କିଏ ଜିତିବ ଆସ୍କା? ବିଜେପିରୁ ଅନିତା ଶୁଭଦର୍ଶିନୀ ବନାମ ବିଜେଡିରୁ ରଞ୍ଜିତା ସାହୁ ।

272

କନକ ବ୍ୟୁରୋ: ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ, ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି । ଉଭୟ ପ୍ରାର୍ଥୀ ପୋଖତ ରାଜନୈତିକ ପରିବାରରୁ ଆସିଥିବାରୁ ଓ ଶିକ୍ଷିତ ମହିଳା ହୋଇଥିବାରୁ ଏଥର କିଏ ବିଜୟୀ ହେବେ, ଆସ୍କାବାସୀ କାହାକୁ ଭରଷା କରିବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ଏବଂ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ ଉଭୟ ରାଜନୀତି କ୍ଷେତ୍ରରେ ଗୋଟି ଚାଳନା କରିବାରେ ସିଦ୍ଧହସ୍ତ ପରିବାରରୁ ଆସିଛନ୍ତି । ଜଣେ ଗଞ୍ଜାମର ବରିଷ୍ଠ ନେତା ଭାବେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ ହୋଇଥିବାବେଳେ ଅନ୍ୟ ଜଣେ ଟାଣୁଆ ନେତା ହର ସାହୁଙ୍କ ଝିଅ । ଏକଦା ରାମକୃଷ୍ଣଙ୍କ ଅନୁଗତ ଥିଲେ ହର । ହେଲେ ଏଥର ଦୁହିଁଙ୍କ ଝିଅ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି ।

ଅନୀତାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ, ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଶହ ଶହ ସମର୍ଥକଙ୍କୁ ସାଙ୍ଗରେ ଧରି ପଦଯାତ୍ରା କରିଛନ୍ତି । ଲୋକଙ୍କ ପାଖକୁ ଯାଇ ଭୋଟ ମାଗିଛନ୍ତି । କେନ୍ଦ୍ରର ବିଭିନ୍ନ ବିକାଶ ମୂଳକ ଯୋଜନା ଓ ମୋଦୀଙ୍କ ଗ୍ୟାରେଣ୍ଟି ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ସେପଟେ ଆସ୍କା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ମନ୍ଦିର ଯାଇ ଆଶୀର୍ବାଦ ନେବା ପରେ ନିଜ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଛନ୍ତି ରଞ୍ଜିତା । ପଦଯାତ୍ରା କରିବା ସହ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଛନ୍ତି । ସରକାରୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

୨୦୧୯ ନିର୍ବାଚନରେ ଏହି ଆସନରୁ ଅନୀତା ବିଜେପିରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ତାଙ୍କୁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋୟୀ ୨ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ହେଲେ, ଏଥର ଗଞ୍ଜାମ ସମେତ ଆସ୍କା ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ବଦଳିଥିବାରୁ, ଅନୀତା ଓ ରଞ୍ଜିତାଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ସୂଚନାଯୋଗ୍ୟ ଯେ, ଆସ୍କା ଲୋକସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ଲଗାତାର ଭାବେ ବିଜେଡି ବିଜୟୀ ହୋଇ ଆସୁଛି । ତେବେ ଏଥର ଆସ୍କାବାସୀ ପୁଣି ବିଜେଡିକୁ ଭରସା କରୁଛନ୍ତି ନା ବିଜେପି ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଉଛନ୍ତି ତା ଜୁନ୍ ୪ରେ ସ୍ପଷ୍ଟ ହେବ ।