ଟାଣ ଖରାରେ ଜମୁଛି ପ୍ରଚାର । ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା, ଜୁନାଗଡ ଜିତିବ କିଏ?

101

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଜୁନାଗଡ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ପ୍ରଚାରରେ ମାତିଛନ୍ତି । ତାତିକୁ ଖାତିର ନକରି ସମର୍ଥନ ଗୋଟାଇବା ଉଦ୍ଦେଶ୍ୟରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ବିଜେଡି ପ୍ରାର୍ଥୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ମେହେର ଓ କଂଗ୍ରେସ ପ୍ରାର୍ଥୀ ତୁଲେଶ୍ୱର ନାଏକ ନିଜ ନିଜ ଢଙ୍କରେ ଭୋଟ୍ ଯୋଗାଡରେ ଲାଗିଛନ୍ତି ।

  • ତାତି ପ୍ରବଳକୁ ପ୍ରଚାର ଜୋରଦାର
  • ଜୁନାଗଡ଼ରେ ଜମୁଛି ପ୍ରଚାର
  • ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ନେତା

କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣାରୁ ଆସି ଜୁନାଗଡରୁ ଦୁଇ ଦୁଇ ଥର ବିଜେଡି ବିଧାୟକ ହୋଇଛନ୍ତି । ବିଭିନ୍ନ ଘଟଣାକୁ ନେଇ ବିବାଦକୁ ଆସିଥିଲେ ମଧ୍ୟ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିଛି । ଏଥର ଦିବ୍ୟଶଙ୍କରଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମନୋଜ ମେହେର, ୨୦୧୯ରେ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ସେପଟେ ରାଜ୍ୟରୁ ଧିରେ ଧିରେ ପତିଆରା ହରାଉଥିବା କଂଗ୍ରେସ ଜୁନାଗଡରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ଗୋଲମୁଣ୍ଡା ବ୍ଲକର ତୁଲେଶ୍ୱର ନାୟକଙ୍କ ଉପରରେ ଆସ୍ଥା ପ୍ରକଟ କରିଛି ଦଳ । ତୁଲେଶ୍ୱର, ପିପିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଉଛି ।

ଜୁନାଗଡ ଜିତିବ କିଏ, ତାହା ତ ଜନତା ଜନାର୍ଦ୍ଦନ ନିର୍ଣ୍ଣୟ କରିବେ । ହେଲେ ବିଜେଡି ପ୍ରାର୍ଥୀ ୨୪ ବର୍ଷର ବିକାଶକୁ ଲୋକଙ୍କ ଆଗରେ ରଖୁଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମମିତା ମେହେର, ଗୋବିନ୍ଦ ସାହୁର ହତ୍ୟା ଓ ବିଭିନ୍ନ ସମସ୍ୟାକୁ ମୁଦ୍ଦା କରିଛନ୍ତି ।