କିଏ ଧରିବ ରାଜ୍ୟ ବିଜେପିର ପଞ୍ଚାୟତ ମଙ୍ଗ ? ବଢିବାରେ ଲାଗିଛି ପଞ୍ଚାୟତ ରାଜନୀତିର ପାରା ।

191

କନକ ବ୍ୟୁରୋ : ୨୦୧୭ରେ ପଞ୍ଚାୟତ ନିର୍ବାଚନରେ ୧୦ ଗୁଣା ଅଧିକ ସଫଳତା ପାଇଥିବା ବିଜେପିର ପ୍ରଚାର ମଙ୍ଗ କିଏ ଧରିବ । ଦଳର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ, ୟୁପିର ପ୍ରଭାରୀ ପଦ ପାଇଁ ସେଠାରେ ମନ ନିବେଶ କରିଛନ୍ତି । ତେଣୁ ସ୍ୱଭାବିକ ଭାବେ ସେ ଆଉ ଓଡିଶା ରାଜନୀତିରେ ମୁଣ୍ଡ ପୁରାଉନଥିବା କୁହାଯାଉଛି । ହେଲେ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିରେ ପଞ୍ଚାୟତ ରଣନୀତି କିଏ କରିବ ତାକୁ ନେଇ ଏବେ ଚର୍ଚ୍ଚା ।

ବଢିବାରେ ଲାଗିଛି ପଞ୍ଚାୟତ ରାଜନୀତିର ପାରା । କିଏ ଧରିବ ରାଜ୍ୟ ବିଜେପିର ପଞ୍ଚାୟତ ମଙ୍ଗ ?
ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ବିଜେପିର ସବୁଠାରୁ ବଡ ଚେହେରା । ୨୦୧୭ ପଞ୍ଚାୟତ ନିର୍ବାଚନ ହେଉ ଅବା ୨୦୧୯ ସାଧାରଣ ନିର୍ବାଚନ, ସବୁଠି ସାମ୍ନାରେ ରହି କରୁଥିଲେ ଗୋଟିଚାଳନା । ମାରାଥନ ପ୍ରଚାର ସାଙ୍ଗକୁ ରଣନୀତି ପ୍ରସ୍ତୁତି, ସବୁଠି ଛାପ ଛାଡିଥିଲେ । ହେଲେ ଏବେ କିନ୍ତୁ ଭିନ୍ନ ଆଭିମୁଖ୍ୟ, ବିଜେପି କ୍ୟାମ୍ପ ଓ ରାଜନୈତିକ ସମୀକ୍ଷକଙ୍କୁ ଦ୍ୱନ୍ଦ୍ୱ ଭିତରକୁ ଠେଲିଦେଇଛି ।

ୟୁପି ପ୍ରଭାରୀ ଦାୟିତ୍ୱରେ ଥିବାରୁ ଧର୍ମେନ୍ଦ୍ର ସେଠାରେ କ୍ୟାମ୍ପ ପକାଇ ରହୁଥିବା ଦଳୀୟ ନେତା କହୁଥିଲେ ବି, ବାସ୍ତବତା କିନ୍ତୁ ଟିକିଏ ଅଲଗା ବୋଲି ଅନ୍ଦର ମହଲରୁ ଜଣାପଡିଛି । ଦଳୀୟ ସ୍ତରରେ ଚାଲିଥିବା ଶୀତଳଯୁଦ୍ଧ ଯୋଗୁଁ ରାଜ୍ୟ ରାଜନୀତିରୁ ଧର୍ମେନ୍ଦ୍ର ନିଜକୁ ଦୂରେଇ ରଖିଥିବା କୁହାଯାଉଛି ।

ସେହିଭଳି ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ଭୂମିକା କଣ ରହିବ, ତାକୁ ନେଇ ସମୀକ୍ଷା ଆରମ୍ଭ ହୋଇଛି । ଯେଉଁ ମୟୁରଭଞ୍ଜରେ ୨୦୧୭ରେ ବିଜେପି ନିଜର ଦମ୍ ଦେଖାଇଥିଲା, ତାକୁ ଆଗକୁ ବଢାଇବା ଚ୍ୟାଲେଞ୍ଜ ଟୁଡୁଙ୍କ ଉପରେ ଥିବା ବେଳେ ସେ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରୁଥିବା ଦେଖିବାକୁ ମିଳୁନି । ସେଭଳି ଅଶ୍ୱିନୀ ବୈଷ୍ଣବ ରାଜନୈତିକ ଆଭିମୁଖ୍ୟ ରଖି ବୟାନ ଦେବେ କି ନାହିଁ, ତାକୁ ନେଇ ମଧ୍ୟ ଶଙ୍କା ରହିଛି । ସେଥିପାଇଁ ବିଜେପି ସାମ୍ନାରେ ପଞ୍ଚାୟତ ନିର୍ବାଚନ ଏକ ବଡ ଚ୍ୟାଲେଞ୍ଜ ।

ପଞ୍ଚାୟତ ପରିଚାଳନା ପାଇଁ ବିଜେପି କମିଟି ଗଠନ କରିଛି । ଏଥିରେ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀଙ୍କ ଭଳି ନେତାଙ୍କ ନାଁ ନାହିଁ । ତେଣୁ କିଭଳି ଆଉ କେଉଁ ରଣନୀତି ଆଧାରରେ ଦଳ ଆଗକୁ ବଢୁଛି, ତାକୁ ନେଇ ଚର୍ଚ୍ଚା ।

ରାଜ୍ୟରେ ଦୁଇ ନମ୍ବର ଦଳ ଭାବେ ବିଜେପି ଯେଉଁ ଟକ୍କର ଶାସକ ଦଳକୁ ଦେବା କଥା, ସେଥିରେ କିଛି ପରିମାଣରେ ପଛରେ ଥିବା ଦେଖିବାକୁ ମିଳୁଛି । ଦଳର ପ୍ରଭାରୀ ମଧ୍ୟ ପଞ୍ଚାୟତ ପାଇଁ ସେଭଳି କୌଣସି ଆଗ୍ରହ ଦେଖାଇନାହାନ୍ତି । ତେଣୁ ଦଳୀୟ ରାଜନୀତିରେ କିଏ ପ୍ରଭାବ ବିସ୍ତାର କରୁଛି, ତାହା ସ୍ପଷ୍ଟ ହେଉନାହିଁ । ବିଜେପି କହିଛି, ସରକାରଙ୍କ ବିଫଳତାକୁ ନେଇ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ । ୨୦୧୭ରେ ଦଳ ଜିଲ୍ଲା ପରିଷଦ ସ୍ତରରେ ସଫଳତା ୧୦ ଗୁଣ ବଢାଇଥିଲା । ହେଲେ ୨୦୨୨ର ଫଳ କ’ଣ ହେବ, ଦଳୀୟ ସପକ୍ଷରେ ଯିବ କି ନାହିଁ, ତା ଉପରେ ନଜର ।