କିଏ ଜିତିବ ସୁନ୍ଦରଗଡ? ୫ ବର୍ଷରେ ବଦଳିଛି ସୁନ୍ଦରଗଡ ରାଜନୀତି । ବାଜିରେ ଲାଗିଛି ଦଳ ଛାଡିଥିବା ନେତାଙ୍କ ଭାଗ୍ୟ

194

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ସହ ତିନି ଜାତୀୟ ଦଳ ବିଜେପି, କଂଗ୍ରେସ ଓ ବାମଦଳକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିବା ଏକମାତ୍ର ଜିଲ୍ଲା ସୁନ୍ଦରଗଡରେ କିଏ ପିନ୍ଧିବ ପଞ୍ଚାୟତ ଶିରପା? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବଦଳିଯାଇଛି ସୁନ୍ଦରଗଡ ଜିଲ୍ଲାର କିଛି ଟାଣୁଆ ନେତାଙ୍କ ଆଭିମୁଖ୍ୟ । କାରଣ ଜିଲ୍ଲାର ସର୍ବାଧିକ ପ୍ରମୁଖ ନେତା ଏବେ ନିଜ କ୍ୟାମ୍ପ ଛାଡି ଅନ୍ୟ ଦଳରେ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁନ୍ଦରଗଡ ବିଧାୟକ ଥିବା ଯୋଗେଶ ସିଂ କଂଗ୍ରେସ ଛାଡି ବିଜେଡି ଟିକେଟରେ ମୈଦାନକୁ ଓହ୍ଲାଇଥିଲେ । ଫଳସ୍ୱରୂପ ବିଜେଡି ଟିକେଟ ଆଶାୟୀ କୁସୁମ ଟେଟେ ପଦ୍ମ ଶିବିରକୁ ଲମ୍ଫ ଦେଇ ଏବେ ବିଧାୟିକା ଅଛନ୍ତି । ସେହିପରି ସମତାକ୍ରାନ୍ତି ଦଳରେ ଥିବା ଆଦିବାସୀ ନେତା ଜର୍ଜ ତିର୍କୀ ଏବେ କଂଗ୍ରେସ ପାଇଁ କାମ କରୁଛନ୍ତି । ଆଉ ଅଳ୍ପ ଦିନ ପୂର୍ବରୁ କଂଗ୍ରେସ ଛାଡି ବିଜେଡି ସହ ହାତ ମିଳାଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଞ୍ଚାୟତ ନିର୍ବାଚନରେ ପତିଆରା ବଜାୟ ରଖିବା ସବୁ ନେତାଙ୍କ ପାଇଁ ବଡ ଆହ୍ୱାନ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜ ଦଳର ମହିଳା କର୍ମୀଙ୍କ ଅଭିଯୋଗ ପରେ ବରିଷ୍ଠ ବିଜେପି ନେତା ତଥା ସାଂସଦ ଜୁଏଲ ଓରାମ ଏବେ ଅଜ୍ଞାତବାସରେ । ସେ ପଞ୍ଚାୟତ ଲଢେଇରେ ଦଳ ପାଇଁ ଓହ୍ଲାଇବେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି । ତେଣୁ ୨୦୧୭ରେ ଶାସକ ବିଜେଡିକୁ କଡା ଟକ୍କର ଦେଇଥିବା ବିଜେପି ପାଇଁ ଏଥର ନିର୍ବାଚନ ସହଜ ହୋଇନପାରେ ।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ପଦ ହାତେଇଥିଲେ ମଧ୍ୟ ଏଥିପାଇଁ ଶାସକଦଳକୁ ଢେର କସରତ କରିବାକୁ ପଡିଥିଲା । କାରଣ ୩୫ ଜିଲ୍ଲା ପରିଷଦ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ବିଜେଡି – ୧୪ , ବିଜେପି – ୧୩, କଂଗ୍ରେସ – ୫କୁ ଆସନ ମିଳିଥିବା ବେଳେ ସିପିଆଇ ସିପିଏମ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଗୋଟିଏ ଆସନ ମିଳିଥିଲା । ତେଣୁ ସୁନ୍ଦରଗଡ ଦଖଲ ଏବେ ସବୁ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।