ପଞ୍ଚାୟତ ରାଜନୀତିରେ କାହା କବଜାକୁ ଯିବ ନୟାଗଡ଼ ? ଅରୁଣ ସାହୁଙ୍କ ଦରବାରରେ ଚାଲିଛି ଟିକେଟ ଲବି ।

213

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ନୟାଗଡ ରାଜନୀତି । କିଏ କାହାକୁ ଦେବ ମାତ୍, କାହାର ରଣନୀତି କଣ, ସେନେଇ ସବୁ କ୍ୟାମ୍ପ ଉପରେ ନଜର ରହିଛି । କାଲିଠାରୁ ନାମାଙ୍କନ ଆରମ୍ଭ ହେଉଥିଲେ ବି ସବୁ ଦଳ ପାଇଁ ପ୍ରାର୍ଥୀ ଚୟନ ଏକ ବଡ ଚିନ୍ତା ପାଲଟିଲାଣି । କେଉଁଠି ମନ୍ତ୍ରୀଙ୍କ ଦରବାରରେ ଆଶାୟୀଙ୍କ ଭିଡ ତ ଆଉ କେଉଁଠି ନବାଗତଙ୍କ ଉପରେ ଦଳ ଭରସା କରୁଛି । ଏଭଳି ସ୍ଥିତିରେ ୨୪ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଥିବା ବଳ କଷାକଷିରେ କିଏ ଆଗରେ ରହିବ ତାକୁ ନେଇ ଚାଲିଛି ସମୀକ୍ଷା ।

କ’ଣ ରହିବ ନୟାଗଡ ରାଜନୀତି ସମୀକରଣ ? ପଞ୍ଚାୟତ ପଲିଟିକ୍ସରେ କିଏ କାହାକୁ ଦେବ ମାତ୍ ? ପଞ୍ଚାୟତ ବିଗୁଲ ବାଜିବା ପରେ ଚଳଚଞ୍ଚଳ ନୟାଗଡ ରାଜନୀତି । ୨୮ ବ୍ଳକରେ ପ୍ରାର୍ଥୀ ଚୟନ ପାଇଁ ରାଜନୈତିକ ଦଳରେ ଚାଲିଛି କସରତ । ବିଜେଡି ସମର୍ଥନରେ ଲଢିବା ପାଇଁ ଏକାଧିକ ଆଶାୟୀ ହାଜିରା ପକାଉଛନ୍ତି ମନ୍ତ୍ରୀ ଅରୁଣ ସାହୁଙ୍କ ଦରବାରରେ । ଜଣେ ପରେ ଜଣେ ଆସୁଛନ୍ତି । କିଛି ସମୟର ଆଲୋଚନା ପରେ ଚାଲିଯାଉଛନ୍ତି । ବାହାରେ ଦଳ ଦଳ କର୍ମୀ ଆଉ ନେତାଙ୍କ ଅପେକ୍ଷା । ଆଉ ଭିତରେ ଗୋଟିଏ ଗୋଟିଏ ପଞ୍ଚାୟତରେ ଏକାଧିକ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ ନେଉଛନ୍ତି ନିଜେ ବିଧାୟକ ଅରୁଣ ।

କର୍ଣ୍ଣ ମଲେ ପାଂଚ ଅର୍ଜୁନ ମଲେ ପାଂଚ । ଏହି ନିତିରେ ଚଳିତ ପଞ୍ଚାୟତ ନିର୍ବାଚନ ଲଢୁଛି ନୟାଗଡ ବିଜେଡି । କାରଣ ବିଗୁଲ ବାଜିବା ଆଗରୁ ମାଳ ମାଳ ବିରୋଧି ନେତା ଓ କର୍ମୀଙ୍କୁ ନିଜ ଶିବିରକୁ ନେଇ ଆସିଥିବା ବିଜେଡି ଜାଣିଛି ଯିଏ ଜିତିବ ସିଏ ଆମର । ସବୁ ପଞ୍ଚାୟତରେ ଏକାଧିକ ଆଶାୟୀ ରହିବା ଦଳ ପାଇଁ ଚିନ୍ତା ବଢାଇପାରେ । ହେଲେ ରାଜନୀତିର ଗୋଟି ଚାଳନାରେ ମାହିର୍ ଅରୁଣ, ପ୍ରାର୍ଥୀ କାର୍ଡ ଖୋଲିବା ବଦଳରେ ସମସ୍ତଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ସେହିପରି ଘମାଘୋଟ କସରତ କରିବାରେ ଲାଗିଛି ନୟାଗଡ ବିଜେପି । ଚାଲିଛି ଘନ ଘନ ବୈଠକ । ଏକାଧିକ ଛାମୁଆ ନେତା ବିଜେଡିକୁ ଚାଲିଗଲା ପରେ ସିଧାସଳଖ ପ୍ରାର୍ଥୀ ଚୟନରେ ଲାଗିଛନ୍ତି ଇରାନୀ ରାୟ । ସମାନ ଭାବରେ ବିଜେଡିରୁ କିଛି ଅସନ୍ତୁଷ୍ଟଙ୍କୁ ନେଇ ଆସିଛନ୍ତି ନିଜ ଶିବିରଙ୍କୁ । ତଥାପି ବିଜେଡି ଦଳୀୟ କନ୍ଦଳରୁ ବାଦ ପଡିବାକୁ ଥିବା ନେତାଙ୍କ ଉପରେ ନିର୍ଭର କରୁଛି ଦଳର ପ୍ରାର୍ଥୀ ଚୟନ । ସରକାରଙ୍କ ଏକାଧିକ ବିଫଳତାକୁ ଅସ୍ତ୍ର କରି ପଞ୍ଚାୟତ ଗୋଟିଚାଳନା ଚକ୍କରରେ ରହିଛି ନୟାଗଡ ବିଜେପି ।

ସେହିପରି କଂଗ୍ରେସ ମଧ୍ୟ ନିଜ ପ୍ରସ୍ତୁତି ଜାରି ରଖିଛି । ନିର୍ବାଚନରେ ନବାଗତଙ୍କୁ ନେଇ ବୈତରଣୀ ପାର୍ ହେବାକୁ ଦଳ ଲକ୍ଷ୍ୟ ରଖିଛି । ୨୦୧୭ରେ ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନରୁ ଏକତରଫା ଭାବେ ବିଜେଡି ୧୯ ଆସନ ଅକ୍ତିଆର କରିଥିଲା । ବିଜେପି ଭାଗରେ ମୋଟ ୪ଟି ଆସନ ପଡିଥିଲା । ୨୦୨୨ ବେଳକୁ ଯଦିଓ ଜିଲ୍ଲା ରାଜନୀତିରେ ସେତେଟା ବଡ ପରିବର୍ତନ ଆସିନି ହେଲେ ବ୍ୟକ୍ତିଗତ ଭାବେ ଅରୁଣ ସାହୁ ବଦନାମ ହୋଇଥିବାରୁ, ଏହାର ପ୍ରଭାବ କଣ ରହିବ ତାଉପରେ ନିର୍ଭର କରୁଛି ଫଳାଫଳ ।