ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା

140

କନକ ବ୍ୟୁରୋ: ୩ଟି ରାଜ୍ୟରେ ବିଜେପିର ଦମଦାର ବିଜୟ ପରେ କିଏ ହେବ ମୁଖମନ୍ତ୍ରୀ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୁରୁଖା ନେତାଙ୍କ ଉପରେ ବିଜେପି ଭରସା କରିବ ନା ନୂଆ ମୁହଁ ଆଣି ସରପ୍ରାଇଜ ଦେବ ତା ଉପରେ ସାରା ଦେଶର ନଜର ରହିଛି । ଆଉ ଏହାରି ଭିତରେ ତେଲେଙ୍ଗାନାରେ ବି ମୁଖ୍ୟମନ୍ତ୍ରୀ ବାଛିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।

  • ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ
  • କାହା ହାତରେ ରାଜ୍ୟ ଚଳାଇବାର ଦାୟିତ୍ୱ?

ମଧ୍ୟପ୍ରଦେଶକୁ ବାଦ୍ ଦେଲେ ୪ଟି ରାଜ୍ୟ ବିଧାନସଭା ନିର୍ବାଚନରେ ହୋଇଛି ପଟ୍ଟ ପରିବର୍ତନ । କ୍ଷମତା ଅନ୍ୟ ରାଜନୈତିକ ଦଳ ହାତକୁ ଚାଲି ଯାଇଥିବାବେଳେ, ଏବେ କାହା ହାତରେ ରହିବ ରାଜ୍ୟ ପରିଚାଳନାର ଦାୟିତ୍ୱ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହଇଛି । ଅର୍ଥାତ କିଏ ହେବେ ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ?

ମଧ୍ୟପ୍ରଦେଶ

ସରକାର ବିରୋଧୀ ହାୱାର ଆଶଙ୍କା କରି, ଏଥର ବିଧାନସଭା ନିର୍ବାଚନରେ କାହାରିକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆଗକୁ ଆଣିନଥିଲା ବିଜେପି । ତଥାପି ଦଳକୁ ସ୍ପଷ୍ଟ ବହୁମତରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ମୁଖ୍ୟମନ୍ତ୍ରୀ ଦୌଡ଼ର ଆଗରେ ଅଛନ୍ତି ଶିବରାଜ ସିଂ ଚୌହାନ । କଂଗ୍ରେସ ବିରୋଧରେ ବିଦ୍ରୋହ କରି ରାଜ୍ୟରେ ବିଜେପିକୁ ନୂଆଶକ୍ତି ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁକୁ ମଧ୍ୟ ବିଚାର କରିପାରନ୍ତି ବିଜେପି ହାଇକମାଣ୍ଡ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ସିଂ ପଟେଲ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ନାଁ ମଧ୍ୟ ବିଚାର କରାଯାଉଛି ।

ରାଜସ୍ଥାନ

କଂଗ୍ରେସ ପୂର୍ବରୁ ବିଜେପି କ୍ଷମତାରେ ଥିଲାବେଳେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ନିର୍ବାଚନ ପୂର୍ବରୁ ବସୁନ୍ଧରାଙ୍କୁ ନେଇ ଏତେଟା ଉତ୍ସାହିତ ନଥିଲା ବିଜେପି । ଶେଷ ମୁହୂର୍ତରେ ତାଙ୍କୁ ଟିକେଟ୍ ଦିଆଗଲା । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କି ନାହିଁ ସେନେଇ ଦଳ ବିଚାର କରୁଥିବାବେଳେ ଅର୍ଜୁନରାମ ମେଘୱାଲ, ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦୀୟା କୁମାରୀଙ୍କ ନାଁ ଉପରେ ଚର୍ଚ୍ଚା ହେଉଛି । ଲୋକସଭାରେ ବାଚସ୍ପତି ଥିବା ଓମ ବିର୍ଲାଙ୍କ ନାଁ ମଧ୍ୟ ଶୁଣାଯାଉଛି ।

ଛତିଶଗଡ଼

ଛତିଶଗଡ଼ ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ତେଣୁ ଯଦି ବିଜେପି ଜଣେ ଆଦିବାସୀ ଚେହେରାକୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଏ, ତେବେ ପ୍ରଥମ ପସନ୍ଦ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ବିଜେପି ସରକାରର ନେତୃତ୍ୱ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ, ବରିଷ୍ଠ ନେତା ରାମବିଚାର ନେତମ ମଧ୍ୟ ଏହି ଦୌଡ଼ରେ ଅଛନ୍ତି ।

ତେଲେଙ୍ଗାନା

ତେଲେଙ୍ଗାନାରେ କେସିଆରଙ୍କ ହାତରୁ କ୍ଷମତା ଛଡାଇ ଆଣିଛି କଂଗ୍ରେସ । ଆଉ ଏହି ବିଜୟର ଶ୍ରେୟ ତେଲେଙ୍ଗାନା କଂଗ୍ରେସ ପ୍ରଦେଶ ଅଧକ୍ଷ ରେଭନ୍ତ ରେଡ୍ଡୀଙ୍କୁ ଯାଉଛି । ତାଙ୍କରି ନେତୃତ୍ୱରେ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀ ଆସନ ପାଇଁ ସେ ହିଁ ପ୍ରବଳ ଦାବିଦାର । କିନ୍ତୁ କଂଗ୍ରେସର ଚିନ୍ତା ବଢାଇ ପାରନ୍ତି ପୂର୍ବତନ ପିସିସି ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଉତ୍ତମ କୁମାର ରେଡ୍ଡୀ ।

ସୂଚନାଯୋଗ୍ୟ ଯେ, ଦିନଟିଏ ପରେ ଭୋଟ୍ ଗଣତି ହୋଇଥିବା ମିଜୋରାମରେ ମଧ୍ୟ ଶାସକ ଦଳର ପରାଜୟ ହୋଇଛି । ଏମଏନଏଫ ହାତରୁ କ୍ଷମତା ଛଡାଇ ନେଇଛି ଜେଡପିଏମ । ଏପରିକି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ନିଜ ଆସନରୁ ହାରି ଯାଇଛନ୍ତି । ତେଣୁ ୫ ରାଜ୍ୟରେ ୫ ନୂଆ ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।