କନକ ବ୍ୟୁରୋ: ମହିଳା ସଶକ୍ତିକରଣ ଉପରେ ଜୋର ଦେଉଛନ୍ତି ନବୀନ ସରକାର । ତେଣୁ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ମହିଳା ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସବୁବେଳେ ରାଜନୀତିରେ ମାଷ୍ଟରଷ୍ଟ୍ରୋକ ମାରୁଥିବା ମ୍ରୁଖ୍ୟମନ୍ତ୍ରୀ ଏବେ କାହାକୁ ରାଜ୍ୟସଭା ପଠାଇବେ ସେ ନେଇ ଚର୍ଚ୍ଚା ବଢିଛି । ତେବେ ଖାଲିଥିବା ଆସନ ସଂଖ୍ୟା ୪ ରହିଥିବା ବେଳେ ଆଶାୟୀ କିନ୍ତୁ ଅନେକ ରହିଛନ୍ତି ।

Advertisment
  • ରାଜ୍ୟସଭା ରେସ୍ 
  • ୪ ଆସନ, ଚେହେରା ଅନେକ

ଆସନ୍ତା ୨୪ ତାରିଖରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ । ତେଣୁ କେଉଁ ୪ ଜଣଙ୍କୁ ବିଜେଡି ଦିଲ୍ଲୀ ପଠାଇବ, ଏହାକୁ ନେଇ ଉଠୁଛି ପଡୁଛି ପାୱାର କରିଡର । ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ନେତାଙ୍କୁ ଦିଲ୍ଲୀ ପଠାଇ ରାଜନୈତିକ ସମୀକରଣର ଭାରସାମ୍ୟ ରଖିବ ଦଳ ନା’ ଯୁବ, ମହିଳା ଓ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବ, ଏହାକୁ ନେଇ ଅଙ୍କକଷା ଚାଲିଛି । ତେବେ ମହିଳା ଚେହେରାକୁ ସାମନାକୁ ଆଣି ମାଷ୍ଟରଷ୍ଟ୍ରୋକ ଖେଳିବେ ନବୀନ, ତାହା ମଧ୍ୟ ଚର୍ଚ୍ଚାରେ ରହିଛି ।

  • ସୁସ୍ମିତା ବାଗଚୀ
  • ଶ୍ରୀମୟୀ ମିଶ୍ର 
  • ପ୍ରଦୀପ ମାଝୀ
  • ମାନସ ମଙ୍ଗରାଜ

ସୁସ୍ମିତା ବାଗଚୀ, ‘ମୋ ସ୍କୁଲ’ର ଅଧ୍ୟକ୍ଷ ରହିଛନ୍ତି । କ୍ଷମତା କେନ୍ଦ୍ରରେ ତାଙ୍କର ପ୍ରଭାବ ରହିଛି । କ୍ୟାନସର ହସପିଟାଲ ପାଇଁ ସ୍ୱାମୀ ସୁବ୍ରତ ବାଗ୍ଚୀଙ୍କ ସହ ମିଶି କୋଟି କୋଟି ଟଙ୍କା ସହାୟତା ଦେଇଛନ୍ତି । ତେଣୁ ତାଙ୍କୁ ରାଜ୍ୟସଭା ଟିକେଟ ଦେଇ ମହିଳା ଚେହେରା ହିସାବରେ ସାମନାକୁ ଆଣିପାରନ୍ତି ସୁପ୍ରିମୋ । ସେହିପରି ଶ୍ରୀମୟୀ ମିଶ୍ର, ଓଟିଡିସିର ଅଧ୍ୟକ୍ଷା ଅଛନ୍ତି । ପ୍ରଥମେ ମହିଳା ଚେହେରା ଏବଂ ସେ ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି । ଏପରିକି ବଲାଙ୍ଗୀରର ରାଜ ପରିବାରକୁ ଟକ୍କର ଦେଇ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ପାଇଁ ଭଲ କାମ କରିଛନ୍ତି ।

ତାଙ୍କ ସହିତ ଆଉ ଜଣେ ନେତା ହେଉଛନ୍ତି ପ୍ରଦୀପ ମାଝୀ, ଦକ୍ଷିଣ ଓଡ଼ିଶାର ଆଦିବାସୀ ନେତା, ଜଣେ ଭଲ ସଂଗଠକ ହିସାବରେ ସେ ଜଣାଶୁଣା । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ସମୟରେ ତାଙ୍କୁ ଦଳ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । ତେଣୁ ରାଜ୍ୟସଭା ରେସରେ ସେ ଜଣେ ପ୍ରମୁଖ ଦାବିଦାର ରହିଛନ୍ତି । ସେହିପରି ମାନସ ମଙ୍ଗରାଜ, ବିଜେଡି ମିଡିଆ ସେଲର ଦାୟିତ୍ୱରେ ଅଛନ୍ତି । ଅନେକ ସମୟରେ କ୍ରାଇକ୍ରେସ୍ ମ୍ୟାନେଜର ଭାବେ ଦଳ ପାଇଁ କାମ କରିଛନ୍ତି ।

ସାଂସଦଙ୍କ କାର୍ଯ୍ୟକାଳ ସରୁଥିବା ବେଳେ କିଛି ସାଂସଦଙ୍କ ଆଶା ରହିଛି, ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବେ ନବୀନ । ମାତ୍ର ୩ ବର୍ଷ କାର୍ଯ୍ୟକାଳ ଭିତରେ ସସ୍ମିତ ପାତ୍ର ବେଶ ଚର୍ଚ୍ଚା ସାଉଣ୍ଟିି ଥିଲେ । ଏପରିକି ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସି ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲେ । ଅନ୍ୟପଟେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏହି ରେସ୍ରେ ମଧ୍ୟ ଅଛନ୍ତି । ଏସବୁ ଭିତରେ ରାଜନୀତିରେ ସବୁବେଳେ ମାଷ୍ଟର ଷ୍ଟ୍ରୋକ୍ ଖେଳୁଥିବା ନବୀନ ଏଥର ମଧ୍ୟ କିଛି ବଡ଼ ନିଷ୍ପତି ନେଇ ଚମକାଇ ଦେଇପାରନ୍ତି ।