କିଏ କରିବ ରାଜଧାନୀ ଦଖଲ? ବିଜେପି, ବିଜେଡି ପରେ କଂଗ୍ରେସର ପ୍ରାର୍ଥୀ ଘୋଷଣା । ଅପରାଜିତା, ମନ୍ମଥଙ୍କୁ ଟକ୍କର ଦେବେ ୟାସିର୍ ନୱାଜ୍ ।

884

କନକ ବ୍ୟୁରୋ: ଶେଷ ହେଲା ଯୋଦ୍ଧା ଘୋଷଣା । ଏବେ ଆରମ୍ଭ ହେବ ଲଢେଇ । କିଏ ଦଖଲ କରିବ ରାଜଧାନୀ? ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପ୍ରଥମେ ବିଜେପି, ପରେ ପରେ ବିଜେଡି ଆଉ ଏବେ କଂଗ୍ରେସ କରିଛି ପ୍ରାର୍ଥୀ ଘୋଷଣା । ତେଣୁ ଏଥର ନିର୍ବାଚନରେ ଭୁବନେଶ୍ୱରବାସୀ ଏକ ରୋଚକ ଲଢେଇ ଦେଖିବାକୁ ଯାଉଛନ୍ତି ।

ନିଜ ଦଖଲରେ ଥିବା ରାଜଧାନୀ ଭୁବନେଶ୍ୱର ଲୋକସଭାକୁ ପୁଣିଥରେ ବାଜିମାତ୍ କରିବାକୁ ବିଜେପି ଏଠାରେ ନିଜର ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍ କରିଛି । ବର୍ତ୍ତମାନର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ରଖିବା ସହ ଦେଇଛି ଭୁବନେଶ୍ୱର ଟିକେଟ୍ । ସେପଟେ ଅପରାଜିତାଙ୍କୁ ଟକ୍କର ଦେବାକୁ ବିଜେଡି ଏଥର ଲୋକପ୍ରିୟ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱରରୁ ପ୍ରାର୍ଥୀ କରିଛି । ଆଉ ଏବେ ଅପରାଜିତା ଏବଂ ମନ୍ମଥଙ୍କୁ ଟକ୍କର ଦେବାକୁ କଂଗ୍ରେସ ନିଜର ଛାତ୍ର ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଗତଥର ରାଜଧାନୀ ଭୁବନେଶ୍ୱରରେ ବିଜେପି- ବିଜେଡି ଭିତରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ କଡା ଟକ୍କର ଦେଇଥିଲେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ । ତେବେ ନିର୍ବାଚନର ଫଳାଫଳ ବିଜେପି ପକ୍ଷରେ ଯାଇଥିଲା । ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିବା ସେତେବେଳର ଲୋକପ୍ରିୟ ପ୍ରଶାସିକା ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରୁ ଲୋକସଭାକୁ ନିର୍ବାଚିତ ହେଇଥିଲେ । ହେଲେ ସେତେବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ଦେଇନଥିଲା ବିରୋଧୀ କଂଗ୍ରେସ । ସିପିଆଇ ଏମର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ଦଳ ସମର୍ଥନ ଦେଇଥିଲା ।

ହେଲେ ୨୦୧୯ରୁ ୨୦୨୪ ଭିତରେ ରାଜଧାନୀ ରାଜନୀତି ଅନେକ ବଦଳିଛି । ବିଜେଡି ଏଠାରୁ ଅରୂପଙ୍କ ବଦଳରେ ମନ୍ମଥଙ୍କୁ ପ୍ରାର୍ଥୀ କରିଥିବାବେଳେ, କଂଗ୍ରେସ ବି ଭୁବନେଶ୍ୱର ଦଖଲ କରିବାକୁ ଯୋଦ୍ଧା ଘୋଷଣା କରିଛି । ତେଣୁ ବିଜେଡି, ବିଜେପି, କଂଗ୍ରେସର ଏହି ତ୍ରିମୁଖୀ ଲଢେଇ ଭିତରେ କିଏ ରାଜଧାନୀ ଆସନକୁ ଦଖଲ କରୁଛି ତାହା ଦେଖିବା ବାକି ରହିଲା?