୧୨ ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳରେ କିଏ ପାଇବ ସ୍ଥାନ? କାହାକୁ ମିଳିବ ମନ୍ତ୍ରୀପଦ?

1,409

କନକ ବ୍ୟୁରୋ: ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ, ଏବେ ଚର୍ଚ୍ଚା କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ ।

  • ନୂଆ ମନ୍ତ୍ରିମଣ୍ଡଳରେ କିଏ?
  • କାହାକୁ ମିଳିବ ମନ୍ତ୍ରୀପଦ?

ଓଡିଶାରେ ପ୍ରଥମ ଥର ଏକାକୀ ସରକାର ଗଢୁଛି ଭାରତୀୟ ଜନତା ପାର୍ଟି । ଆଉ ବିରୋଧୀ ଦଳରେ ବସିବ ବିଜୁ ଜନତା ଦଳ । ତେଣୁ ମନ୍ତ୍ରୀ ମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ସେ ନେଇ ବିଜେପି ଭିତରେ ଚାଲିଛି ଅଙ୍କ କଷା । ଏପଟେ କାହାକୁ ମନ୍ତ୍ରୀପଦ ମିଳିବ ସେ ନେଇ ସବୁଠି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା ହେଉଛି, ଦଳର ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରେ ଦଳ । କୁହାଯାଉଛି ରେସରେ ଆଗରେ ଅଛନ୍ତି, ପାଟଣାଗଡ ବିଧାୟ କନକ ବର୍ଦ୍ଧନ ସିଂଦେଓ, କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡିଲେ ସୁରେଶ ପୂଜାରୀ, କୁଚିଣ୍ଡା ବିଧାୟକ ରବି ନାଏକ ଓ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ।

ନିର୍ବାଚିତ ହୋଇଥିବା ମହିଳା ବିଧାୟକଙ୍କ ମଧ୍ୟରୁ ନିମାପଡା ବିଧାୟିକା ପ୍ରଭାତୀ ପରିଡା, ରଣପୁର ବିଧାୟିକା ସୁରମା ପାଢ଼ୀ, ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଗଡ ବିଧାୟକ ସୁଧିର ରଂଜନ ପାଟ୍ଟଯୋଶୀ , ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ତେବେ ଦଳ ଯାହା ନିଷ୍ପତି ନେବ ବୋଲି କହିଛନ୍ତି ନେତା ।

ତେବେ ବିଜେପି ସବୁବେଳେ ସରପ୍ରାଇଜ୍ ଦେଉଥିବାରୁ, ଚର୍ଚ୍ଚା ହେଉଥିବା ନାଁ ବ୍ୟତୀତ ଅନ୍ୟ ନେତା ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରନ୍ତି । ୨୧ ଜଣ ବିଧାୟକ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ । ସେଥିମଧ୍ୟରୁ ୧୨ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ ।