ଫୈସଲାର ଦିନ ! କିଏ ଜିତିବ ବିଜେପୁର । ମତ ଗଣନାର ଠିକ୍ ପୂର୍ବରୁ ଆପଣ ରଖନ୍ତୁ ଆପଣଙ୍କ ମତ

73

କନକ ବ୍ୟୁରୋ : ବିଜେପୁର ଫଳାଫଳ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ତା ପରେ ସ୍ପଷ୍ଟ ହୋଇଯିବ ବିଜେପୁରର ବାଜିଗର କିଏ । ପ୍ରାୟ ମାସେ ଧରି ଚାଲିଥିବା କସରତ ଏବଂ ନିର୍ବାଚନ ସରିବା ପରେ ରାଜନୈତିକ ଦଳ ଗୁଡ଼ିକର ଅଙ୍କକଷା ଭିତରେ ଆସନ୍ତାକାଲି ଆସିବ ବିଜେପୁର ଉପ-ନିର୍ବାଚନର ଫଳାଫଳ । ଗତ ୧ ମାସ ଧରି ହେଭିୱେଟଙ୍କ ପ୍ରଚାର ପରେ ଫେବୃଆରୀ ୨୪ ତାରିଖରେ ବିଜେପୁରବାସୀଙ୍କ ମତ କଏଦ ହୋଇଥିଲା ଇଭିଏମରେ । ଆସନ୍ତାକାଲି ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହେବା ସହ ବିଜେପୁରବାସୀ କାହା ସପକ୍ଷରେ ମତଦାନ କରିଛନ୍ତି ତାହା ଜଣାପଡିବ । ଏପରିକି ବିଜେପୁର ଗଡ ଜିତିବା ପାଇଁ ତିନି ଦଳ ଯେଉଁ ଦୃଢୋକ୍ତି ଦେଖାଉଥିଲେ ତାହା ଉପରୁ ପରଦା ହଟିବ । କିନ୍ତୁ ଏସବୁ ଭିତରେ ବିଜେପୁର ଗଡ ଜିତିବା ନେଇ ପ୍ରାର୍ଥୀଙ୍କ ମନରେ ଯେତିକି ଦ୍ୱନ୍ଦ୍ୱ ରହିଛି ନେତା, କର୍ମୀ, ଜନତାଙ୍କ ମନରେ ସେତିକି ଆଶଙ୍କା ରହିଛି ।

ବିଜେପୁର ବିଜୟ ତିନି ଦଳ ପାଇଁ ସମ୍ମାନର ଲଢେଇ ପାଲଟିଛି । ଯିଏ ବିଜେପୁର ବିଜୟୀ ହେବ ସିଏ ବାଜିଗର ଭାବେ ଉଭା ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପୁରବାସୀ କାହାକୁ ଗ୍ରହଣ କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏସବୁ ଦିଗ ଉପରେ ନଜର ପକାଇଲେ ଯଦି ବିଜେପୁରରେ ବିଜେଡି ବିଜୟୀ ହୁଏ ତେବେ ନବୀନଙ୍କ ଉପରେ ଲୋକଙ୍କର ଭରସା ରହିଛି ବୋଲି ରାଜ୍ୟବାସୀଙ୍କ ନିକଟକୁ ଏକ ସ୍ପଷ୍ଟ ବାର୍ତ୍ତା ଯିବ । ଯାହା ୨୦୧୯ ନିର୍ବାଚନରେ ବିଜେଡିର ବିଜୟ ପାଇଁ ପଥ ପରିଷ୍କାର କରିବ । ଏହି ବିଜୟ ସହ ପଶ୍ଚିମ ଓଡ଼ିଶାରେ ଦଳୀୟ ସ୍ଥିତିକୁ ମଜଭୁତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ବିଜେଡି । ଏହାବାଦ ରୀତାଙ୍କୁ ନବୀନ ବିଜେଡିକୁ ଆଣି ଅନୁକମ୍ପାମୂଳକ ଭୋଟ ପାଇଁ ଯେଉଁ ଆଶା ରଖିଥିଲେ ତାହା ଭୋଟ ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ସ୍ପଷ୍ଟ ବାର୍ତ୍ତା ଯିବ ।

