ରାଜଧାନୀ ନାଳରେ ୪ କିଲୋମିଟର ଭାସିଲା ମୃତଦେହ । ପଦାରେ ପଡିଲା ବିଏମସିର ଅପାରଗତା ।

234

କନକ ବ୍ୟୁରୋ : ମୁକୁଳା ଡ୍ରେନ ପାଲଟିଛି ମରଣାଯନ୍ତା । ପାଖାପାଖି ୧୯ ଘଂଟାର ଅପରେସନ ପରେ ଜ୍ୟୋତି ପ୍ରକାଶଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଭୁବନେଶ୍ୱର ସୌଭାଗ୍ୟ ନଗରରୁ ନିଖୋଜ ହୋଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ୪କିଲୋମିଟର ଦୂର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀର ୧୯ ଘଣ୍ଟାର ଅପରେସନ ପରେ ଜ୍ୟୋତିପ୍ରକାଶଙ୍କର ମୃତଦେହ ମିଳିଛି । ଟିଉସନ ଯିବାକୁ ବାହାରିଥିବା ଜ୍ୟୋତିପ୍ରକାଶ ଶେଷରେ ସ୍ୱର୍ଗଦ୍ୱାରେ ପହଞ୍ଚିଛନ୍ତି ।

ସୌଭାଗ୍ୟ ନଗରରେ ନିଖୋଜ ହୋଇଥିଲେ, ପଂଚଶାଖା ନଗରରେ ମିଳିଲା ମୃତଦେହ । ୧୯ ଘଣ୍ଟାର ଅପରେସନ ପରେ ଶେଷରେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶଙ୍କ ମିଳିଛି ମୃତଦେହ । ନିଖୋଜ ହେବା ସ୍ଥାନ ଏବଂ ଉଦ୍ଧାର ସ୍ଥାନ ମଧ୍ୟରେ ଦୂରତା ୪ କିଲୋମିଟର । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ରବିବାରଦିନ ଟ୍ୟୁସନ ଯାଇ ଗଣ୍ଡମୁଣ୍ଡା ସୌଭାଗ୍ୟନଗର ନାଳରେ ସେ ଭାସିଯାଇଥିଲେ ।

ମାରିଦେଲା ମୁକୁଳା ନାଳ । ଗୁମୁରିଗୁମୁରି କାନ୍ଦୁଛି ପରିବାର । ପୁଅର ମୃତ୍ୟୁ ପରେ ପରିବାରର ଯେମିତି ପାଦତଳୁ ମାଟି ଖସିଯାଇଛି । ଖୁବ୍ କମ୍ ବାଟ ଚାଲି ପୁଅ ଏମିତି ଏକ ମୃତ୍ୟୁର ଶିକାର ହେବ ତାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ପୁଅର ମୃତ୍ୟୁ ଖବର ଶୁଣି ଚେତା ହରାଉଛନ୍ତି ମାଆ ।

ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ମାମଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଥିଲା । ଆଉ ଏହାର ମୁକାବିଲା ପାଇଁ ଯେମିତି ବିଧାୟକଙ୍କ ଜରିଆରେ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ । କାଳେ କ୍ୟାପିଟାଲ ହସ୍ପିଟାଲ ଆଣିଲେ ରାଜନୀତି ଜୋର ଧରିବ, ତେଣୁ ପୋଷ୍ଟମର୍ଟମ ପାଇଁ ଶବ ନିଆଯାଇଥିଲା ଏମ୍ସ । ଆଉ ବାହାରେ ଥିଲା କଡା ସୁରକ୍ଷା ବ୍ୟବସ୍ଥା । ସତେ ଯେମିତି ସବୁକିଛି ମ୍ୟାନେଜ କରିବାକୁ ଆରମ୍ଭ ହୋଇଥିଲା ଚେଷ୍ଟା ।

ପୋଷ୍ଟମର୍ଟମ ପରେ ଏମ୍ସରୁୁ ମୃତଦେହ ବାହାର କରିବା ନେଇ ବି ଛକାପଂଝା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆମ୍ବୁଲାନ୍ସ ଓ ପରିବାର ଲୋକେ ଏମ୍ସର ମୁଖ୍ୟ ଗେଟରେ ଅପେକ୍ଷା କରିଥିବା ବେଳେ ପଛପଟ ଗେଟ୍ ଦେଇ ବାପାଙ୍କୁ ଧରି ମୃତଦେହକୁ ନେଇଯିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ଯାହାକୁ ନେଇ ଦେଖାଦେଇଥିଲା ଉତ୍ତେଜନା । ସେପଟେ ବିଏମସିର ଖାମଖିଆଲି କାମକୁ ପ୍ରତିବାଦ କରି ବିଏମସି ଅଫିସ ଘେରାଉ କରିଥିଲା ବିଜେପି ।

ବିଏମସିର ବେପରୁଆ ମନୋଭାବ ଯୋଗୁଁ ସ୍ମାର୍ଟସିଟିରେ ମୁକୁଳା ପଡିଛି ଡ୍ରେନ୍ । ବର୍ଷବର୍ଷ ଧରି ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପରବାଏ ନାହିଁ । ବଡ ପ୍ରଶ୍ନ ହେଉଛି, ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଡ୍ରେନ ମୁକୁଳା ରହିବା ନେଇ କିଏ ହେବ ଉତ୍ତରଦାୟୀ ? ପରିବାରର କ୍ଷତି ଭରଣା କରିବ କିଏ ? ଆଗକୁ ଏଭଳି ଘଟଣା ଘଟିବନି ବୋଲି ଗ୍ୟାରେଣ୍ଟି ଦେବ କି ବିଏମସି ?