ବିଜେପି ଓ ବିଜେଡି ପାଇଁ ସମ୍ମାନର ଲଢେଇ କେନ୍ଦ୍ରାପଡା । ତୁଳସୀକ୍ଷେତ୍ର ପାଲଟିଲା ନିର୍ବାଚନ କୁରୁକ୍ଷେତ୍ର

ବିଜୁ ଜନତା ଦଳ ଗଠନ ହେବା ଦିନଠାରୁ କେନ୍ଦ୍ରାପଡା ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ବାଜିମାତ କରି ଆସୁଛନ୍ତି । ପ୍ରତିଥର ସହଜରେ ଆଉ ସୁବିଧାରେ ବିଜୟ ହାସଲ କରୁଥିବା ଦଳ ସାମ୍ନାରେ ଆଜି ଅନେକ ଆହ୍ୱାନ । କିନ୍ତୁ ଆଶ୍ୱସ୍ତିର କଥା ହେଉଛି, ଏହି ଆସନ ସପକ୍ଷରେ ଥିବା ଅତୀତର ରାଜନୈତିକ ସମୀକ୍ଷା ବା ଗଣିତ । ତେଣୁ ସ୍ୱାଭାବିକ ଭାବେ ଏହାକୁ ଆୟୁଧ କରିବା ସହ ବିଜୁ ବାବୁଙ୍କ କର୍ମଭୂମି ଓ ସ୍ୱାଭିମାନର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିଛି ।

714

କନକ ବ୍ୟୁରୋ : ସକାଳୁ ସନ୍ଧ୍ୟା ଯାଏଁ ଯେଉଁ ସଂସଦୀୟ କ୍ଷେତ୍ର ଉପରେ ସମସ୍ତଙ୍କ ସମୀକ୍ଷା ଚାଲିଛି, ଯେଉଁଠି ଜବାବ ଓ ପ୍ରତି ଜବାବ ଭିତରେ ନେତାଙ୍କ ସମୟ କଟିବା ସହ ପ୍ରତିଟି ମିନିଟକୁ ସେମାନେ ପ୍ରଚାର, ପ୍ରସାର ପାଇଁ ଉତ୍ସର୍ଗ କରି ଭୋଟ ହାତେଇବାକୁ ଉଦ୍ୟମ ଜାରି ରଖିଛନ୍ତି, ସେହି କେନ୍ଦ୍ରାପଡା ଲୋକସଭା ଆସନରେ ବାଜି ମାରିବ କିଏ? ଲଢେଇରେ କଂଗ୍ରେସ ଆଜି ଢେର ପଛରେ ରହୁଥିବା ଧାରଣା ସୃଷ୍ଟି ହୋଇଥିବା ବେଳେ ବିଜେଡି ଓ ବିଜେପି ଭିତରେ ଲଢେଇ ଆଉ ସୀମିତ ନାହିଁ । ଦଳ ବାହାରୁ ଏ ଲଢେଇ ଏବେ ବ୍ୟକ୍ତି ପର୍ଯ୍ୟନ୍ତ ଆସି ପହଁଚିଛି ।

ବିଜେପିରୁ ବୈଜୟନ୍ତ ପଣ୍ଡା ଓ ବିଜେଡିରୁ ଅନୁଭବ ମହାନ୍ତିଙ୍କ ଭିତରେ ହୁଏତ ଲଢେଇ ଚାଲିଛି କିନ୍ତୁ ତାଠାରୁ ଦୁଇ ପାଦ ଆଗକୁ ଯାଇ ଲଢେଇ ସ୍ୱାଭିମାନ ଆଉ ବେଇମାନ ଭିତରେ ବୋଲି ବେଶ ବାରି ପଡୁଛି । କାରଣ ଏହି ଦୁଇ ଶଦ୍ଦ ଚାରି ପାଖରେ ହିଁ ପୁରା କେନ୍ଦ୍ରାପଡା ରାଜନୀତି ଘୁରିବୁଲୁଛି । କିଏ କାହା ବିଶ୍ୱାସ ଭାଙ୍ଗିଛି ଆଉ କିଏ ବିକାଶ ପାଇଁ କାମ କରିଛି ତାର ହିସାବ କିତାବ କରିବାର ବେଳ ଆସିଛି ।

