଳେ ରାଜୁ ଦାସ କହିଛନ୍ତି ଧାମନଗରବାସିନ୍ଦା ତାଙ୍କର ଷ୍ଟାର କ୍ୟାମ୍ପେନର । ଲୋକଙ୍କ ସୁଖଦୁଃଖରେ ଛିଡା ହୋଇଥିବାରୁ ତାଙ୍କର ବିଜୟ ନିଶ୍ଚିତ ବୋଲି କହିଛନ୍ତି ରାଜୁ ଦାସ । ଅନ୍ୟପଟେ ଅବନ୍ତୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ସହ ଲୋକାଭିମୁଖୀ କାର୍ଯ୍ୟ ତାଙ୍କୁ ବିଜୟୀ କରାଇବ ।