ଦିଲ୍ଲୀରେ ସରକାର ଗଠନ ପାଇଁ ଏନଡିଏ ଓ ଇଣ୍ଡିଆ ମେଣ୍ଟର କସରତ ଜାରି । ଇଣ୍ଡିଆ ବୈଠକରେ ସବୁ ଦଳକୁ ସାମିଲ ହେବାକୁ ଖଡଗେଙ୍କ ଆହ୍ୱାନ

304

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ନୂଆ ସରକାର ଗଢିବା ପାଇଁ କସରତ ଜୋରଦାର ହୋଇଛି । ଏନଡିଓ ଓ ଇଂଣ୍ଡିଆ ମେଣ୍ଟ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟାରେ ଏନଡିଏ ବୈଠକ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ କରାଯାଇଛି । ଆଜି ସକାଳେ ମୋଦୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଥିଲେ । କୁହାଯାଉଛି , ଏନଡିଏ ବୈଠକ ପରେ ମୋଦୀ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ଆଉ ୮ ତାରିଖରେ ଶପଥ ଗ୍ରହଣ ହୋଇପାରେ । ଦିଲ୍ଲୀରେ ଏନଡିଏ ସରକାର ଗଠନ ପାଇଁ ମନ୍ଥନ ଜୋରଦୋର ହୋଇଛି । ଲଗାତାର ତୃତୀୟ ଥର ଲାଗି ଏନଡିଏକୁ ବହୁମତ ମିଳିଛି । ଏନଡିଏ ୨୯୩ ଆସନରେ ବିଜୟୀ ହୋଇଛି ।

ବିଜେପି ଏକାକୀ ୨୪୦ ଆସନ ପାଇଛି । ତେବେ ତୃତୀୟ ଥର ଲାଗି ନିଜ ଦମରେ ସରକାର ଗଢିବାକୁ ଅସମର୍ଥ ହୋଇଛି ବିଜେପି । ଇଣ୍ଡିଆ ମେଂଟକୁ ୨୩୪ ସିଟ ଆସନ ମିଳିଥିବା ବେଳେ କଂଗ୍ରେସ ୯୯ ଆସନ ପାଇଛି । ମୋଦୀ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । କିନ୍ତୁ ଇଣ୍ଡିଆ ମେଂଟ ବି ଏନଡିଏର ସହଯୋଗୀ ଦଳ ସହ ସମ୍ପର୍କରେ ଥିବାରୁ ଖେଳ କିଛି ଅଲଗା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, ମୋଦୀଙ୍କୁ ସମର୍ଥନ କରିବାକୁ ଜେଡିୟୁ ଓ ତେଲୁଗୁଦେଶମ ସମର୍ଥନ ଦେଇସାରିଛନ୍ତି । ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଏନଡିଏ ବୈଠକରେ ସାମିଲ ହୋଇ ସରକାର ଗଠନର ଚିତ୍ରକୁ ଏକପ୍ରକାର ସ୍ପଷ୍ଟ କରିଦେଇଛନ୍ତି ।

ସେହଭଳି ନିର୍ବାଚନ ପରେ ସରକାର ଗଠନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦିଲ୍ଲୀସ୍ଥିତ ଘରେ ଏହି ବୈଠକ ହୋଇଛି । ଇଣ୍ଡିଆ ମେଣ୍ଟରେ ସାମିଲ ହେବାକୁ ଅନ୍ୟ ଦଳକୁ ଖୋଲା ଅଫର ଦେଇଛନ୍ତି ଖଡଗେ । ବୈଠକ ମଲ୍ଲିକାର୍ଜୁନ ଖଗଡେ କହିଛନ୍ତି, ସରକାର ଗଠନ ପାଇଁ ଠିକ ସମୟକୁ ଅପେକ୍ଷା କରାଯିବ । ଇଣ୍ଡିଆ ବୈଠକରେ ମଲ୍ଲିକାର୍ଜୁନ ସମେତଙ୍କ ସହ ଶରଦ ପାୱାର, ଏମ.କେ ଷ୍ଟାଲିନ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ପ୍ରମୁଖ ସାମିଲ ହୋଇଥିଲେ ।