କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେଉଁ ନିର୍ବାଚନ ମଣ୍ଡଳୀରେ କିଏ ପ୍ରାର୍ଥୀ ହେବେ? କାହାର ଲୋକପ୍ରିୟତା ବଢ଼ିଛି? କିଏ ଲୋକପ୍ରିୟତା ହରାଇଛି? ଘରୋଇ ସର୍ଭେ ରିପୋର୍ଟ ଆଧାରରେ ୱାନ-ଟୁ ୱାନ ନେତାଙ୍କ ସହ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ । ପର୍ଯ୍ୟାୟକ୍ରମେ ଜିଲ୍ଲାୱାରୀ ନେତା, ନବୀନ ନିବାସ ଆସୁଛନ୍ତି । ସମ୍ପୃକ୍ତ ଜିଲ୍ଲାର ନେତାଙ୍କ ସହ ଚର୍ଚ୍ଚା କରାଯାଇଛି ୨୦୨୪ ଲଢ଼େଇ ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛି ବିଜେଡି । ତାଜା ତାଜା ନବୀନ ନିବାସ ଆସି ଆଲୋଚନା କରି ଫେରିଥିବା ତାଲିକାରେ ଅଛନ୍ତି- ସୋର ବିଧାୟକ ପର୍ଶୁରାମ ଧଡ଼ା, ବାଲେଶ୍ୱର ସଦର ବିଧାୟକ ସ୍ୱରୁପ ଦାସ, ବାଲେଶ୍ୱର ଜିଲ୍ଳା ସଭାପତି ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା, ପୁରୀ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ।

Advertisment

ଦଳୀୟ ଅନ୍ତରମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ- ୬୫ରୁ ଅଧିକ ନେତାଙ୍କୁ ମିଳିସାରିଛି ଗ୍ରୀନ୍ ସିଗନାଲ ! ପ୍ରଦର୍ଶନ ଓ ଲୋକପ୍ରିୟତା ଆଧାରରେ ଟିକେଟ୍ ପାଇଁ ଏହି ନେତାଙ୍କୁ ଦଳ ଭରସା କରୁଛି ! ଏପ୍ରିଲ୍ ୨୧ ତାରିଖରୁ ନବୀନ ନିବାସରେ ପର୍ଯ୍ୟାୟକ୍ରମେ ସମୀକ୍ଷା କରାଯାଉଛି । ଏକ ଘରୋଇ ସର୍ଭେ ଆଧାରରେ ଟିକେଟ ପାଇଁ କସରତ ହେଉଛି । ସୂଚନା ଅନୁସାରେ ୩ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ସମୀକ୍ଷା କରାଯିବ ।

ସର୍ଭେରୁ ଆସିଥିବା ତଥ୍ୟ ଆଧାରରେ ନେତାଙ୍କୁ ବାର୍ତା ଦିଆଯାଉଛି । ଯେଉଁ ନେତାଙ୍କ ପ୍ରଦର୍ଶନ ଓ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି, ତାକୁ ପରିଶ୍ରମ ଜାରି ରଖିବାକୁ କୁହାଯାଉଛି । ଆଉ ଯେଉଁ ଅଞ୍ଚଳରେ ସିଚୁଏସନ୍ ଟାଇଟ୍ ଅଛି, ଅଧିକ ପରିଶ୍ରମ କରିବା ସହ ଅଧିକ ପରିଶ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ।

ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ ଦଳରେ ଅନେକ ଅସନ୍ତୁଷ୍ଟ ଏବଂ ଅନେକ ଆଶାୟୀ ଥିବାରୁ ଏବେଠୁ ଟିକେଟ ଥୋପ ପକାଯାଉଛି । ଯେଉଁ କିଛି ନେତା ଦଳ ଛାଡିବା ପାଇଁ ଚିନ୍ତା କରୁଛନ୍ତି ସେମାନଙ୍କୁ ଦଳରେ ରଖିବା ପାଇଁ ଏହା ଗୋଟିଏ ପ୍ରି ପ୍ଲାନ ବୋଲି ଚର୍ଚ୍ଚା ହେଉଛି ।

ଯେଉଁ ବିଧାୟକ ଓ ନେତାଙ୍କୁ ନବୀନ ନିବାସ ଡକାଯାଇନି କିମ୍ବା ସେମାନଙ୍କ ସହ ଆଲୋଚନା କରାଯାଇନି ସେମାନଙ୍କର ହାର୍ଟବିଟ ବଢିଲାଣି । ଚର୍ଚ୍ଚା ହେଉଛି ଅନେକ ମହିଳା ଚେହେରାଙ୍କୁ ଟିକେଟ ଦେଇ ମାଷ୍ଟର ଷ୍ଟ୍ରୋକ ମାରିପାରନ୍ତି ବିଜେଡି ସୁପ୍ରିମୋ । କିଛି ପୁରୁଖା ଓ ସିନିୟର ଟିକେଟ ରେସରୁ ବାଦ ମଧ୍ୟ ପଡିପାରନ୍ତି ।