କେନ୍ଦ୍ରାପଡାରେ ଶିଳ୍ପ ପାଇଁ ବୈଜୟନ୍ତଙ୍କ ଚିନ୍ତା ନଥିଲା । ସବୁବେଳେ ତାଙ୍କ ଚିନ୍ତା ଥିଲା, ନିଜ ଶିଳ୍ପର ପ୍ରସାର । କେନ୍ଦ୍ରାପଡା ଯୁବକଙ୍କ ନିଯୁକ୍ତି ତାଙ୍କ ପ୍ରାଥମିକତା ନଥିଲା, ସେ କିପରି ନିଜେ ଭଲ ନିଯୁକ୍ତି ପାଇବେ, ସେଥିପାଇଁ ବ୍ୟସ୍ତ ଥିଲେ । କେନ୍ଦ୍ରାପଡାରେ ରେଳ ଯୋଗାଯୋଗ ପାଇଁ ମୁଁ ଚେଷ୍ଟା କରୁଥିଲି ହେଲେ କେନ୍ଦ୍ରାପଡା ସାଂସଦ ନିଜ ଶିଳ୍ପକୁ ରେଳ ଯୋଗାଯୋଗ କଥା କହୁଥିଲେ ।
ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡାରେ ପ୍ରଚାର ବେଳେ ନବୀନ ଯେଉଁ ବୟାନ ରଖିଥିଲେ, ତାକୁ ଅନୁଶୀଳନ କଲେ ସ୍ପଷ୍ଟ ଭାବେ ବୁଝାପଡିବ, ଏହା ଏବେ ସମ୍ମାନର ଲଢେଇ ପାଲଟିସାରିଛି । କାରଣ କେନ୍ଦ୍ରାପଡା ଆସନ ଅଣ ବିଜେପି ଓ ଅଣ କଂଗ୍ରେସର ଗଡ ହୋଇ ରହିଆସିଛି । ସ୍ୱାଭାବିକ ଭାବେ ଏହି ଆସନକୁ ସହଜରେ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ବିଜେଡି ସୁପ୍ରିମୋ । ଯେଉଁଥିପାଇଁ ନିଜେ ପ୍ରଚାରର ମଙ୍ଗ ଧରିବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ମୋ ଅନୁରୋଧରେ ବୈଜୟନ୍ତଙ୍କୁ ଦୁଇ ଥର ଭୋଟ ଦେଇଥିଲେ । ସେ ଆପଣଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ଓ ମୋ ବିଶ୍ୱାସ ଭାଙ୍ଗିଛନ୍ତି । କେନ୍ଦ୍ରାପଡାବାସୀଙ୍କ ବିଶ୍ୱାସ ସହ ସେ ଖେଳିଛନ୍ତି । ଏହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ । କେନ୍ଦ୍ରାପଡାବାସୀ ତାଙ୍କୁ ଉଚିତ ଜବାବ ଦେବେ । କେନ୍ଦ୍ରାପଡାର ବିକାଶ ଏବେ ମୁଁ ନିଜେ ଦେଖିବି ।
ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

ଅର୍ଥାତ୍ ଏହି ତମାମ ଉକ୍ତି ବଳରେ ବୈଜୟନ୍ତ ଗତ ୧୦ ବର୍ଷରେ କିଭଳି ସମସ୍ତଙ୍କ ବିଶ୍ୱାସ ସହ ଖେଳିଥିଲେ ତାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଥିଲେ ବିଜେଡି ସୁପ୍ରିମୋ । ଆଉ ଏହାକୁ ଆୟୁଧ କରି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ଭୋଟ ମାଗିବାକୁ ଉଦ୍ୟମ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଲଢେଇର ଗୁରୁତ୍ୱକୁ ଉଭୟ ପକ୍ଷ ବେଶ ଭଲ ଭାବେ ବୁଝିଛନ୍ତି । ତେଣୁ ବାଜି ମାରିବାକୁ ଉଭୟ ପକ୍ଷରୁ ପ୍ରାଣମୂର୍ଛା ଉଦ୍ୟମ ଜାରି ରହିଛି ।

ସାଧାରଣ ସଭାରେ ବାକ୍ୟବାଣ ଭିତରେ ସବୁକିଛି ସୀମିତ ନାହିଁ, ବରଂ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ବୈଜୟନ୍ତ ମିଥ୍ୟା ଖବର ପଚାର କରିଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ନବୀନ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଯେଉଁ ବୟାନ ରଖିଥିଲେ ବିଜେଡି ସୁପ୍ରିମୋ, ତାକୁ ଅନୁଶୀଳନ କଲେ ସ୍ପଷ୍ଟ ଭାବେ ବୁଝାପଡୁଛି, କିଭଳି କେନ୍ଦ୍ରାପଡା ଲଢେଇକୁ ସମ୍ମାନର ଲଢେଇ ଭାବେ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ ।

