ପୂର୍ବାଂଚଳ ରାଜ୍ୟରେ କିଏ ମାରିବ ବାଜି? ପଶ୍ଚିମବଙ୍ଗରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ବିଜେପି । ସେପଟେ ପୁଣି କ୍ଷମତା ଦଖଲରେ ଲାଗିପଡିଛନ୍ତି ମମତା ବାନାର୍ଜୀ ।

104

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି । ବିଶେଷ କରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ସଫଳତା ପରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ଭାରତୀୟ ଜନତା ପାର୍ଟି । ଅନ୍ୟ ପକ୍ଷରେ ୧୦ ବର୍ଷର ଶାସନକୁ ପୁଞ୍ଜି କରି ତୃତୀୟ ଥର ପାଇଁ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ମୁହାଁମୁହିଁ ହେଉଥିବା ଟିଏମସି ଓ ବିଜେପିର ଶକ୍ତି ଓ ଦୁର୍ବଳତା ଉପରେ ନଜର ପକାନ୍ତୁ ।

ଟିଏମସି ଓ ବିଜେପିର ଶକ୍ତି
ଟିଏମସିର ଶକ୍ତି- ସମଗ୍ର ରାଜ୍ୟରେ ମଜଭୂତ କ୍ୟାଡର
ବିଜେପିର ଶକ୍ତି- ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା
ଟିଏମସିର ଶକ୍ତି- ଦୀର୍ଘ ୧୦ ବର୍ଷରେ ମମତାଙ୍କ ମଜଭୂତ ନେତୃତ୍ୱ
ବିଜେପିର ଶକ୍ତି- ନିର୍ବାଟନରେ ମୋଦି ବନାମ ମମତା ଲଢେଇ
ଟିଏମସିର ଶକ୍ତି- ମହିଳା ଓ ମୁସଲମାନଙ୍କ ଭୋଟ୍ ବେସ
ବିଜେପିର ଶକ୍ତି- ଟିଏମସି ନେତା ଦଳ ଛାଡି ବିଜେପିରେ ଯୋଗଦେବା
ଟିଏମସିର ଶକ୍ତି- ଜଣେ ସାଧାରଣ ମହିଳା ପରି ମମତାଙ୍କ ବେଶଭୂଷା
ବିଜେପିର ଶକ୍ତି- କେନ୍ଦ୍ରରେ ମୋଦି ସରକାରଙ୍କ ମଜଭୂତ ନେତୃତ୍ୱ

ଟିଏମସି ଓ ବିଜେପିର ଦୁର୍ବଳତା
ଟିଏମସିର ଦୁର୍ବଳତା- ମମତା ବାନାର୍ଜୀଙ୍କ ଉପରେ ଅଧିକ ନିର୍ଭରଶୀଳତା
ବିଜେପିର ଦୁର୍ବଳତା- ମୋଦିଙ୍କ ଉପରେ ଅଧିକ ନିର୍ଭରଶୀଳତା
ଟିଏମସିର ଦୁର୍ବଳତା- ୧୦ ବର୍ଷ ଶାସନ କାଳରେ ସରକାର ବିରୋଧୀ ହାୱା
ବିଜେପିର ଦୁର୍ବଳତା- ସାରା ରାଜ୍ୟରେ ବିଜେପିର ଦୁର୍ବଳ କ୍ୟାଡର
ଟିଏମସିର ଦୁର୍ବଳତା- ଦଳ ଛାଡି ଯାଉଥିବା ନେତା ଓ କର୍ମୀ
ବିଜେପିର ଦୁର୍ବଳତା- ରାଜ୍ୟ ପ୍ରସଙ୍ଗ ଛାଡି ଜାତୀୟ ପ୍ରସଙ୍ଗରେ ଭୋଟ୍ ମାଗିବା
ଟିଏମସିର ଦୁର୍ବଳତା- ଜାତି ଓ ସଂପ୍ରଦାୟକୁ ନେଇ ଟିଏମସିର ନୂଆ ରାଜନୈତିକ ଚାଲ
ବିଜେପିର ଦୁର୍ବଳତା- ମମତାଙ୍କ ମୁକାବିଲାରେ ବିଜେପିର ରାଜ୍ୟ ଚେହେରାର ଅଭାବ

ପ୍ରଥମ ପର୍ଯ୍ୟାୟରେ ୩୦ଟି ବିଧାନସଭା ଆସନ ପାଇଁ ୧୯୧ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ଲକ୍ଷ ମତଦାତା । ପଶ୍ଚିମବଙ୍ଗର ମୋଟ୍ ୨୯୪ ବିଧାନସଭା ଆସନ ଲାଗି ୮ଟି ପର୍ଯ୍ୟାୟରେ ମତଦାନ ହେଉଛି । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଆସନ ଲାଗି ମତଦାନ ହେଉଥିବାବେଳେ, ଏପ୍ରିଲ ୧ରେ ୩୦, ଏପ୍ରିଲ ୬ ତାରିଖରେ ୩୧, ଏପ୍ରିଲ ୧୦ରେ ୪୪, ୧୭ ଏପ୍ରିଲରେ ୪୫, ୨୨ ଏପ୍ରିଲରେ ୪୩, ୨୬ ଏପ୍ରିଲରେ ୩୬ ଓ ଏପ୍ରିଲ ୨୯ ତାରିଖରେ ୩୫ଟି ଆସନ ଲାଗି ମତଦାନ ହେବ । ମେ ୨ ତାରିଖରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ ।

ସେହିପରି ଆସାମରେ ମୁହାଁମୁହିଁ ହେଉଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ-ଏଆଇୟୁଡିଏଫ ମେଂଟ । ପ୍ରଥମ ପର୍ଯ୍ୟାୟରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ଦେବବ୍ରତ ସାଇକିଆଙ୍କ ପାଇଁ ଆଜି ଭୋଟ୍ ପଡିଛି । ଏଠାରେ ୩ଟି ପର୍ଯ୍ୟାୟରେ ମତଦାନ ହେଉଛି । ଆସାମ ବିଧାନସଭାର ମୋଟ୍ ୧୨୬ ଆସନରୁ ଆଜି ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ ଲାଗି ମତଦାନ ହୋଇଛି । ଏପ୍ରିଲ ୧ ତାରିଖରେ ୩୯ଟି ଆସନ ଲଗି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟେ ପଡିବ । ସେହିପରି ଏପ୍ରିଲ ୬ ତାରିଖରେ ବାକି ୪୦ଟି ଆସନ ଲାଗି ତୃତୀୟ ପର୍ଯ୍ୟାୟରେ ମତଦାନ ହେବ ।