ଯଦି ବିଜେପିର ବିଜୟ ହୁଏ ତେବେ ମୋଦିଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ରହିଛି ବୋଲି ଏକ ବାତାବରଣ ସୃଷ୍ଟି ହେବ । ଏହାଛଡା ବିଜେପିର ମିଶନ ୧୨୦ର ମୂଳଦୁଆ ପାଇଁ ମଧ୍ୟ ବାଟ ଫିଟିଯିବ । କେବଳ ଏତିକି ନୁହେଁ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହେବ । ଦୀର୍ଘ ୧୮ ବର୍ଷର ନବୀନ ସରକାରଙ୍କ ପାଖରୁ ଲୋକେ ମୁହଁ ମୋଡି ସାରିଲେଣି ବୋଲି ରାଜ୍ୟବାସୀଙ୍କ ନିକଟକୁ ଏକ ବାର୍ତ୍ତା ପହଞ୍ଚାଇବ । ୨୦୧୯ ପାଇଁ ବିଜେପୁର ଫଳାଫଳ ବିଜେପିକୁ ଶକ୍ତି ଯୋଗାଇବ ବୋଲି ଚର୍ଚ୍ଚା ହେଉଛି ।

ବିଜେପି-ବିଜେଡି ଫାଇଟ ମଧ୍ୟରେ ଯଦି କଂଗ୍ରେସ ବିଜେପୁର ଗଡ ଅକ୍ତିଆର କରେ ତେବେ ଏହାର ପ୍ରଭାବ ସିଧାସଳଖ ପିସିସି ଉପରେ ପଡିବ । ଏହାଛଡା ପ୍ରଣୟଙ୍କ ସପକ୍ଷରେ ଚାଷୀ ଓ କୁଲତା ସଂପ୍ରଦାୟର ଭୋଟ ରହିଛି ବୋଲି ଏକ ବାର୍ତ୍ତା ଯିବ । କଂଗ୍ରେସ ଯଦି ଗଡ଼ରକ୍ଷା କରିବାକୁ ସକ୍ଷମ ହୁଏ ତେବେ ବିଜେପୁରବାସୀ ଦଳବଦଳ କରିଥିବା ପ୍ରାର୍ଥୀଙ୍କ ଉପରେ ଭରସା ନକରି ପ୍ରଣୟଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଯିବ । ଯେହେତୁ ଏହାବାଦ୍ ଲୋକଙ୍କ ଉପରେ ତାରକା ପ୍ରଚାରର କୌଣସି ପ୍ରଭାବ ପଡି ନାହିଁ ତାହା ମଧ୍ୟ ଜଣାପଡିବ ।

bijepurତିନିଟି ଦଳ ପାଇଁ ବିଜେପୁର ଏବେ ସମ୍ମାନର ପ୍ରଶ୍ନ । ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା ବେଳେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ହୋଇଛି ଛକାପଂଝା । ୨୦୧୯ ନିର୍ବାଚନକୁ ଫାଇନାଲ ମ୍ୟାଚ୍ କୁହାଯାଉଥିବା ବେଳେ ସେମି-ଫାଇନାଲ ଭାବେ ବିବେଚିତ ହୋଇଛି ବିଜେପୁର ଉପନିର୍ବାଚନ । ବିଜେପୁର ଉପନିର୍ବାଚନ ଓଡ଼ିଶା ପାଇଁ ସାଧାରଣ ଉପନିର୍ବାଚନ ହୋଇ ରହିନାହିଁ । ରାଜନୈତିକ ଦଳଗୁଡିକ ଗତ ଏକ ମାସ ଧରି ଯେଭଳି କସରତ ଚଳାଇଥିଲେ, ତାହା ସାରା ରାଜନୈତିକ ପରିବେଶକୁ ଉଷୁମ କରିଦେଇଥିଲା । ବିଶେଷ କରି ଏହି ଆସନକୁ ଜିତିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଜେଡି ଓ ବିଜେପି । ଏହି ନିର୍ବାଚନର ଫଳାଫଳ ଉପରେ ବାଜି ଲାଗିଛି ରାଜନୈତିକ ଦଳର ଭବିଷ୍ୟତ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ କାହା ସପକ୍ଷରେ ରହିଛି ଜନମତ ? କେଉଁ ଦଳ ଆଡକୁ ଢଳୁଛନ୍ତି ଜନତା ? ଏହି ସବୁ ପ୍ରଶ୍ନର ଉତର ଦେବ ବିଜେପୁର ଉପ-ନିର୍ବାଚନ । ଆଉ ଆନୁଷ୍ଠାନିକ ଭାବରେ ଫଳଫଳ ଘୋଷଣା ପରେ ଜଣାପଡ଼ିବ ବିଜେପୁରର ବାଜିଗର କିଏ ?