ମୁଁ ପାଇବି ଟିକେଟ? ଶେଷ ଅଧିବେଶନରେ ବିଧାୟକ ଦମ୍ଭ ଦେଖାଇଲେ, ଟିକେଟ ପାଇବି, ନିର୍ବାଚନ ଜିତିବି ।

779

କନକ ବ୍ୟୁରୋ : ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଶେଷ ହେବାକୁ ଆଉ ଦିନ କେଇଟା ବାକି ରହିଛି । ଆଉ ଏହାପରେ ଆରମ୍ଭ ହୋଇଯିବ ନିର୍ବାଚନ ଯୁଦ୍ଧ । ପୁଣିଥରେ ବିଧାନସଭାକୁ କିଏ ଆସିବ ତାହାକୁ ନେଇ ଆରମ୍ଭ ହେବ ରେସ । କାହାକୁ ମିଳିବ ଟିକେଟ, କାହା ମୁଣ୍ଡରେ ସୁନା କଳସ ଢାଳିବେ ଦଳର ସୁପ୍ରିମୋ । ଆଉ କିଏ ଟିକେଟ ନ ପାଇ ନିର୍ବାଚନ ଲଢିବାରୁ ବଞ୍ଚିତ ହେବ । ତାହାକୁ ନେଇ ଏବେ ଜୋର ଧରିଛି ରାଜନୀତି ।

୨୦୧୯ରେ କିଏ ପାଇବ ଟିକେଟ୍? ବିଧାୟକଙ୍କୁ ଟିକେଟ୍ ମିଳିବ ନା ନୂଆ ଚେହେରା ସାମନାକୁ ଆସିବେ? ବରିଷ୍ଠ ନେତା ରାଜନୀତିରୁ ସନ୍ୟାସ ନେବେ ନା ପୁଣି ଲଢିବେ ନିର୍ବାଚନ? ନିର୍ବାଚନ ପୂର୍ବରୁ ଟିକେଟ୍ ମିଳିବା ନେଇ ଚର୍ଚା ଆଲୋଚନା ଭିତରେ ବିଧାୟକ ଟିକେଟ ପାଇବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ତ ଆଉ କିଏ ଟିକେଟ ପାଇଁ ଦଳୀୟ ସୁପ୍ରିମୋଙ୍କ ଭରସାରେ ରହିଛନ୍ତି ତ ପୁଣି କିଏ ଟିକେଟ ନେଇ ଲଢିବା ସହ ବିଧାନସଭାକୁ ଆସିବି ବୋଲି ଦମ୍ଭ ଦେଖାଇଛନ୍ତି ।

ଦେବେଶ ଆଚାର୍ଯ୍ୟ :ବିଧାନସଭାର ଶେଷ ଅଧିବେଶନରେ ଏଭଳି ଦମ୍ଭ ଦେଖାଇଛନ୍ତି କିଛି ବିଧାୟକ । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ପୁଣିଥରେ ୨୦୧୯ରେ ଟିକେଟ ପାଇବା ନେଇ ଆଶାବାଦୀ ରହିଛନ୍ତି । ଦଳୀୟ ସୁପ୍ରିମୋ ଓ ଲୋକଙ୍କର ଆର୍ଶୀବାଦ ରହିଛି । ଗତ ୫ ବର୍ଷ ମଧ୍ୟରେ ନିର୍ବାଚନମଣ୍ଡଳୀରେ ଅନେକ କାମ କରିଛି । ତେବେ ଟିକେଟ ମିଳିବ କି ନାହିଁ ତାହାର ଦଳର ସୁପ୍ରିମୋ ନେବେ ବୋଲି କହିଛନ୍ତି ଦେବେଶ ।

ମଙ୍ଗଳା କିଶାନ : ବିଜେଡିର ଫୋକସରେ ଏବେ ଯୁବ ନେତା ଥିବା ବେଳେ ରାଜଗାଙ୍ଗପୁରର ବରିଷ୍ଠ ବିଧାୟକ ମଙ୍ଗଳା କିଶାନ ପରୋକ୍ଷରେ ନିଜକୁ ଯୁବକ କହିବାକୁ ମଧ୍ୟ ପଛାଇନାହାନ୍ତି । ରାଜନୈତିକ ବ୍ୟକ୍ତି କେବେ ସନ୍ୟାସ ନିଅନ୍ତି ନାହିଁ । ସୁପ୍ରିମୋଙ୍କ ଉପରେ ଭରସା ଅଛି । ଯାହା ହେବ ଭଲ ହେବ । କିନ୍ତୁ ଟିକେଟ ଆମ ହାତରେ ନାହିଁ ନେତାଙ୍କ ହାତରେ ଅଛି ବୋଲି କହିଛନ୍ତି ମଙ୍ଗଳା କିଶାନ ।

