ବିହାରର ନୂଆ ବାଜିଗର କିଏ? ନୀତିଶ ନା ତେଜସ୍ୱୀ, ମଧ୍ୟପ୍ରଦେଶ ଉପ-ନିର୍ବାଚନର ଫଳାଫଳ ସ୍ଥିର କରିବ ଶିବରାଜଙ୍କ ଭାଗ୍ୟ ।

53

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଆଜି ଭୋଟ ଗଣତି କରାଯିବ । କିଏ ବିହାରର ବିଗ ବସ ହେବ ସେନେଇ ନିଷ୍ପତି ହେବ । ବୁଥ ବାହୁଡା ମତରେ ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ବହୁମତ ପାଇବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଏଗଜିଟ୍ ପୋଲର ପୂର୍ବାନୁମାନ ଏକଜାଟ୍ ପୋଲରେ ପରିବର୍ତ୍ତନ ହେବ କି ନାହିଁ ତାହା ଉପରେ ନଜର ରହିଛି । ବିହାର ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି ବୁଥ ବାହୁଡା ମତର ପୂର୍ବାନୁମାନ ସତ ହୁଏ, ତେବେ ଏନଡିଏକୁ ଶକ୍ତ ଝଟକା ଲାଗିବ ଏବଂ ୩୧ ବର୍ଷର ଯୁବକ ତେଜସ୍ୱୀ ଯାଦବଙ୍କ ନିଯୁକ୍ତିର ନାରା ଅନ୍ୟ ପ୍ରଦେଶରେ ମଧ୍ୟ ପ୍ରସଙ୍ଗ ବନିବା ପାଇଁ ପ୍ରେରଣା ଦେବ । ଆଉ ସବୁଠୁ ବଡ଼ କଥା ହେଉଛି, ମୋଦୀ ସରକାରଙ୍କ କରୋନା ପରିଚାଳନାକୁ ବିହାରବାସୀ କିପରି ଗ୍ରହଣ କରିଛନ୍ତି, ତା’ର ମଧ୍ୟ ହିସାବ ନିକାଶ ହେବ । କାରଣ ଲକ୍ଡାଉନ୍ କଟକଣା ବେଳେ ବିହାରର ଲକ୍ଷ ଲକ୍ଷ ଦାଦନ ଶ୍ରମିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ କେଉଁ ପ୍ରସଙ୍ଗରେ ବିହାରବାସୀ ଭୋଟ ଦେଇଛନ୍ତି ତାହା ପୂରା ଦେଶକୁ ନୂଆ ବାର୍ତ୍ତା ଦେବାକୁ ଯାଉଛି । ବିହାରରେ ମୋଦି ହାୱା କାମ କରିଛି ନା ତେଜସ୍ୱୀଙ୍କ ତେଜ ଆଗରେ ଫିକା ପଡିଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସେହିଭଳି ମଧ୍ୟପ୍ରଦେଶରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ ମଧ୍ୟ ଆଜି ସାମ୍ନାକୁ ଆସିବ । ସବୁଠୁ ବଡ କଥା ହେଲା, ନିର୍ବାଚନର ଫଳାଫଳ ସ୍ଥିର କରିବ ସରକାରରେ ଶିବରାଜ ରହିବେ ନା ପୁଣି କମଲନାଥଙ୍କ ହାତକୁ କ୍ଷମତା ଫେରିବ । ୨୮ଟି ଆସନରେ ହୋଇଥିବା ଉପ-ନିର୍ବାଚନରେ ସରକାର ବଞ୍ଚାଇବାକୁ ବିଜେପିକୁ ୮ଟି ଆସନରେ ବିଜୟୀ ହେବାକୁ ପଡିବ । ନଚେତ ସଙ୍କଟରେ ପଡିପାରେ ଶିବରାଜ ସରକାର । କାରଣ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ୧୦୭ ସଦସ୍ୟ ରହିଥିବା ବେଳେ କଂଗ୍ରେସର ୮୭ ଜଣ ବିଧାୟକ ରହିଛନ୍ତି । ଜଣେ ବିଧାୟକ ଇସ୍ତଫା ଦେଇଥିବା ବେଳେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୧୫ର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ଏହି ଉପ-ନିର୍ବାଚନରେ ବିଜୟ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।