ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି, ବିଜେପି । କାହାକୁ ଟିକେଟ୍ ଦେବ କଂଗ୍ରେସ ? ତିନୋଟି ନାଁକୁ ନେଇ ଚର୍ଚ୍ଚା ।

187

କନକ ବ୍ୟୁରୋ: ପିିପିଲି ଉପନିର୍ବାଚନ ପାଇଁ ଏବେ ସରଗରମ ରାଜ୍ୟ ରାଜନୀତି । ପ୍ରଦୀପଙ୍କ ପରେ କେଉଁ ଦଳର ମହାରଥୀ ଏଠାରେ ବିଜୟ ବାନା ଉଡାଇବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଗତକାଲି ବିଜେପି ଏବଂ ଆଜି ଶାସକ ଦଳ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେପି ପୂର୍ବ ଭଳି ଆଶ୍ରିତ ପଟ୍ଟନାୟକଙ୍କୁ ଭରସା କରିଥିବାବେଳେ ଶାସକ ଦଳ ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ଟିକେଟ୍ ଦେଇ ଅନୁକମ୍ଫା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ହେଲେ ଏସବୁ ଭିତରେ କଂଗ୍ରେସ କିନ୍ତୁ ପଛରେ ପଡିଯାଇଛି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ଭିତରୁ ପ୍ରଥମ ଦୁଇ ଦଳ ନିଜର ଯୋଦ୍ଧାଙ୍କ ନାଁ ଘୋଷଣା କରିସାରିଥିବାବେଳେ କଂଗ୍ରେସ କିନ୍ତୁ ପ୍ରାର୍ଥୀ ଘୋଷଣା ରେସରେ ପଛରେ ପଡିଯାଇଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା ମୁତାବକ, ସେମାନେ ତିନୋଟି ନାଁକୁ ନେଇ ବିଚାର ବିମର୍ଶ କରୁଛନ୍ତି । ହେଲେ ଏଯାବତ କାହାକୁ ଟିକେଟ୍ ଦିଆଯିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ତେବେ ଆସନ୍ତା ୩୦ ତାରିଖ ଭିତରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ତିନୋଟି ନାଁ ଉପରେ ବିଚାର କରୁଛି । ଯେଉଁମାନେ ହେଲେ – ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଏବଂ ନିଶିକାନ୍ତ ମିଶ୍ର । ଏହି ତିନିଜଣଙ୍କ ଭିତରୁ ହିଁ କଂଗ୍ରେସ ଜଣଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ବିିଧିବଦ୍ଧ ଭାବେ କେବେ ପିପିଲି ପାଇଁ ନିଜର ଯୋଦ୍ଧା ଘୋଷଣା କରୁଛି ତାହା ଦେଖିବାକୁ ବାକି ରହିଲା ।

ବହୁ ବର୍ଷ ଧରି ପିପିଲି ପ୍ରଦୀପ ମହାରଥୀଙ୍କ ଗଡ ଭାବେ ରହିଆସିଛି । ତାଙ୍କ ଦେହାନ୍ତ ପରେ ସେଠାରେ ବିଜେଡି ନିଜର ଗଡ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛି । ଅନ୍ୟପଟେ ସାଧାରଣ ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ବଢିଥିବାରୁ ଦଳ ଏଥର ମଧ୍ୟ ଆଶ୍ରିତଙ୍କୁ ନେଇ ଉତ୍ସାହିତ ଅଛି । ତେବେ କଂଗ୍ରେସ ଏହି ଦୁଇ ଦଳକୁ ଚେକ୍ ଦେଇ ନିଜ ଭୋଟ୍ ହାରକୁ ବଢାଇବା ସହିତ ବିଜୟୀ ହେବାକୁ କସରତ କରିବ ବୋଲି କୁହାଯାଇଛି ।