କନକ ବ୍ୟୁରୋ: ରାତି ପାହିଲେ ଆସିବ ବହୁ ପ୍ରତୀକ୍ଷିତ ବାଲେଶ୍ବର ସଦର ଉପନିର୍ବାଚନ ଫଳାଫଳ । ନିର୍ବାଚନ ରଣାଙ୍ଗନରେ କିଏ ବାଜି ମାରିବ ତାକୁ ନେଇ ଉତ୍କଣ୍ଠା ବଢ଼ିବା ସାଙ୍ଗକୁ ଦଳୀୟ ମହଲରେ ଚର୍ଚ୍ଚା, ଆଲୋଚନା ବି ଜୋର ଧରିଛି। ଦଳୀୟ ନେତାଙ୍କ ଛାତି ଏକପ୍ରକାର ଧଡ଼ପଡ଼ ହେବାକୁ ଆରମ୍ଭ କରିଛି।

Advertisment

ଚଳିତମାସ ୩ ତାରିଖରେ ବାଲେଶ୍ବର ସଦର ଆସନ ପାଇଁ ହୋଇଥିଲା ଉପନିର୍ବାଚନ। ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ୨୬ଟି ପଞ୍ଚାୟତ ସହିତ ପୌରପାଳିକାର ୩୧ଟି ୱାର୍ଡର ୨ ଲକ୍ଷ ୩୦ ହଜାର ୨୯୭ ଭୋଟରଙ୍କ ମଧ୍ୟରୁ ଉପନିର୍ବାଚନରେ ୧ ଲକ୍ଷ ୬୨ ହଜାର ୮୦୫ ଜଣ ଭୋଟର ମତଦାନ କରିଥିଲେ। ଭୋଟ୍ ହାର ମଧ୍ୟ ବେଶ ଉତ୍ସାହଜନକ (୭୦.୬୯%) ଥିଲା। ନିର୍ବାଚନୀ ରଣାଙ୍ଗନରେ ସମୁଦାୟ ୬ ଜଣ ପ୍ରାର୍ଥୀ ଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ମତଦାନ ପରେ କଂଗ୍ରେସର ସ୍ଥିତି ନେଇ ଦଳୀୟ ନେତାମାନେ ଅବଗତ ଥିବାବେଳେ ବିଜେଡି ଓ ବିଜେପିକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି। କିଏ ଜିତିବ ଏବଂ କେତେ ଭୋଟରେ ଜିତିବ, ତାକୁ ନେଇ ରାଜନେତାମାନେ ଅଙ୍କ କଷିବା ଆରମ୍ଭ କରିଛନ୍ତି।

୨୦୦୯ରୁ ଏହି ଆସନ ଶାସକ ଦଳ ଅକ୍ତିଆରରେ ରହିଥିବା ବେଳେ ୨୦୧୯ରେ ବିଜେଡି ପ୍ରାର୍ଥୀ ଜୀବନପ୍ରଦୀପ ଦାଶଙ୍କୁ ହରାଇ ଦେଇଥିଲେ ବିଜେପିର ମଦନମୋହନ ଦତ୍ତ। ତେବେ ଜିତିବାର ପ୍ରାୟ ଦେଢ଼ ବର୍ଷ ପରେ ମଦନମୋହନଙ୍କ ଅକାଳ ବିୟୋଗ ଘଟିଥିଲା। ଉପନିର୍ବାଚନରେ ସ୍ବର୍ଗତ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ବିଜେଡି ନୂଆ ଚେହେରା ଭାବେ ପୂର୍ବତନ କାଉନସିଲର ସ୍ବରୁପ ଦାସଙ୍କୁ ଠିଆ କରାଇଥିଲା। ସେହିପରି କଂଗ୍ରେସ ମଧ୍ୟ ବାଲେଶ୍ବର ଆସନରେ ପ୍ରଥମ କରି ଜଣେ ମହିଳା ସମାଜସେବୀ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି ଲୋକଙ୍କଠାରୁ ଭୋଟ୍ ମାଗିଥିଲା।

ତିନିଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ଶତାଧିକ ଛାମୁଆ ନେତା ମାସେ କାଳ ବାଲେଶ୍ବରରେ ଡେରା ପକାଇଥିଲେ। କିଏ ବିକାଶକୁ ପ୍ରସଙ୍ଗ କରିଥିଲା ତ କିଏ ଅନୁକମ୍ପା ଭୋଟକୁ ହାତେଇବାକୁ ଚେଷ୍ଟା କରିଥିଲା। ନିର୍ବାଚନୀ ମଇଦାନରେ ପ୍ରାର୍ଥୀମାନେ ପରସ୍ପରକୁ କଡ଼ା ଟକ୍କର ଦେଇଥିବାବେଳେ ଜନମତ କାହା ସପକ୍ଷରେ ଯାଉଛି, ତାହା ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ। ଆସନ୍ତାକାଲି ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ଭୋଟ୍ ଗଣାଯିବା ପରେ ଇଭିଏମ୍ ମେସିନ୍ ଖୋଲାଯିବ। ମାତ୍ର ୪/୫ ଘଣ୍ଟା ମଧ୍ୟରେ ବାଲେଶ୍ବର ବାଜି କିଏ ଜିଣିବ ତାହା ଜଣାପଡ଼ିଯିବ।