ପଦ୍ମନାଭ ବେହେରା : ୨୦୧୯ ନିର୍ବାଚନରେ ଟିକେଟ ପାଇବା ପାଇଁ ନେତାଙ୍କ ମଧ୍ୟରେ ରେସ୍ ଆରମ୍ଭ ହୋଇଯାଇଥିବା ବେଳେ ବୀରମହାରାଜପୁର ବିଧାୟକ ଟିକେଟ ପାଇବା ନେଇ ଦମ୍ଭ ଦେଖାଇଛନ୍ତି । ନିଶ୍ଚିତ ଟିକେଟ ନେବୁ, ଲଢିବୁ ଓ ପୁଣିଥରେ ନିର୍ବାଚନ ଜିତିକି ଆସିବୁ ବୋଲି ଜୋର ଦେଇ କହିଛନ୍ତି ପଦ୍ମନାଭ । ଏପରିକି ଦଳର ସୁପ୍ରିମୋ ତାଙ୍କ କଥା ବିଚାର କରିବେ ବୋଲି ଆଶାବାଦୀ ଅଛନ୍ତି ପଦ୍ମନାଭ । ଏସବୁ ବାଦ୍ ପଦ୍ମନାଭ ନିଜ ସାଙ୍ଗଠନିକ ଦକ୍ଷତା ମଧ୍ୟ କ୍ୟାମେରା ସାମ୍ନାରେ ବଖାଣିଛନ୍ତି । ଦୀର୍ଘ ୩୮ ବର୍ଷ ଧରି ସଙ୍ଗଠନ ସହ ଅଛୁ ଓ ଲୋକଙ୍କ ସମସ୍ୟା କଣ ଆମେ ଭଲ ଭାବେ ଜାଣିଛୁ । ତେଣୁ ସଙ୍ଗଠନ କେମିତି ହୁଏ ତାହା କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ ।

ଉଷା ଦେବୀ : ଟିକିଟି ବିଧାୟକ ଉଷା ଦେବୀ ମଧ୍ୟ ୨୦୧୯ରେ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଆଶାବାଦୀ ଅଛନ୍ତି । ୨୦୦୦ ମସିହାରୁ ବିଜେଡିରୁ ଟିକେଟ ନେଇ ଆସୁଛି ୨୦୧୯ରେ ମଧ୍ୟ ନେବି ବୋଲି ଆଶା ବାନ୍ଧିଛନ୍ତି ଉଷା ଦେବୀ । ୨୦୧୯ରେ ମୋତେ ଟିକେଟ ଦେବେ ଦଳର ସୁପ୍ରିମୋଙ୍କ ଉପରେ ପୂରା ଭରସା ରହିଛି ବୋଲି କହିଛନ୍ତି ଉଷା ଦେବୀ । ବିଜେଡି ସରକାର ସମୟରେ ଅନେକ କାମ ହୋଇଛି । ତେଣୁ ୨୦୧୯ରେ ବିଜେଡି ପାଇଁ କୌଣସି ସମସ୍ୟା ହେବନି । ଉଭୟ ବିଜେପି ଓ କଂଗ୍ରେସର କୌଣସି ସତ୍ତା ଏଠାରେ ନାହିଁ ବୋଲି କହିଛନ୍ତି ଉଷା ଦେବୀ ।

ବିଧାୟକ ମାନଙ୍କ ଏଭଳି ବୟାନ ସ୍ପଷ୍ଟ କରୁଛି ଯେ, ୨୦୧୯ରେ ନିଜର ଟିକେଟ ନେଇ କିଛି ବିଧାୟକ ସନ୍ଦିହାନ ଥିବା ବେଳେ ଆଉ କିଛି ବିଧାୟକ ଦଳର ସୁପ୍ରିମୋଙ୍କ ମନ ଜିଣି ପୁଣିଥରେ ଟିକେଟ ପାଇବା ନେଇ ନିଶ୍ଚିତ ଅଛନ୍ତି । କିନ୍ତୁ କେଉଁ ଆଧାରରେ ଟିକେଟ ଦିଆଯିବ ସେନେଇ କେହି ମୁହଁ ଖୋଲିନାହାନ୍ତି । ତେବେ ଏସବୁ ଭିତରେ କେଉଁ ବିଧାୟକଙ୍କ ଟିକେଟ କଟୁଛି ଓ ନୂଆ ଚେହେରା ଭାବେ ବିଧାନସଭାକୁ କିଏ ଏଣ୍ଟ୍ରି କରୁଛି ତାହା ଦେଖିବା ବାକି ରହିଲା ।