ଆକ୍ରମଣ କେବଳ ଗୋଟିଏ ଶିବିରରୁ ରହିନାହିଁ । ବିଜେପି ଶିବିରରୁ ମଧ୍ୟ ଆକ୍ରମଣ ହୋଇଛି । ବିଜେଡି ଉପରେ, ନବୀନଙ୍କ ଉପରେ ବୟାନ ବୋମା ଛଡାଯାଇଛି । କାରଣ ରାଜନୈତିକ ଯୁଦ୍ଧରେ କେହି ଦୂର୍ବଳ ହୋଇ ରହିବାକୁ ଚାହୁଁନାହାନ୍ତି ।

“ମୋତେ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ, ଏଭଳି ଡାହାମିଛ ଓ ଭିତ୍ତିହୀନ ଅଭିଯୋଗ ଆଣି ନବୀନ ନିଜକୁ ତଳ ସ୍ତରକୁ ନେଇଯାଉଛନ୍ତି। ବେଳେବେଳେ ସେ ସ୍କୁଲ ପିଲାଙ୍କ ପରି କାନ୍ଦୁଛନ୍ତି। ପୁଣି କେତେବେଳେ କହୁଛନ୍ତି ମୁଁ କୁଆଡ଼େ ତାଙ୍କ ସ୍ୱସ୍ଥ୍ୟ ବାବଦରେ ଅପପ୍ରଚାର କରୁଛି। କେତେବେଳେ ସେ କହୁଛନ୍ତି ମୁଁ କୁଆଡ଼େ ତାଙ୍କ ଆସନ ଉପରେ ନଜର ପକାଉଛି। ୧୮ ବର୍ଷର ସରକାରରେ ମୁଁ କେବେ ମଧ୍ୟ କୌଣସି ପଦପଦବୀ ପଛରେ ପଡ଼ିନାହିଁ।”
ବୈଜୟନ୍ତ ପଣ୍ଡା, ବିଜେପି ଲୋକସଭା ପ୍ରାର୍ଥୀ, କେନ୍ଦ୍ରାପଡା

କଥା କେବଳ ଦୁଇ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସୀମିତ ନାହିଁ, ଏହି ବୟାନ ବାଜି ଭିତରେ ଉଭୟ ଦଳର ମୁଖପାତ୍ର ଏପରିକି ବୈଜୟନ୍ତଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଥିବା ଅନୁଭବ ମଧ୍ୟ ସାମିଲ ଅଛନ୍ତି । ସତ୍ୟପାଠରେ ତଥ୍ୟ ଲୁଚାଇବାକୁ କିଛି ନାହିଁ, ମୁଁ କେବଳ କେନ୍ଦ୍ରାପଡା ବାସୀଙ୍କ ପାଇଁ କାମ କରିବି ବେଇମାନୀ କରିବି ନାହିଁ ବୋଲି ବୟାନ ମାନ ରଖି ଲଢେଇର ସ୍ତରକୁ ଆହୁରି ଆଗକୁ ବଢାଇଛନ୍ତି ଅନୁଭବ । ଆଉ କେନ୍ଦ୍ରାପଡାର କୁରୁକ୍ଷେତ୍ରରେ ବାଜି ମାରିବାକୁ ଉଭୟ ରାଜନୈତିକ ଦଳ ପ୍ରାଣମୂର୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ବିଜୁ ଜନତା ଦଳ ଗଠନ ହେବା ଦିନଠାରୁ ଏହି ଆସନରେ ଦଳୀୟ ପ୍ରାର୍ଥୀ ବାଜିମାତ କରି ଆସୁଛନ୍ତି । ପ୍ରତିଥର ସହଜରେ ଆଉ ସୁବିଧାରେ ବିଜୟ ହାସଲ କରୁଥିବା ଦଳ ସାମ୍ନାରେ ଆଜି ଅନେକ ଆହ୍ୱାନ । କିନ୍ତୁ ଆଶ୍ୱସ୍ତିର କଥା ହେଉଛି, ଏହି ଆସନ ସପକ୍ଷରେ ଥିବା ଅତୀତର ରାଜନୈତିକ ସମୀକ୍ଷା ବା ଗଣିତ । ତେଣୁ ସ୍ୱାଭାବିକ ଭାବେ ଏହାକୁ ଆୟୁଧ କରିବା ସହ ବିଜୁ ବାବୁଙ୍କ କର୍ମଭୂମି ଓ ସ୍ୱାଭିମାନର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିଛି ।

ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା ବିଧାନସଭା ମଣ୍ଡଳୀକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ରରେ ୨୦୧୪ରେ ବିଜେପିର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ଥିଲା । କେବଳ ମହାକାଳପଡାକୁ ଛାଡିଦେଲେ ବାକି ସମସ୍ତ ବିଧାନସଭା କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ମାନେ ପାଇଥିବା ଭୋଟରେ ବିଜେଡି ୧ ନମ୍ବର ସ୍ଥାନରେ ଥିବା ବେଳେ ୨ ନମ୍ବର ସ୍ଥାନରେ କଂଗ୍ରେସ ଓ ୩ ନମ୍ବର ସ୍ଥାନରେ ଥିଲା ବିଜେପି ।

ମହାକାଳପଡାରେ ବିଜେପିରୁ ଲଢିଥିବା ବିଜୟ ମହାପାତ୍ରଙ୍କ ଭୋଟବ୍ୟାଙ୍କ ହିଁ ବିଜେପି ସାଂସଦ ପ୍ରାର୍ଥୀଙ୍କୁ ସହାୟକ ହୋଇଥିବା କୁହାଗଲା । ୨୦୧୪ରେ ସାରା ଦେଶରେ ମୋଦି ହାୱା ବହୁଥିଲେ ମଧ୍ୟ ତାହା ଭୋଟରେ ରୁପାନ୍ତରିତ ହୋଇନଥିଲା । ଏପରିକି ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଗୋଟିଏ ବି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବାଜିମାତ କରିପାରିନଥିଲେ । ୭ଟି ବିଧାନସଭା ଆସନରୁ ୩ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୪ଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ ।

କେନ୍ଦ୍ରାପଡା ଇତିହାସ ବଦଳିବ କି?

୨୦୦୪ରେ ଅର୍ଚ୍ଚନା ନାୟକ ବିଜେଡି ଟିକେଟରୁ ଲଢି ଜିତିଥିଲେ । ହେଲେ ୨୦୦୯ରେ ଟିକେଟ ନ’ମିଳିବା ପରେ ଅର୍ଚ୍ଚନା ବିଜେପି ଟିକେଟରେ ଲଢି ପରାସ୍ତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ବୈଜୟନ୍ତ ବିଜେଡି ଟିକେଟରୁ ଲଢି ଜିତିଥିବା ବେଳେ ୨୦୧୯ରେ କିନ୍ତୁ କ୍ୟାମ୍ପ ବଦଳାଇଛନ୍ତି । ଅତୀତରେ ନେତା ଦଳ ବଦଳାଇଥିଲେ ମଧ୍ୟ କର୍ମୀ ଆଭିମୁଖ୍ୟ ବଦଳାଇନଥିବାର ଅନେକ ଉଦାହରଣ ରହିଛି । ସେହି ଦୃଷ୍ଟିକୋଣରେ ବୈଜୟନ୍ତଙ୍କ ସାମ୍ନାରେ ଆହ୍ୱାନ ଅଧିକ ରହିଛି ।

୧୯୫୭, ୧୯୬୨ ଓ ୧୯୬୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟି, ୧୯୭୧ରେ ଉତ୍କଳ କଂଗ୍ରେସ, ୧୯୭୭, ୧୯୮୦, ୧୯୮୪, ୧୯୮୫ରେ ଜନତା ପାର୍ଟି, ୧୯୮୯, ୧୯୯୧, ୧୯୯୬ରେ ଜନତା ଦଳ, ୧୯୯୮ରୁ ଏଯାଏଁ ବିଜେଡି ପ୍ରାର୍ଥୀ ବାଜିମାତ କରି ଆସିଛନ୍ତି । ଏ ତଥ୍ୟ ଗୋଟିଏ ଦିଗ ଦର୍ଶାଉଛି, ଅଣ ବିଜେପି ଓ ଅଣ କଂଗ୍ରେସର ପ୍ରାର୍ଥୀ କେନ୍ଦ୍ରାପଡାରେ ସବୁବେଳେ ଆହ୍ୱାନର ସାମ୍ନା କରନ୍ତି ।

୨୦୧୯ରେ ଯେତେବେଳେ ସ୍ଥିତି ବଦଳିଛି, ଠିକ ସେତିକି ବେଳେ ରାଜନୀତିର ଦୃଶ୍ୟପଟ ବଦଳିବା ସହ ନୂଆ ଇତିହାସ ଲେଖାଯିବ ନା ଅତୀତର ଧାରା ଏଠି ମଧ୍ୟ ଜାରି ରହିବ, ଯାହା ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ, ତା’ଉପରେ ନଜର ରହିଛି । ଯାହା ଉପରେ ରାଜ୍ୟ ରାଜନୀତିର ଦିଗ ଆଉ ଦିଶା ନିର୍ଭର କରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.