ଭୋଟ ଦେଲା ପଦ୍ମପୁର । ମତାଧିକାର ସାବ୍ୟସ୍ତ କଲେ ରେକର୍ଡ ସଂଖ୍ୟକ ମତଦାତା, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ ।

1,574

କନକ ବ୍ୟୁରୋ : ସରିଛି ପଦ୍ମପୁର ଉପ-ନିର୍ବାଚନ ଭୋଟିଂ । ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏଥରକ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଗତ ୨୦୧୯ ନିର୍ବାଚନରେ ୭୯ ପ୍ରତିଶତ ମତଦାନ ହୋଇଥିବାବେଳେ ଏଥର ୮୦ ପ୍ରତିଶତ ଟପି ଯାଇଛି ଭୋଟିଂ । ତେବେ ପଦ୍ମପୁରବାସୀ କାହାକୁ ଭରସା କରୁଛନ୍ତି ତାହା ଆଗାମୀ ୮ତାରିଖରେ ସ୍ପଷ୍ଟ ହେବ ।
ପଦ୍ମପୁର ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଦିନ ତମାମ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ଅଧିକାଂଶ ବୁଥ ଆଗରେ ଲାଗିଥିଲା ଲୋକଙ୍କ ଗହଳି । ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଧାଡି ଲଗାଇ ଅପେକ୍ଷା କରିଥିଲେ ଅଧିକାଂଶ ଭୋଟର । ସମସ୍ତଙ୍କ ଭିତରେ ଥିଲା ଭୋଟ ଦେବା ପାଇଁ ଆଗ୍ରହ । ଅନ୍ୟ ଭୋଟରଙ୍କ ଭଳି ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ବି ଭୋଟ ଦେଇଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ସାଧାରଣ ଭୋଟରଙ୍କ ଭଳି ଧାଡିରେ ଠିଆ ହୋଇ, ୨୧୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ଭୋଟ ଦେବାକୁ ଯିବା ପୂର୍ବରୁ ବାପା ତଥା ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଫଟୋ ସାମ୍ନାରେ ପ୍ରଣାମ କରି ଆର୍ଶୀବାଦ ନେଇଥିଲେ । ଭୋଟ ଦେବା ପରେ ବର୍ଷା କହିଛନ୍ତି ତାଙ୍କ ବାପାଙ୍କ ଆର୍ଶୀବାଦ ରହିଛି । ପଦ୍ମପୁରବାସୀ ତାଙ୍କୁ ବିଜୟୀ କରିବେ ।

ସେହିପରି ପାଇକମାଳରେ ନିଜ ପରିବାର ସହ ଆସି ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଭୋଟ ଦେବା ପରେ ଦଳ, ବର୍ଣ୍ଣ, ଜାତି ଭେଦ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଅପିଲ କରିଥିଲେ ପ୍ରଦୀପ । କେବଳ ଏତିକି ନୁହେଁ ପ୍ରଦୀପ କହିଛନ୍ତି, ବର୍ଷ ତମାମ ପାଠ ପଢି ମାଟ୍ରିକ୍୍ ଫାଷ୍ଟ ଡିଭିଜନ ପାଇଛନ୍ତି । ସେହିଭଳି ନିର୍ବାଚନ ବି ସଫଳତା ଆଣିବ । ଯେତିକି ପରିଶ୍ରମ କରିଛନ୍ତି ସଫଳତା ମିଳିବ ଓ ସେ ଜୀବନ ସାରା ଲୋକଙ୍କ ସହ ରହିବେ । ପରୀକ୍ଷାରେ ବେଷ୍ଟ-ୱାନ ହେବେ । କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ନିଜ ଗାଁ ମାଣ୍ଡୋସିଲରେ ମତଦାନ କରିଛନ୍ତି । ପରିବାର ସହ ଆସି ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ପଦ୍ମପୁରରେ ଯେତିକି କାମ ହୋଇଛି , ସେ ହିଁ କରିଛନ୍ତି । ତେଣୁ ତାଙ୍କ ଅଂଚଳବାସୀ ଦୃଢ଼ ସମର୍ଥନ କରି ତାଙ୍କୁ ବିଜୟୀ କରାଇବେ ।

ପଦ୍ମପୁରରେ ମତଦାନ ଶେଷ ହେବା ପରେ ଇଭିଏମଗୁଡିକୁ ସିଲ କରି ଷ୍ଟ୍ରଗରୁମକୁ ପଠାଇ ଦିଆଯାଇଛି । ଗଣତି ପର୍ଯ୍ୟନ୍ତ ତ୍ରୀସ୍ତରୀୟ ସୁରକ୍ଷା ଭିତରେ ରହିବ ଏହିସବୁ ଇଭିଏମ । ବିଭିନ୍ନ ପ୍ରସଙ୍ଗକୁ ନେଇ ପଦ୍ମପୁର ଉପନିର୍ବାଚନରେ ଲଢ଼େଇ ହୋଇଛି । କିନ୍ତୁ ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହେବା ପରେ ବିଜେପି ବିଜୟଧାରାକୁ ବଜାୟ ରଖିବା ପାଇଁ ସବୁ ବଳ ଲଗାଇ ଦେଇଛି । ଅନ୍ୟପଟେ ଏହି ଆସନ ବିଜେଡିର ଥିବାରୁ ପୁଣି ଥରେ ଦଖଲ କରିବା ସହ ସମ୍ମାନକୁ ବଜାୟ ରଖିବା ପାଇଁ ରାତି ଦିନକୁ ଏକ କରି ଲଢ଼େଇ କରିଛନ୍ତି ବିଜେଡି ନେତା । ତେବେ ପଦ୍ମପୁରବାସୀ କାହାକୁ ଭରସା କରୁଛନ୍ତି ତାହା ଆଗାମୀ ୮ତାରିଖରେ ସ୍ପଷ୍ଟ ହେବ ।