ବାଲେଶ୍ୱର ବାଜିରେ କାହାର ହେବ ବାଜିମାତ୍ ? ପତିଆରାର ଲଢେଇରେ କେଉଁ ନେତା ରହିବେ ଆଗରେ ?

508

କନକ ବ୍ୟୁରୋ : ବାଲେଶ୍ୱର ରାଜନୀତିରେ କିଏ ବାଜି ମାରିବ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନାଙ୍କ ମଧ୍ୟରେ ପତିଆରାର ସିଧାସଳଖ ଲଢେଇ । କେନ୍ଦ୍ର ଓ ରାଜ୍ୟର ଯୋଜନାକୁ ଧରି ଉଭୟ ନେତା ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତି କରୁଥିବା ବେଳେ କଂଗ୍ରେସ ନିଜର ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା ଚଳାଇଛି । ୨୦୧୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ଜିଲ୍ଲା ରାଜନୀତିରେ କିଭଳି ଛାପ ଛାଡୁଛନ୍ତି ତା’ଉପରେ ନଜର ରହିଛି ।

ବାଲେଶ୍ୱର ବାଜିରେ କାହାର ହେବ ବାଜିମାତ୍ ? ପତିଆରାର ଲଢେଇରେ କେଉଁ ନେତା ରହିବେ ଆଗରେ ? ପ୍ରତାପ ଷଡଙ୍ଗୀ ବନାମ ରବୀନ୍ଦ୍ର ଜେନା । ବାଲେଶ୍ୱର ରାଜନୀତିର ଦୁଇ ବଡ ଚେହେରା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଜସ୍ୱ ଢଙ୍ଗରେ ଦଳର ଜିଲ୍ଲା ସଂଗଠନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛନ୍ତି । ସେପଟେ ରବିନ୍ଦ୍ର ଜେନା, ୨୦୧୯ ନିର୍ବାଚନରେ ପରାଜିତ ହେବା ପରଠାରୁ ପ୍ରତାପଙ୍କୁ ମାତ୍ ଦେବାକୁ ପାଇଛନ୍ତି ପଞ୍ଚାୟତ ସୁଯୋଗ । ତୃଣମୁଳ ସ୍ତରରେ ହେଉଥିବା ଏହି ଲଢେଇ କିନ୍ତୁ ଅସଲରେ ଦୁଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।

ନିଜ ନିଆରା ଜୀବନ ଶୈଳୀ ଜରିଆରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ପ୍ରତାପ ନନା, କେନ୍ଦ୍ର ସରକାରଙ୍କ ଯୋଜନା ଓ ମନ୍ତ୍ରୀ ଥିବା ସମୟରେ କରିଥିବା ଉଦ୍ୟମକୁ ପାଥେୟ କରି ଆଗକୁ ବଢୁଥିବା ବେଳେ, ରବୀନ୍ଦ୍ର ଜେନାଙ୍କ ଭରସା ନବୀନଙ୍କ ଭାବମୂର୍ତି ଏବଂ ରାଜ୍ୟ ସରକାରଙ୍କ ଯୋଜନା ।

ବାଲେଶ୍ୱର ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆସିଛି । ନେତା ଦଳ ପରିବର୍ତ୍ତନ କରିଛନ୍ତି । କାହାର ପ୍ରଭାବ ବଢିଛି, ତ କାହାର କମିଛି । ଆଉ ଏଭଳି ସ୍ଥିତିରେ ଦଳର ହାଇକମାଣ୍ଡଙ୍କ ବିଶ୍ୱାସଭାଜନ ହେବାକୁ ଚାଲିଛି ଜୋରଦାର ଗୋଟିଚାଳନା । ୨୦୧୯ ବେଳେ ଦଳବଦଳ କରିଥିବା ରଘୁନାଥ ମହାନ୍ତି ହୁଅନ୍ତୁ ଅବା ଉପ ନିର୍ବାଚନ ବେଳେ ଜୀବନ ପ୍ରଦୀପ ଦାସ । ଏମାନଙ୍କ ତୃଣମୂଳ ସ୍ତରର ଭୋଟ ବ୍ୟାଙ୍କ କେତେ ସୁଦୃଢ ରହିଛି, ତାର ପରୀକ୍ଷାର ବେଳ । ସେହିଭଳି ଜିଲ୍ଲା ବିଜେଡିର ବଡ ନେତା ରବୀନ୍ଦ୍ର ଜେନାଙ୍କର ପ୍ରାର୍ଥୀ ଚୟନରେ ଏକଚାଟିଆ ଅଧିକାର ରହିବ, ନା ଅନ୍ୟ ନେତା ବି ପ୍ରଭାବ ପକାଇବେ, ତାକୁ ନେଇ ଚର୍ଚ୍ଚା ।

ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ବାଲେଶ୍ୱର ଜିଲ୍ଲା । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠି ଦବଦବା ଜାହିର କରିଥିବା ବେଳେ ସାଧାରଣ ନିର୍ବାଚନ ବେଳେ ବିଜେପି କିନ୍ତୁ ଜିଲ୍ଲାରେ ସଫଳତା ପାଇଥିଲା । ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ଦଳ ଦମ୍ ଦେଖାଇଥିଲା ।

୨୦୦୭, ୨୦୧୨, ୨୦୧୭, ତିନୋଟି ଯାକ ନିର୍ବାଚନରେ ଜିଲ୍ଲା ପରିଷଦ ଜୋନ୍ ବିଜେଡି ହାତରେ ଥିଲା । ୪୫ ଜିଲ୍ଲା ପରିଷଦ ଜୋନରୁ କାହା ହାତକୁ କେତେ ଆସନ ଯିବ ତାକୁ ନେଇ ଆରମ୍ଭ ହୋଇଛି ଆକଳନ । ଗତ ନିର୍ବାଚନରେ ମାତ୍ର ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ଦଖଲ କରିଥିବା କଂଗ୍ରେସ ବି ପ୍ରଦର୍ଶନରେ ଉନ୍ନତ୍ତିକୁ ନେଇ ଆଶାବାଦୀ ରହିଛି । ନାମାଙ୍କନ ଦାଖଲ ପରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହେବ । ହେଲେ ବଡ ରାଲି ଶୋଭାଯାତ୍ରା ହେଉନଥିବାରୁ କିଏ କିଭଳି ରଣନୀତି ଧରି ଭୋଟରଙ୍କ ପାଖେ ପହଞ୍ଚିବ, ତାଉପରେ ନଜର ।