କର୍ଣ୍ଣାଟକରେ କିଏ ଜିତିବ? ‘ପୋଲ୍ ଅଫ୍ ପୋଲ୍ସ’ରେ ଝୁଲା ବିଧାନସଭା

232

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର । ଆଉ ଦିନକ ପରେ ଆସିବ ଫଇସଲା । ତେବେ ଏହା ପୂର୍ବରୁ ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ଅର୍ଥାତ୍ କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଅନୁମାନ କରିଛନ୍ତି ଅଧିକାଂଶ ଏକଜିଟ୍ ପୋଲ । ଏକଜିଟ୍ ପୋଲ ଗୁଡ଼ିକୁ ନେଇ ହୋଇଥିବା ‘ପୋଲ ଅଫ୍ ପୋଲସ୍’ରେ ଝୁଲା ସରକାର ନେଇ ସ୍ପଷ୍ଟ କରାଯାଇଛି । ଇଣ୍ଡିଆ ଟୁଡେ-ଏକ୍ସିସ ମାଇଁ ଇଣ୍ଡିଆ ଓ ନ୍ୟୁଜ-୨୪- ଟୁଡେଜ୍ ଚାଣକ୍ୟ କଂଗ୍ରେସ ସପକ୍ଷରେ ସର୍ଭେ କରିଛି । ତେବେ ଅଧିକାଂଶ ସଂସ୍ଥା ଓ ଟିଭି ଚ୍ୟାନେଲ ଝୁଲା ସରକାର ନେଇ ଇସାରା ଦେଇଛନ୍ତି ।

ସେପଟେ ବୁଥ୍ ବାହୁଡା ମତ ପରେ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକଜିଟ୍ ପୋଲର ଆକଳନ ଖାରଜ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ । ବୋମ୍ମାଇ କହିଛନ୍ତି, ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଢିବ । ଏକଜିଟ୍ ପୋଲ ସବୁବେଳେ ସତ ହୁଏନାହିଁ । ସେପଟେ ଏକଜିଟ୍ ପୋଲଗୁଡ଼ିକ ଉପରେ ଭରସା ଦେଖାଇନାହାନ୍ତି କର୍ଣ୍ଣାଟକ କଂଗ୍ରେସର ପ୍ରଦେଶ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର । ଶିବକୁମାର କହିଛନ୍ତି ଯେ କର୍ଣ୍ଣାଟକରେ ତାଙ୍କ ସହ ୧୪୬ରୁ ଅଧିକ ଆସନ ଜିତିବ । ରାଜ୍ୟରେ ସରକାର ଗଠନ କରିବ କଂଗ୍ରେସ ।

ସେପଟେ କର୍ଣ୍ଣାଟକରେ କଂଗ୍ରେସ ଜିତିବ ବୋଲି ଦୃଢୋକ୍ତି କରିଛନ୍ତି ପିସିସି ସଭାପତି । ଶରତ ପଟ୍ଟନାୟକ କହିଛନ୍ତି, ଦଳର ସର୍ବୋଚ୍ଚ ନେତୃତ୍ୱ କଠିନ ପରିଶ୍ରମ କରିଛନ୍ତି । ୨୦୨୪ରେ ଏହାର ପ୍ରଭାବ ପଡିବ । କର୍ଣ୍ଣାଟକରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କର୍ଣ୍ଣାଟକରେ ଏଥର ୭୨ ଦଶମିକ ୬୭ ପ୍ର୍ତିଶତ ମତଦାନ ହୋଇଛି । ଅର୍ଥାତ୍ ଚଳିତଥର ଭୋଟିଂ ହାର ବୃଦ୍ଧିଯାଇଛି, ଯାହା ପରିବର୍ତନ ଆଡ଼କୁ ଇସାରା କରୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।