ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ପାଇବ ସ୍ଥାନ? ୨ରୁ ୪ ମନ୍ତ୍ରୀ ଦାବି କରୁଛନ୍ତି ଟିଡିପି ଓ ଜେଡିୟୁ

619

କନକ ବ୍ୟୁରୋ: ରବିବାର ସନ୍ଧ୍ୟା ସାଢେ ୭ ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଏହାରି ଭିତରେ ମୋଦୀଙ୍କ ତୃତୀୟ ପାଳିର ମନ୍ତ୍ରୀମଣ୍ଡଳ, ବିଶେଷକରି କ୍ୟାବିନେଟରେ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥର ବିଜେପି ଏକାକି ସଂଖ୍ୟା ଗରିଷ୍ଠତା ହାସଲ କରିନଥିବାରୁ ମନ୍ତ୍ରୀମଣ୍ଡଳରେ କେଉଁ ଦଳର ନେତାଙ୍କୁ ଗରୁତ୍ୱ ମିଳିବ ତାକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ।

ଟିଡିପିର ୧୬ ଆସନ ଥିବାରୁ ଚନ୍ଦ୍ରବାବୁ ନାଇଡୁ କ୍ୟାବିନେଟରେ ୨ରୁ ୪ ମନ୍ତ୍ରୀ ଦାବି କରିଛନ୍ତି । ଯଦି ଦୁଇରୁ ଅଧିକ ମନ୍ତ୍ରୀ ନମିଳେ ତେବେ ବାଚସ୍ପତି ଅବା ଉପ-ବାଚସ୍ପତି ପଦବୀ ଦେବାକୁ ଅଡି ବସିଛନ୍ତି ଚନ୍ଦ୍ରବାବୁ । ସେହିପରି ୧୨ ଆସନ ଜିତିଥିବା ଜେଡିୟୁ ୩ ମନ୍ତ୍ରୀ ପଦବୀ ପାଇଁ ଦାବି କରିଛି । ଯଦି ୩ ମନ୍ତ୍ରିପଦ ନମିଳେ ତେବେ ବାଚସ୍ପତି ପଦବୀ ପାଇଁ ଦାବି କରିଛନ୍ତି ନୀତୀଶ କୁମାର । ସେପଟେ ଏକନାଥ ସିନ୍ଦେଙ୍କ ଶିବସେନା ୭ ଆସନରେ ବିଜୟୀ ହୋଇଛି । ଆଉ କିଛି ମାସ ପରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏଥର ମନ୍ତ୍ରୀମଣ୍ଡଳରେ ଆନ୍ଧ୍ରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ରକୁ ଗରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ବୋଲି କୁହାଯାଊଛି ।
ଗୃହ, ପ୍ରତିରକ୍ଷା, ଅର୍ଥ ଏବଂ ବୈଦେଶିକ ବ୍ୟାପର ବିଭାଗ ନେଇ ଗଠିତ କ୍ୟାବିନେଟ୍ ସୁରକ୍ଷା କମିଟିର କୌଣସି ବିଭାଗ ସହଯୋଗୀଙ୍କ ସହ ଭାଗ କରିବାକୁ ଚାହୁଁନାହିଁ ବିଜେପି । ଏହା ସହ ଦଳର ସଂଖ୍ୟା ଗରିଷ୍ଠତା ନଥିବାରୁ ବାଚସ୍ପତି ପଦବୀ ନିଜ ପାଖରେ ରଖିବାକୁ ଚାହୁଛନ୍ତିି ମୋଦୀ । କିନ୍ତୁ ୫ ବର୍ଷ ସରକାର ଚଳାଇବାକୁ ହେଲେ ଟିଡିପି, ଜେଡିୟୁଙ୍କୁ ବି ସନ୍ତୁଷ୍ଟ କରିବାକୁ ପଡିବ ବୋଲି ବିଜେପି ଭଲଭାବେ ଜାଣିଛି । ତେଣୁ କୃଷି, ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଭଳି ଗୁରୂତ୍ୱପୂର୍ଣ୍ଣ ବିଭାଗ ବିଜେପିକୁ ଛାଡ଼ିବାକୁ ପଡିବ ।

କିଏ ପାଇବେ କେଉଁ ବିଭାଗ?
ଅମିତ ଶାହା- ଗୃହ ବିଭାଗ ସହ ଅତିରିକ୍ତ ଦାୟୀତ୍ୱ
ନିର୍ମଳା ସୀତାରମଣ- ଅର୍ଥ ବିଭାଗ
ରାଜନାଥ ସିଂ- ପ୍ରତିରକ୍ଷା ବିଭାଗ
ପୀୟୂସ୍ ଗୋଏଲ- ଶିଳ୍ପ ଓ ବାଣିଜ୍ୟ ବିଭାଗ
ନୀତୀନ ଗଡ଼କରୀ- ସଡ଼କ ଓ ପରିବହନ ବିଭାଗ
ଅଶ୍ୱିନୀ ବୈଷ୍ଣବ- ବଦଳିପାରେ ରେଳମନ୍ତ୍ରୀଙ୍କ ବିଭାଗ

ସେପଟେ ଏଥର ଉଭୟ ବିଧାନସଭା ଏବଂ ଲୋକସଭାରେ ବିଜେପିକୁ ଓଡ଼ିଶାରେ ଅପ୍ରତ୍ୟାଶିତ ସଫଳତା ମିଳିଥିବାରୁ ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ବାଚସ୍ପତି ପଦବୀ ଭେଟି ଦେଇପାରନ୍ତି ମୋଦୀ ।