ପ୍ରତିଶ୍ରୁତିର ବର୍ଷା ଓ ପ୍ରଚାର ସାରି ନେତା ଛାଡିଲେ ପିପିଲି । ଉପନିର୍ବାଚନ ପାଇଁ ୩୦ରେ ପଡ଼ିବ ଭୋଟ ।

156

କନକ ବ୍ୟୁରୋ : ପ୍ରତିଶ୍ରୁତି ଓ ପ୍ରଚାରର ପର୍ବ ସରିଲା । ଏବେ ଭୋଟର ସମୟ । ଗତ ସାତ ଦିନ ଧରି ସରଗରମ ହୋଇଥିବା ପିପିଲି ରାଜନୀତିର ଉଷ୍ମ ମଇଦାନ ଥଣ୍ଡା ପଡିଛି । ୫ଟା ପରଠାରୁ ପ୍ରଚାର ସାରି ନେତା ଅଞ୍ଚଳ ଛାଡିଛନ୍ତି । ଆସନ୍ତା ୩୦ ତାରିଖ ଉପରେ ସମସ୍ତଙ୍କ ନଜର ଅଛି । ଯେତେବେଳେ ପିପିଲିବାସୀ ନିଜର ପରବର୍ତ୍ତୀ ବିଧାୟକ ବାଛିବା ପାଇଁ ଭୋଟ୍ ଦେବାକୁ ଯିବେ । ଦୀର୍ଘ ବର୍ଷ ଧରି ବିଜେଡିର ଦବଦବା ଥିବା ଏହି ନିର୍ବାଚନ ମଣ୍ଡଳୀରେ ଭୋଟର କାହାକୁ ବାଛିବେ ଓ କାହାକୁ ପ୍ରତ୍ୟାକ୍ଷାନ କରିବେ ତାହା ରାଜ୍ୟ ରାଜନୀତି ପାଇଁ ବଡ ସଙ୍କେତ ଦେବ ବୋଲି ଅନୁମାନ କରାଯାଉଛି ।

ସରିଲା ପିପିଲି ପ୍ରଚାର । ନେତା ବାଛିବେ ପିପିଲିବାସୀ । ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ଥିବା ସମୟ ସୀମା ଶେଷ ହୋଇଛି । ଶେଷ ଦିନରେ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତା ଓ କର୍ମୀ ଗାଁ ଗାଁ ବୁଲି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ଦୀର୍ଘ ବର୍ଷ ହେବ ପିପିଲି ବିଜେଡିର ଗଡ ହୋଇ ରହିଥିବାରୁ ସେହି ଗଡ ରକ୍ଷା କରିବାକୁ ସମସ୍ତ କୌଶଳ ଲଗାଇ ଦେଇଛି ବିଜେଡି । ନିର୍ବାଚନ ପରିଚାଳନାରେ ବେଶ ମାହିର ଥିବା ବିଜୁ ଜନତା ଦଳ, ସବୁ ନିର୍ବାଚନ ଭଳି ଏଥର ବି ବିଜୟୀ ହେବା ପାଇଁ ତୃଣମୂଳସ୍ତରରୁ ସ୍ୱତନ୍ତ୍ର ରଣନୀତି କରିଛି । ଏଥିପାଇଁ ପ୍ରାର୍ଥୀ ରୁଦ୍ର ମହାରଥୀ ଘର ଘର ବୁଲି ଭୋଟ୍ ମାଗୁଥିବାବେଳେ ପ୍ରତି ୱାର୍ଡରେ ଜଗି ରହିଛନ୍ତି ବିଜେଡି ନେତା ଓ କର୍ମୀ । ବିଶେଷକରି ଯୁବ, ଛାତ୍ର ଓ ମହିଳାଙ୍କ ଭୋଟ ଉପରେ ଫୋକସ କରିଛି ବିଜେଡି ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଶେଷ ଦିନରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଶୋଭାଯାତ୍ରା କରିବା ସହ ପିପିଲି ଏନଏସି ଅଂଚଳରେ ବୁଲି ବୁଲି ଆଶ୍ରିତଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସେହିପରି ବିଜେପି ନେତା ସମ୍ବିତ ପାତ୍ର ଆଶ୍ରିତଙ୍କ ପାଇଁ ଭୋଟ ମାଗିଛନ୍ତି । ବର୍ଷା ସତ୍ୱେ ରବିବାର ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ସାଂସଦ ପ୍ରତାପ ଷଡଙ୍ଗୀ ଓ ଅଭିନେତ୍ରୀ ପିଙ୍କି ପ୍ରଧାନ ।

କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ନେତା ଓ କର୍ମୀଙ୍କୁ ଧରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ଗାଁ ବୁଲି ଭୋଟ୍ ମାଗିଛନ୍ତି । ପିସିସି ଉପସଭାପତି ପ୍ରଦୀପ ମାଝୀ ଓ ବିଧାୟକ ସୁର ରାଉତରାୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶେଷ ଦିନରେ ପ୍ରଚାର କରିଛନ୍ତି । ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ମତଦାନ ହେବ । ଆଉ ସେହିଦିନ ପିପିଲିବାସୀ ସେମାନଙ୍କ ନେତା ବାଛିବେ । ତିନି ତାରିଖରେ ଭୋଟ୍ ଗଣତି କରାଯିବ ।